ପୁରୀ: ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଭାରା ବାନ୍ଧିବାକୁ ଲୁହାପାଇପ୍ ଓ ଅନ୍ୟାନ୍ୟ ସରଞ୍ଜାମ ପ୍ରସ୍ତୁତ ରଖିଛି। ଦୁଇ ତିନିଦିନ ଭିତରେ ଭାରାବନ୍ଧା କାମ ସରିବା ପରେ ଡି ପ୍ଲାଷ୍ଟରିଂ (ଚୁନଛଡ଼ା) କାମ ଆରମ୍ଭ ହେବ। ଏହା ପରେ ଛାତ ଓ କାନ୍ଥର ପଥର ଯୋଡ଼େଇ (ଗ୍ରାଉଟିଂ), ପଥର ଓ ବିମ୍ ପରିବର୍ତ୍ତନ ଆଦି କାମ ହେବ। ରତ୍ନଭଣ୍ଡାର ଭିତର ପାର୍ଶ୍ବ ମରାମତି କାମ ଶେଷ ପରେ ବାହାର ପାର୍ଶ୍ବ ମରାମତି କାମ ଆରମ୍ଭ ହେବ। ତିନି ମାସ ଭିତରେ ରତ୍ନଭଣ୍ଡାର ମରାମତି କାମ ସାରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଲକ୍ଷ୍ୟ ରଖିଛି।
ଶ୍ରୀମନ୍ଦିର ଛତିଶାନିଯୋଗର ନିଷ୍ପତ୍ତି ଅନୁଯାୟୀ, ଦ୍ବିତୀୟ ଭୋଗମଣ୍ଡପ ଶେଷ ଓ ଭୋଗ ବାହାରିବା ପରେ ପରବର୍ତ୍ତୀ ନୀତିକାନ୍ତି ବନ୍ଦ ରହିବ। ଏହା ପରେ ଏଏସଆଇର ବୈଷୟିକ ଦଳ ମରାମତି ପାଇଁ ରତ୍ନଭଣ୍ଡାରରେ ପ୍ରବେଶ କରିବେ। ଆପାତତଃ ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ଣ ୧ଟା ଭିତରେ ଏଏସ୍ଆଇ ବୈଷୟିକ ଦଳ ପ୍ରବେଶ କରିବେ। ପ୍ରଥମ ଦିନରେ ଏଏସ୍ଆଇ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ, ଉପଅଧୀକ୍ଷକ ଚିତ୍ତରଞ୍ଜନ ଦାସ, ବରିଷ୍ଠ ସଂରକ୍ଷକ ଦେବେନ୍ଦ୍ର ପ୍ରଧାନ, ସହକାରୀ ସଂରକ୍ଷକ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନେଇ ଏକ ଦଳ ରତ୍ନଭଣ୍ଡାରରେ ପ୍ରବେଶ କରିବେ। ଉପଅଧୀକ୍ଷକ ଶ୍ରୀ ଦାସ ରତ୍ନଭଣ୍ଡାର ମରାମତିର ନେତୃତ୍ବ ନେବେ। ସେହିଭଳି ଭାରାବନ୍ଧା ପାଇଁ ଆବଶ୍ୟକ କୁଶଳୀ ଶ୍ରମିକ ମଧ୍ୟ ରତ୍ନଭଣ୍ଡାରରେ ପ୍ରବେଶ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଏଏସ୍ଆଇ ସମସ୍ତ ମରାମତି କାମ ସଂପୂର୍ଣ୍ଣ କରିବ। ପୂର୍ବରୁ ଜିପିଏସ୍ରେ କେଉଁ ଜାଗାରେ କେତେ ପରିମାଣର ଫାଟ ଓ ଅନ୍ୟାନ୍ୟ ତ୍ରୁଟି ରହିଛି, ତାହା ସ୍ପଷ୍ଟ ହୋଇସାରିଛି। ସେହି ଅନୁସାରେ ଆବଶ୍ୟକ ମରାମତି କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2023/11/ratna-bhandara-20323.jpg)