ଭୁବନେଶ୍ବର : ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩ୟ ମେକ୍ ଇନ ଓଡ଼ିଶା ସମ୍ମିଳନୀକୁ ସଫଳ କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏହି ସମ୍ମିଳନୀକୁ ବିଭିନ୍ନ ଦେଶର ନିବେଶକମାନଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଆସନ୍ତା  ୩୧ ତାରିଖରେ ନୂଆଦିଲ୍ଲୀଠାରେ ଏକ ସ୍ବତନ୍ତ୍ର ସମାବେଶର ଆୟୋଜନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ଟି ଦେଶର ରାଷ୍ଟ୍ରଦୂତମାନଙ୍କୁ ଭେଟି ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ ଜଣାଇବେ । ଏହି ୧୬ଟି ଦେଶ ହେଲେ ଆମେରିକା, ବ୍ରିଟେନ, ଜାପାନ, ଲକ୍ସମ୍ବର୍ଗ, ଜର୍ମାନୀ, ଫ୍ରାନ୍ସ, ଇଟାଲି,ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ବାହାରିନ, ସିଂଗାପୁର, ବେଲଜିୟମ, ଓମାନ, କାତାର ଓ ୟୁଏଇ ।

Advertisment

ଏହା ସହିତ ସେ ଶିଳ୍ପପତିମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମାବେଶରେ ନବୀନ ମେକ-ଇନ-ଓଡ଼ିଶା ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଶାରେ ବ୍ୟବସାୟ ବାତାବରଣକୁ ସରଳ କରିବାକୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ବି ଆଲୋଚନା କରିବେ ।

ଆସନ୍ତା ୩୧ତାରିଖରେ ନୂଆଦିଲ୍ଲୀରେ ଓଡିଶାରେ ପୁଞ୍ଜି ନିବେଶ କଲେ କ’ଣ କ’ଣ ସୁବିଧା ପ୍ରଦାନ କରାଯାଉଛି ସେ ନେଇ ନିବେଶକାରୀଙ୍କୁ ବିସ୍ତୃତ ଭାବରେ ଜଣାଇବେ ମୁଖ୍ୟମନ୍ତ୍ରୀ ।  ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ଆଖପାଖର ଶିଳ୍ପପତିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହି ନିବେଶ ସମାବେଶର ବିଜିନେସ ପାର୍ଟନର ହୋଇଛି ଫିକି । ଦୁବାଇରୁ ୨୧ହଜଜାର ୩ଶହ କୋଟି ଟଙ୍କାର ପୁଞ୍ଜି ଆସିଛି । ଅନେକ ଶିଳ୍ପପତି ୨୦୧୬ରୁ ମେକ ଇନ ଓଡିଶା କାର୍ଯ୍ୟକ୍ରମ ସହ ଯୋଡି ହୋଇଛନ୍ତି । ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ ବୋଲି  ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ।