ନିରାକାରପୁର : ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଛଣଗିରି ଓ ହଜ ଛକ ମଧ୍ୟବର୍ତୀ ଅଂଚଳର ନୂଆ ଜଗନ୍ନାଥ ସଡ଼କ ଉପରେ ଥିବା ମଲାଗୁଣୀ ସେତୁଟି ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏହାର ପାର୍ଶ୍ବ ବାଡ଼ ସବୁ ଭାଙ୍ଗିରୁଜି ଯାଇଥିବାବେଳେ ଅନାବନା ଗଛର ଚେର ମାଡ଼ିଥିବା କାରଣରୁ ସେତୁଟି କୌଣସି ମୁହୂର୍ତ୍ତରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ପୁରୀରୁ ନୟାଗଡ଼ ଦେଇ ପଶ୍ଚିମ ଓଡ଼ିଶାବାସୀଙ୍କ ଗମନାଗମନର ସୁବିଧା ପାଇଁ ବିଭାଗ ପକ୍ଷରୁ କୋଟିଏରୁ ଅଧିକ ଟଙ୍କା ବିନିମୟରେ ଆଜିକୁ ୨୦ ବର୍ଷ ତଳେ ଏହି ସେତୁଟି ନିର୍ମିତ ହୋଇଥିଲା। ଦୈନିକ ଉକ୍ତ ସେତୁ ଉପରେ ଶହଶହ ସଂଖ୍ୟାରେ ବାଇକ୍ଠାରୁ ଆରମ୍ଭ କରି ବସ୍, ବାଲି, ପଥର, ମୋରମ ବୋଝେଇ ଟ୍ରକ୍ ଓ ଟ୍ରାକ୍ଟର ମଧ୍ୟ ଯାତାୟାତ କରିଥାଏ। ତେବେ ଉପଯୁକ୍ତ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ସେତୁଟିର ସ୍ଥାୟୀତ୍ୱକୁ ନେଇ ଏବେ ପ୍ରଶ୍ନ ଉପୁଜିଛି। କ୍ରମଶଃ ସେତୁଟିର ପାର୍ଶ୍ବ ବାଡ଼ ସବୁ ଭାଙ୍ଗିରୁଜି ଗଲାଣି। ପୋଲ ଭିତରପଟ ଛାତରୁ ମଧ୍ୟ ସ୍ଥାନେ ସ୍ଥାନେ କଂକ୍ରିଟ୍ ଖଣ୍ତ ଛାଡ଼ି ଲୁହାଛଡ଼ ଦେଖାଗଲାଣି। ମୁଖ୍ୟ ସ୍ତମ୍ଭଗୁଡ଼ିକରୁ ମଧ୍ୟ କଂକ୍ରିଟ୍ ଖସୁଛି। ବେଳହୁଁ ସାବଧାନ ନ ହେଲେ ଆକସ୍ମିକ ଧନଜୀବନ ହାନି ନ ହେବା କଥା କହି ହେବନାହିଁ। ଖାଲି ସେତିକି ନୁହେଁ ଦିନତମାମ୍ ଏହି ସେତୁର ଚାରିପାଖାରୁ ବେଆଇନ୍ ବାଲି ଉଠାଣ ମଧ୍ୟ ସେତୁ ପ୍ରତି ବିପଦ ସୃଷ୍ଟି କରିଛି। ହଜାର ହଜାର ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଭାଗୀୟ ଅଧିକାରୀ କିଛି ଅଘଟଣ ଘଟିବା ଆଗରୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/malaguni-setu.jpg)