ଭୁବନେଶ୍ବର: ସହରର ବିକାଶରେ ନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ସର୍ବଦା ଲୋକଙ୍କ ସାଥିରେ ରୁହ, ସେମାନଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦିଅ। ନିଜ ସହରକୁ ଶ୍ରେଷ୍ଠ ସହରରେ ପରିଣତ କରିବା ପାଇଁ ନିଷ୍ଠାର ସହ କାମ କର। ଚଳିତ ପୌର ନିର୍ବାଚନରେ ମହିଳାମାନେ ବହୁ ସଂଖ୍ୟାରେ ଭାଗ ନେଇ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିବା ସହ ଅଭିନନ୍ଦନ ଜଣାଇଥିଲେ। ପରାମର୍ଶ ଦେଇ କହିଥିଲେ ଯେ, ଭଲ କାମ କରି ଲୋକଙ୍କ ଆସ୍ଥା ବଜାୟ ରଖ। ସହରାଞ୍ଚଳ ବିକାଶରେ ଆସିଥିବା ରୂପାନ୍ତରରେ ୫ଟି ନିୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ ୫ଟି ନିୟମକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଅ। ନୂଆ ନେତୃତ୍ୱ ଓ ନୂଆ ପରିଚାଳନା କୌଶଳ ପୌର ସେବାକୁ ନୂତନ ଶିଖରରେ ପହଞ୍ଚାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ଆଜି ଲୋକସେବା ଭବନରେ ନବନିର୍ବାଚିତ ମେୟର, ପୌରାଧ୍ୟକ୍ଷମାନଙ୍କ ପାଇଁ ଆୟୋଜିତ ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି ଶୀର୍ଷକ କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି କହିଛନ୍ତି ଯେ, ସହରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ହାସଲ କରିଛି। ଜାଗା ମିସନ ଭଳି ଯୋଜନା ବିକାଶମୁଖୀ ଦେଶମାନଙ୍କ ପାଇଁ ଏକ ମଡେଲ୍ ହୋଇଛି। ବସ୍ତି ବିକାଶ ସମୟରେ ରାଜ୍ୟ ସରକାର ଜମି ଅପେକ୍ଷା ଲୋକଙ୍କୁ ଅଧିକ ଗୁରୁତ୍ୱ ଦେଇ ଜାଗା ମିଶନ ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ୧.୭୫ଲକ୍ଷ ପରିବାରକୁ ଭୂମି ଅଧିକାର ଦିଆଯାଇଥିବାବେଳ ୫୮୫ଟି ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଇଛି।
ସେହିପରି ଟ୍ୟାପ୍ରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ କରିବାକୁ ‘ସୁଜଳ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶରେ ଏକମାତ୍ର ରାଜ୍ୟ ହୋଇଛି। ଏହି କାର୍ଯ୍ୟକ୍ରମରେ ପୁରୀରେ ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବାବେଳ ରାଜ୍ୟର ୨୦ଟି ସହରରେ ଏଥିପାଇଁ କାମ ଚାଲିଛି। ଏହାବାଦ୍ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଭିଡ ସମୟରେ ସହରର ଗରିବ ଲୋକ ଓ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆରମ୍ଭ ହୋଇଥିବା ମୁକ୍ତା ଯୋଜନା ଜାରି ରହିବ ଓ ଏଥିପାଇଁ ବଜେଟରେ ୫୦୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପରିମଳ ବ୍ୟବସ୍ଥା ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସ୍ବଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ବ େଦବାକୁ କହିଥିଲେ। ଏହାସହ କିପରି ଆହାର ଏବେ ଲୋକପ୍ରିୟ ହୋଇଛି ଏବଂ ସବୁ ସହରରେ ସ୍ମାର୍ଟ ଏଲ୍ଇଡି ଜରିଆରେ କମ୍ ଖର୍ଚ୍ଚରେ ଉଜ୍ଜ୍ବଳ ଆଲୋକ ପହଞ୍ଚୁଛି ସେ ବିଷୟରେ କହିଥିଲେ।
ଏହି କର୍ମଶାଳାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରଖିବା ପାଇଁ ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍, ପୌର ନିର୍ଦେଶକ ସଂଗ୍ରାମଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।