ସୂଚନା ଅଧିକାରୀଙ୍କୁ ବିଭାଗୀୟ ପ୍ରମୁଖ ସଚିବଙ୍କ ପରାମର୍ଶ, ସୂଚନା ପ୍ରଦାନ କାର୍ଯ୍ୟଧାରାକୁ ଅଧିକ ଉନ୍ନତ ଓ ପ୍ରଭାବୀ କର

ଭୁବନେଶ୍ବର : ତ୍ବରିତ ଓ ଠିକ ଭାବେ ସୂଚନା ପ୍ରଦାନ ଜନସାଧାରଣଙ୍କୁ ସଶକ୍ତ ଓ ସଚେତନ କରିଥାଏ। ଫଳରେ ସେମାନଙ୍କୁ ସରକାରୀ କାର୍ଯ୍ୟକ୍ରମର ସଫଳତା ପାଇବା ସହଜ ହୋଇଥାଏ। ଏଣୁ ରାଜ୍ୟ ସରକାରଙ୍କ ବିଭାଗର ମନ୍ତ୍ରୀ ତଥା ସଂପୃକ୍ତ ବିଭାଗ ସହିତ ନିୟୋଜିତ ସୂଚନା ଅଧିକାରୀମାନେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସେମାନଙ୍କର ସୂଚନା ପ୍ରଦାନ କାର୍ଯ୍ୟଧାରାକୁ ଆହୁରି ଉନ୍ନତ ଓ ପ୍ରଭାବୀ କରିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ‌ ସେଠୀ ସୂଚନା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ‌ସେଠୀ କହିଛନ୍ତି ଯେ ବିଭିନ୍ନ ବିଭାଗ ସହ ସଂଯୁକ୍ତ ସୂଚନା ଅଧିକାରୀମାନେ ମନ୍ତ୍ରୀମାନଙ୍କୁ ନିୟମିତ ଭାବେ ପ୍ରକାଶିତ ସମ୍ବାଦ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସ୍ବତଃପ୍ରବୃତ ଭାବେ ବିଭିନ୍ନ ବିଭାଗୀୟ ଉନ୍ନୟନମୂଳକ କାର୍ଯ୍ୟକୁ ପରିବେଷଣ କରିବା, ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବା ସହିତ ତଥ୍ୟ ସଂଗ୍ରହ ଓ ତାହାର ଅନୁଶୀଳନ କରି ଗଣମାଧ୍ୟମ ପାଇଁ ପ୍ରେସ୍‌ ବିବୃତି ପ୍ରସ୍ତୁତ କରନ୍ତୁ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଯୋଜନା, ନୀତି, ନିଷ୍ପତ୍ତି ଆଦି ସମ୍ପର୍କରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସହ ପରାମର୍ଶ କରି ସଫଳ କାହାଣୀ ପ୍ରସ୍ତୁତ କରନ୍ତୁ। ତୃଣମୂଳ ସ୍ତରରେ ଥିବା ଲୋକଙ୍କୁ ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ସୂଚନା ପ୍ରଦାନ ପ୍ରଥମ ଓ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଅଗ୍ରାଧିକାର ରହିବ। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଅଧୀନରେ ଲୋକଙ୍କ ମତାମତ ହିଁ ସୁଶାସନର ପ୍ରମାଣ ବହନ କରେ। ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ଆମେ ଆମର ଯୋଗାଯୋଗ ବ୍ୟବସ୍ଥାରେ ଅଧିକ ଉନ୍ନତି କରି ଜନସାଧାରଣଙ୍କୁ ସରକାର କ’ଣ କରୁଛନ୍ତି, ସେ ସମ୍ପର୍କରେ ସୂଚନା ପ୍ରଦାନ କରିବା ଆବଶ୍ୟକ। ଏହା ଫଳରେ ସରକାରଙ୍କ କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ମତାମତ ମିଳିପାରିବ। ୫-ଟି ଆଧାରରେ ସରକାରଙ୍କ ସଫଳତାର ପ୍ରତିବିମ୍ବକୁ ବଜାୟ ରଖିବା ଏବଂ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାକୁ ଲୋକଲୋଚନକୁ ଆଣିବା ଦିଗରେ ସୂଚନା ଅଧିକାରୀମାନେ ନିରନ୍ତର ଉଦ୍ୟମ ଜାରି ରଖିବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଓ କିଛି ବିଭାଗରେ କାର୍ଯ୍ୟରତ ସୂଚନା ଅଧିକାରୀମାନଙ୍କ କାର୍ଯ୍ୟଧାରାକୁ ଶ୍ରୀ ସେଠୀ ପ୍ରଶଂସା କରିବା ସହ ସମସ୍ତ ସୂଚନା ଅଧିକାରୀ ଅଧିକ ଆଗ୍ରହର ସହିତ ସେମାନଙ୍କ କାର୍ଯ୍ୟଧାରା ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟଧାରାକୁ ଅଧିକ ପ୍ରଭାବୀ କରିବାକୁ ‌ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର