ନୂଆ ପରିବାରରେ ‘ମାଖନା’; ଥୟ ହେଲା, ବାଲି ଖେଳିଲା

ଅନୁଗୁଳ : ଥୟ ହୋଇଛି ରକ୍ତମୁଖା ‘ମାଖନା’। ନରମ ହୋଇଛି ହିଂସ୍ର ସ୍ବଭାବ। ପଥଚାରୀଙ୍କୁ ସାମ୍ନାରେ ପାଇ ଛାଡ଼ି ଦେଇଛି। ଜଙ୍ଗଲରେ ଶୁଣ୍ଢ ଟେକି ବାଲି ଖେଳିଛି। ଶନିବାର ଦିନ ସକାଳୁ ସକାଳୁ ଅନୁଗୁଳ ବନଖଣ୍ଡରେ ତାଣ୍ଡବ ରଚିଥିବା ହାତୀର ୨୪ଘଣ୍ଟାରେ ଏ ପ୍ରକାର ପରିବର୍ତ୍ତନ କେବଳ ଜଙ୍ଗଲ ବିଭାଗକୁ ନୁହେଁ, ବରଂ ଆଖପାଖ ଅଞ୍ଚଳବାସୀଙ୍କୁ ଆଶ୍ବସ୍ତ କରିଛି।

କେବଳ ସେତିକି ନୁହେଁ, ଅନୁଗୁଳରେ ୨୫ଟିକିଆ ହାତୀ ମେଳରୁ ଏ ନରହନ୍ତା ମାଖନା ଗୋଠଛଡ଼ା ହେବାପରେ ହିନ୍ଦୋଳ ବନାଞ୍ଚଳରେ ତାକୁ ନୂଆ ଗୋଠ ମିଳିଛି। ଢେଙ୍କାନାଳ ବନଖଣ୍ଡରେ ଥିବା ୧୫ଟିକିଆ ହାତୀପଲ ରକ୍ତମୁଖା ମାଖନାକୁ କୋଳେଇ ନେଇଥିବା ଜଣାପଡ଼ିଛି। ଯଦିଓ, ନରହନ୍ତାର ନୂଆ ଠିକଣା ବନ ବିଭାଗକୁ ଆଶ୍ବସ୍ତ କରିଛି, କିନ୍ତୁ ବିପଦର ଆଶଙ୍କା ରହିଛି। ଏ ନରହନ୍ତା ହାତୀ କେତେବେଳେ ଯେ ୟୁ-ଟର୍ଣ୍ଣ ନେବ ତାହା ଆକଳନ କରିବା ସମ୍ଭବ ନୁହେଁ। ତେଣୁ ଢେଙ୍କାନାଳ ବନଖଣ୍ଡ ହାତୀ ଉପରେ ତୀକ୍ଷ୍ମ ନଜର ରଖିଥିବା ବେଳେ ଗତକାଲିର ତାଣ୍ଡବକୁ ନେଇ ହିନ୍ଦୋଳ ବନାଞ୍ଚଳର ଲୋକେ ଭୟରେ କାଳତିପାତ କରୁଛନ୍ତି।


ବନ ବିଭାଗ ସୂଚନା ମୁତାବକ, ଶନିବାର ଅନୁଗୁଳ ଓ ବଅଁରପାଳ ବ୍ଲକ୍‌ର ୪ ଗାଁରୁ ୪ ଜଣଙ୍କୁ ହତ୍ୟା କଲା ପରେ ହାତୀ ଗଣ୍ଠିଗାଡ଼ିଆରେ ରହିଥିଲା। ହାତୀ ଧୀରେଧୀରେ ପାଇକ ପୁରୁଣାକୋଟ୍‌ ଆଡ଼କୁ ମୁହାଁଇଥିଲା। ତା’ପରେ ହାତୀ ଯାଇଥିଲା କର୍ଣ୍ଣପୁର ଜଙ୍ଗଲକୁ। ରିପୋର୍ଟ ଲେଖାଯିବା ସୁଦ୍ଧା ଏ ନରହନ୍ତା ହାତୀ ଏବେ ଢେଙ୍କାନାଳ ବନଖଣ୍ଡର ତର୍କାବେଡ଼ା ଗ୍ରାମ୍ୟ ଜଙ୍ଗଲରେ ଅଛି। ହାତୀର ଗତିବିଧି ଉପରେ ବନ ବିଭାଗ ଅନୁଧ୍ୟାନ କରିଥିଲା। ଗତକାଲି ରାତିରେ ହାତୀ ପ୍ରାୟ ୩୦କିଲୋମିଟର ରାସ୍ତା ଅତିକ୍ରମ କରିଥିଲା। ସାଧାରଣତଃ ହାତୀର ଚଳାଚଳ ପାହାନ୍ତା ସମୟରେ ଏବଂ ସନ୍ଧ୍ୟା ସମୟରେ ଅଧିକ ଥାଏ। ତେଣୁ, ପାହାନ୍ତିଆ ଚାଲିଲା ପରେ ଦିନଯାକ ଜଙ୍ଗଲ ଭିତରେ ରହିଥିଲା। ଗତକାଲି ଅନୁଗୁଳରୁ ଢେଙ୍କାନାଳ ବନଖଣ୍ଡ ସୀମା ଡେଇଁଲା ପରେ ଅନୁଗୁଳ ବନଖଣ୍ଡର ବୋଝ ହାଲ୍‌କା ହୋଇଥିଲା।

ଢେଙ୍କାନାଳ ବନଖଣ୍ଡ ହାତୀକୁ ଟ୍ରାକ୍‌ କରିବା ଆରମ୍ଭ କରିଥିଲା। ଗତକାଲି ସନ୍ଧ୍ୟାରେ ଦୁଇ ଜଣ ଶ୍ରମିକ ଟାଟା ଷ୍ଟିଲ୍ କାରଖାନାକୁ ଆସୁଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଥିଲା। କିନ୍ତୁ, ହାତୀର ଆକ୍ରମଣାତ୍ମକ ହେବା ପରିବର୍ତ୍ତେ ଶାନ୍ତ ସ୍ବଭାବ ହୋଇ ନିଜବାଟରେ ଯାଇଥିଲା। ଏମିତିକି, ନିଜ ଶୁଣ୍ଢରେ ବାଲି ଉଡ଼ାଇଥିଲା। ଯାହା ହାତୀର ଉଗ୍ର ସ୍ବଭାବର ପରିବର୍ତ୍ତନ ସଙ୍କେତ ବୋଲି ଢେଙ୍କାନାଳ ବନଖଣ୍ଡ ପକ୍ଷରୁ କୁହାଯାଇଛି। ବନ କର୍ମଚାରୀ ହାତୀକୁ ପିଛା କରିଥିଲେ। ୨୦୦-୩୦୦ମିଟର ଦୂରତାରେ ହାତୀକୁ ନିରୀକ୍ଷଣ କରିଥିଲେ। କିନ୍ତୁ ହାତୀ ବନ ବିଭାଗଠାରୁ ଦୂରେଇ ଯାଇଥିଲା ବୋଲି ବନ ବିଭାଗ ସୂତ୍ରରୁ ସ୍ପଷ୍ଟ ହୋଇଛି। ଏ ସବୁ ସଙ୍କେତ ହାତୀର ଶାନ୍ତ ମାନସିକତାକୁ ସୂଚାଇ ଦେଉଥିବା କୁହାଯାଉଛି।

ଅନ୍ୟପକ୍ଷରେ, ଅନୁଗୁଳ ବନଖଣ୍ଡରେ ଦୁଇ ଘଣ୍ଟାରେ ଚାରି ଚାରିଟା ଲୋକଙ୍କ ଜୀବନ ନେଇଥିବା ହାତୀକୁ ନିଜ ଗାଁ ପାଖରେ ଥିବା ଜାଣି ସ୍ଥାନୀୟ ଲୋକେ ବେଶ୍ ଭୟଭୀତ ହୋଇଛନ୍ତି। ଘରେ ତାଡ଼ି କବାଟ ଦେଇ ରହିଲେଣି। ତେବେ, ଢେଙ୍କାନାଳ ଡିଏଫ୍‌ଓ ପ୍ରକାଶ ଚାନ୍ଦ ଗୋଗିନେମୀ ହାତୀକୁ ନେଇ ଲୋକଙ୍କୁ ନିର୍ଭୟବାଣୀ ଦେଇଛନ୍ତି।

ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଏହି ମୃତକଙ୍କ ପରିବାରକୁ ଭେଟି ସାନ୍ତ୍ବନା ଜଣାଇବା ସହ ସେମାନଙ୍କ ପରିବାରକୁ ଅଧିକ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର