୨୦୨୪ ମସିହା ସୁଦ୍ଧା କାର୍ଯ୍ୟକ୍ଷମ ହେବ ମାଲାକାନଗିର ଏୟାରପୋର୍ଟ

ମୋ ହସ୍ପିଟାଲ ଯୋଜନାରେ ସାମଲି ହେବ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ 

ମାଲକାନଗିରି: ମାଲକାନଗିରି ଦୁଇ ଦିନିଆ ଗସ୍ତରେ ଆସିଥିବ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଆଜି ଦ୍ବିତୀୟ ଦିନରେ ମାଲକାନଗିରି ଓ କାଲିମେଳା ବ୍ଲକ ଗସ୍ତ କରିଛନ୍ତି। ଏଥିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଆଜି ସକାଳୁ ୫-ଟି ସଚିବ ମାଲାକନଗିରି ସହର ଠାରୁ ୬ କିଲୋମିଟର ଦୂର କୋଟେଲଗୁଡା ଠାରେ ନିର୍ମାଣ ଚାଲିଥିବା ଏୟାରଷ୍ଟ୍ରିପକୁ ଯାଇଥିଲେ। ଏୟାରଷ୍ଟ୍ରିପର ପାଚେରୀ କେତେ ଦୂର ଶେଷ ହୋଇଛି, ମାଟି ପକାଇବା କାମ ଓ ରନ‌‌ୱେ କାମ ଆରମ୍ଭ କରିବା ବିଷୟରେ ତଦାରଖ କରିଥିଲେ। ଟର୍ମିନାଲ ବିଲଡିଂ ଓ ଗେଷ୍ଟହାଉସ୍ ଗୃହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବୁଲି ଦେଖିଥିଲେ। ସେଠାରେ କ’ଣ ସୁବିଧା ରହିବ ଓ ସୁରକ୍ଷା ବ୍ୟବସ୍ଥା କ’ଣ ରହିବ ସେ ନେଇ ପଚାରିବୁଝିଥିଲେ। ମାଲକାନଗିରି ଏୟାରଷ୍ଟ୍ରିପର ଲମ୍ବା ୩୦୦୦ ମିଟର ରହିଥିବା ବେଳେ ଓସାର ୩୧୫ ମିଟର ରହିଛି, ମୋଟ ୯୪.୫୩୩ ହେକ୍ଟର ଜମି ରହିଛି।

ପାଚେରୀ ଚାରିପଟ ପାଖାପାଖି ୬୬୩୦ ମିଟର ରହିଥିବା ବେଳେ ସେଥିରୁ ୩୫୦୦ ମିଟର କାର୍ଯ୍ୟ ଶେଷ ହୋଇଛି, ବଳକା ୩୧୩୦ ମିଟର କାର୍ଯ୍ୟ ଆସନ୍ତା ୨ ମାସ ସୁଧା ଶେଷ ହୋଇଯିବ। ଏଥିସହ ରନୱେ ନିର୍ମାଣ ପାଇଁ ମାଟି ପାଇବା ସହ ଅନ୍ୟାନ୍ୟ କାର୍ଯ୍ୟ ସେପ୍ଟମ୍ବର ମାସ ସୁଦ୍ଧା ଶେଷ ହେବ। ଟର୍ମିନାଲ ବିଲଡିଂରେ ଯାତ୍ରୀ ଅପେକ୍ଷା ଗୃହ, ସାମଗ୍ରୀ ଯାଞ୍ଚ ଗୃହ, ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ସହ ବିଭିନ୍ନ ଗୃହ ନିର୍ମାଣ କରାଯିବ। ଗେଷ୍ଟ ରୁମ ଠାରେ ୨ଟି ସ୍ବତନ୍ତ୍ର କୋଠରୀ ସହ ଲିଭିଙ୍ଗ୍ ରୁମ୍‌, ଡାଇନିଙ୍ଗ୍ ହଲ୍, ରୋଷେଇ ଗୃହ, ଶୌଚାଳୟ ଓ ଗାଡି ପାର୍କିଂ ସୁବିଧା ରହିବ। ଆସନ୍ତା ଅଗଷ୍ଟ ମାସ ୩୦ ତାରିଖ ସୁଦ୍ଧା ଗେଷ୍ଟ ରୁମ୍ ଓ ଟର୍ମିନାଲ ବିଲଡିଂ କାର୍ଯ୍ୟ ଶେଷ ହୋଇଯିବ ବୋଲି ଆଶା ରହିଛି। ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍ ଓ ଅଧିକାରୀ ସହ ଆଲୋଚନା ପରେ କାର୍ଯ୍ୟକୁ ତ୍ବରାନିତ କରି ଚଳିତବର୍ଷ ଶେଷ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦ୍ବାରା ୨୦୨୪ ମସିହା ଜାନୁଆରୀ ମାସରେ ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କହିଛନ୍ତି।

