ଭୁବନେଶ୍ୱର : ସହରକୁ କାମ ପାଇଁ ଆସି ବାସଗୃହ ପାଇଁ ହଇରାଣ ହରକତ ହେଉଥିବା ଶ୍ରମିକଙ୍କ ପାଇଁ ସୁଖବର। ରାଜ୍ୟର ୧୦ଟି ବଡ଼ ସହରରେ ୨୧ଟି ସୁଲଭ ଭଡ଼ା ଗୃହ ପୁଞ୍ଜ ବା ରେଣ୍ଟାଲ୍ ହାଇସିଂ କମ୍ପ୍ଲେକ୍ସ ନିର୍ମାଣ ଆରମ୍ଭ ହେବାକୁ ଯାଉଛି। ବାସଗୃହ ପାଉନଥିବା ଶ୍ରମିକଙ୍କୁ ସୁଲଭ ମୂଲ୍ୟରେ ଏଭଳି ଗୃହ ଭଡ଼ାରେ ଦିଆଯିବ।
ମଙ୍ଗଳବାର ଦିନ ସଚିବାଳୟରେ ନିର୍ମାଣ ଶ୍ରମିକ ମଙ୍ଗଳ ଯୋଜନାର କାର୍ଯ୍ୟାନ୍ଵୟନ ନେଇ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭିଡିଓ କନ୍ଫରେନ୍ସିଂ କାଳରେ ଏ ନେଇ ସୂଚନା ମିଳିଥିଲା। ସୁଲଭ ଭଡ଼ାଗୃହ କାର୍ଯ୍ୟକ୍ରମର ସମୀକ୍ଷା ବେଳେ ଜଣାପଡ଼ିଛି, ଭୁବନେଶ୍ୱରରେ ୩ଟି, ରାଉରକେଲାର ୩ଟି, କଟକର ୨ଟି, ବ୍ରହ୍ମପୁରର ୨ଟି, ସମ୍ବଲପୁରର ୨ଟି, ପାରାଦୀପର ୨ଟି, ଯାଜପୁର ରୋଡ୍ର ୨ଟି, ଅନୁଗୁଳର ୨ଟି, ଝାରସୁଗୁଡ଼ାର ୨ଟି, ଢେଙ୍କାନାଳର ୨ଟି ସ୍ଥାନରେ ସୁଲଭ ଭଡ଼ା ଗୃହ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହାଛଡ଼ା, ଗ୍ରାମାଞ୍ଚଳରେ ୨୩୯୨ଜଣ ବାସଗୃହହୀନ ଶ୍ରମିକ ପରିବାରଙ୍କ ନିମନ୍ତେ ପକ୍କାଘର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି।
ବର୍ତମାନ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅନ୍ଲାଇନ ଯୋଗେ କରାଯାଉଛି। ଏଥିପାଇଁ ଶ୍ରମିକଙ୍କୁ ଶ୍ରମ କାର୍ଯ୍ୟାଳୟକୁ ଆସିବାକୁ ପଡ଼ୁଛି। ଏଣୁ, ପଞ୍ଜୀକରଣ ସାଧାରଣ ସେବା କେନ୍ଦ୍ର(କମନ୍ ସର୍ଭିସ ସେଣ୍ଟର)ଗୁଡ଼ିକରେ କରାଯିବା କେତେଦୂର ସମ୍ଭବ ଏବଂ ସହଜ ହେବ ସେ ନେଇ ବାସ୍ତବ କ୍ଷେତ୍ର ଜନିତ ସ୍ଥିତି ଜଣାଇବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ, ବର୍ତମାନ ସୁଦ୍ଧା ରାଜ୍ୟରେ ୨୨ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକରଣ କରାଯାଇଛି। ସେମାନଙ୍କ ମଧ୍ୟରୁ ଅସୁବିଧାରେ ପଡ଼ିଥିବା ୬୦୩୨୩ ଜଣଙ୍କୁ ବିଭିନ୍ନ ସହାୟତା ଯୋଗାଇଦେବା ବାବଦରେ ପ୍ରାୟ ୨୭.୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଶ୍ରମ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ କ୍ଷମତାର ବିକେନ୍ଦ୍ରୀକରଣ ସଂପର୍କିତ ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/huse-copy.jpg)