୫-ଟି ସଚିବ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସେ ବର୍ହିଃବିଭାଗରେ ରୋଗୀଙ୍କ ନାମ ପଞ୍ଜିକରଣ, ଅପେକ୍ଷାଗୃହର ଉନ୍ନତିକରଣ କାର୍ଯ୍ୟ ଓ ପିଲାମା‌ନେ ଖେଳିବା ପାଇଁ ରହିଥିବା ସ୍ଥାନ ଆଦି ବୁଲି ଦେଖିଥିଲେ। ଚିକିତ୍ସାଳୟରେ ନୂତନ ରକ୍ତଭଣ୍ଡାର କୋଠା, ଔଷଧ ଗୋଦାମ ଗୃହ, ରୋଗୀ ସମ୍ପର୍କୀୟ ରହିବା ଗୃହ, ୫୦ ବେଡ୍ ବିଶିଷ୍ଟ କ୍ରିଟିକାଲ କେୟାର ଗୃହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିଷରେ ପଚାରି ବୁଝିଥିଲେ। ଚିକିତ୍ସାଳୟ ସଫେଇ ଓ ପରିଚାଳନାକୁ ଗୁରୁତ୍ବ ଦେଇ ପ୍ରଶଂସା କରିଥିଲେ। କ୍ରମାଗତ ଭାବ‌େ କାୟାକଳ୍ପ ପୁରସ୍କାର ପାଇଥିବା ଯୋଗୁଁ ସ୍ବତନ୍ତ୍ର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୋ ହସ୍ପିଟାଲ ଅଧିନରେ ନିଆଯିବ ବୋଲି କହିଥିଲେ। ଏହା ଦ୍ବାରା ଚିକିତ୍ସାଳୟର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ହୋଇପାରିବ। ଏଥିସହ ସିଟି ସ୍କାନ ମେସିନ ଜାପାନରୁ ଆସୁଥିବା ବେଳେ ତାହା ଏପ୍ରିଲ ମାସରେ ଚିକିତ୍ସାଳୟରେ ପହଞ୍ଚିଯିବ ବୋଲି ସଡିଏମ୍ଓ କହିଥିଲେ। ଚିକିତ୍ସାଳୟରେ ୨ଟି ଶବ ବାହକ ଗାଡିର ଆବଶ୍ୟକତା ଓ ବିଏଲ୍ଏସ୍‌ ଓ ଏଏଲସ୍‌ ଆମ୍ବୁଲାନ୍ସରେ ରୋଗୀ ନେଲେ କିଲୋମିଟର ପିଛା ଖର୍ଚ୍ଚ ଦେବାକୁ ପଡୁଥିବା ବେଳେ ତାହାକୁ ଦେୟ ଛାଡ କରିବା, ଡାକ୍ତର ପଦୀବ ପୂରଣ ପାଇଁ ସିଡିଏମଓ ଡା. ପ୍ରଫୁଲ କୁମାର ନନ୍ଦ ଓ ଏଡିଏମଓ ଡା ଅନୀଲ କୁମାର ମିଶ୍ର କହିଥିଲେ।

ସେ ସତୀଗୁଡା ଠାରେ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଇକୋ ପାର୍କ, କଟେଜ୍ ଓ ଭ୍ୟୁ ପଏଣ୍ଟ ବୁଲି ଦେଖିଥିଲେ। ଇକୋ ପାର୍କର ରକ୍ଷଣାବେକ୍ଷଣକୁ ନେଇ ସେ ବନକର୍ମଚାରୀଙ୍କୁ ପ୍ରଂଶସା କରିଥିଲେ। ସେଠାରେ ଥିବା ଆଇରଲାଣ୍ଡ ପର୍ଯ୍ୟନ୍ତ ଗ୍ଲାସ ବ୍ରିଜ ନିର୍ମାଣ, ଫ୍ଲେଟିଙ୍ଗ୍ ଜେଟି, ହାଇ ସ୍ପିଡ୍‌ ବୋଟ ରଖିବା, ଜିପ୍‌ ଲାଇନଙ୍ଗ୍ ତିଆରି କରିବା ସହ ଦୁଃସାହସିକ କ୍ରିଡା କରିବା ଆଦି ବିଷୟରେ ଆଲୋଚନା କରିଥିଲେ। ସେହି ସ୍ଥାନରେ ପର୍ଯ୍ୟଟନର ବିକାଶ ପାଇଁ କ’ଣ ନୂତନ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଏକ ପ୍ରସ୍ତାବ ଦାଖଲ କରିବା ପାଇଁ ବନଖଣ୍ଡର ଅଧିକାରୀଙ୍କୁ କହିଥିଲେ। ଇକୋ ପାର୍କକୁ ଯିବା ପାଇଁ ରହିଥିବା ଆପ୍ରୋଚ ରାସ୍ତା ଖରାପ ରହିଥିବା ବେଳେ ତାହାର ନବୀକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ସେ ମାଲକାନଗିରିର ମଲିକେଶ୍ୱର ମନ୍ଦିର ପରିଦର୍ଶନ କରି ମନ୍ଦିରରେ ପ୍ରାର୍ଥନା କରିଥିଲେ ଏବଂ ପରବର୍ତ୍ତୀ ବିକାଶ ପାଇଁ ମନ୍ଦିର କମିଟି ସଦସ୍ୟଙ୍କ ସହ ଯୋଗାଯୋଗ କରିଥିଲେ। ମନ୍ଦିର ତଳୁ ଉପରୁ ଗାଡି ଯିବା ପାଇଁ ରାସ୍ତା ନିର୍ମାଣ, ଭିଉ ପଏଣ୍ଟ କରିବା, ମନ୍ଦିରର ଉନ୍ନତିକରଣ ବିଷୟରେ ଆଲୋଚନା କରିଥିଲେ। ତାହାର ଚାରି ଦିଗରେ ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତି ପାଇଁ ଏକ ଡିପିଆର ପ୍ରସ୍ତୁତ କରି ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅପରାହ୍ନରେ ସେ ଜିଲ୍ଲା ପାଠାଗାର ଠାରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ଲୋକ ଭେଟି ଦାବି ଜଣାଇଥିଲେ। ସଚିବଙ୍କ ସହ କ୍ରିଡା ଓ ଯୁବ ବ୍ୟାପାର ବିଭାଗ ସଚିବ ଭିନିଲ କ୍ରିଷ୍ଣା, ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ, ଡିଆଇଜି ରାଜେଶ ପଣ୍ଡିତ, ଏସପି ନିତେଶ ୱାଧୱାନୀ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର