ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଘାରଛି ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଚିନ୍ତା। ଏବେ ରାଜ୍ୟର ବହୁ ଜିଲ୍ଲାରେ ଡାଇରିଆ ଆତଙ୍କ ସୃଷ୍ଟି କରିଥିବା ବେଳେ ବର୍ଷା ଋତୁରେ କୀଟବାହିତ ରୋଗ ସମାନ ବିପଦ ଡାକି ଆଣିପାରେ। ବିଶେଷ କରି ଖରା ଛୁଟି ପରେ ସ୍କୁଲ ଖୋଲିବାକୁ ଯାଉଥିବାରୁ ଆଦିବାସୀ ଆବାସିକ ବିଦ୍ୟାଳୟଗୁଡ଼ିକରେ କୀଟ ଓ ଜଳବାହିତ ରୋଗ ନିୟନ୍ତ୍ରଣ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ଏହାସହ ରାଜ୍ୟବ୍ୟାପୀ କୀଟବାହିତ ରୋଗ ନିୟନ୍ତ୍ରଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଦୁଇଟି ପତ୍ର ଲେଖିଛନ୍ତି।
ଆଦିବାସୀ ଆବାସିକ ବିଦ୍ୟାଳୟରେ ରୋଗ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ
ସ୍କୁଲ ଖୋଲିବାର ୭ଦିନ ଭିତରେ ମ୍ୟାଲେରିଆ ସ୍କ୍ରିନିଂ
ରାଜ୍ୟବ୍ୟାପୀ କୀଟବାହିତ ରୋଗ ନିୟନ୍ତ୍ରଣ ଉପରେ ଗୁରୁତ୍ବ
ଜିଲ୍ଲାପାଳ, ମ୍ୟୁନିସିପାଲ କମିସନରଙ୍କୁ ସ୍ବାସ୍ଥ୍ୟ ସଚିବଙ୍କ ପତ୍ର
ଦୀର୍ଘଦିନ ପରେ ସ୍କୁଲ ଖୋଲୁଛି। ସ୍କୁଲ ବନ୍ଦ ଥିବାରୁ ସେଠାକାର ପରିବେଶରେ ଛାତ୍ରଛାତ୍ରୀଙ୍କଠାରେ ମ୍ୟାଲେରିଆ, ଡେଙ୍ଗୁ ଓ ଚିକୁନଗୁନିଆ ସହ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ଆବାସିକ ସ୍କୁଲଗୁଡ଼ିକରେ ଉପଯୁକ୍ତ ପରିମଳ ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ସ୍କୁଲ ଖୋଲିବାର ୭ଦିନ ଭିତରେ ଛାତ୍ରଛାତ୍ରୀଙ୍କଠାରେ ମ୍ୟାଲେରିଆ ସ୍କ୍ରିନିଂ କରିବା ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉ। ମଶାବଂଶ ବୃଦ୍ଧିକୁ ରୋକିବା, ମଶା ନିରୋଧୀ ଶ୍ରେଣୀ ଗୃହ ଓ ହଷ୍ଟେଲ ସହ ଦୀର୍ଘସ୍ଥାୟୀ ଔଷଧୀୟ ମଶାରିର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉ। ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସହ ଯେପରି ଉପଯୁକ୍ତ ବର୍ଜ୍ୟ ପରିଚାଳନା ହୋଇପାରିବ, ତାହା ଉପରେ ଧ୍ୟାନ ଦିଆଯାଉ। ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଭିଭାବକଙ୍କୁ ଜଳ ଓ କୀଟବାହିତ ରୋଗ ନିୟନ୍ତ୍ରଣ ନେଇ ସଚେତନତା କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।
ସେହିପରି ଅନ୍ୟ ଏକ ପତ୍ରରେ ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ କୀଟବାହିତ ରୋଗ ବ୍ୟାପିଥାଏ। ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟ କୀଟବାହିତ ରୋଗ ଖୁବ୍ କମ୍ ସମୟ ଭିତରେ ପ୍ରାଣଘାତୀ ହୋଇପାରେ। ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଗଲେ ଅଧିକାଂଶ କୀଟବାହିତ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ଏଥିପାଇଁ ନିୟୋଜିତ ହେବାକୁ ଥିବା କର୍ମଚାରୀ, ଡାଏଗ୍ନୋଷ୍ଟିକ୍ କିଟ୍, ଔଷଧ ଓ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି)କୁ ଆଗୁଆ ପ୍ରସ୍ତୁତ ରଖିବାକୁ ପଡ଼ିବ। ଜିଲ୍ଲା-ମ୍ୟୁନିସିପାଲ ସ୍ତରରେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ହେବ। ଗତ ୫ବର୍ଷ ଭିତରେ ଯେଉଁ ସମ୍ବେଦନଶୀଳ ଅଞ୍ଚଳରେ ଏହି ରୋଗ ବ୍ୟାପିଥିଲା, ସେସବୁ ଅଞ୍ଚଳର ମ୍ୟାପିଂ କରିବା ସହ ନିରୀକ୍ଷଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଉ। କୀଟବାହିତ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁକୁ ରୋକିବା ଲାଗି ଉପଯୁକ୍ତ ଟେଷ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଔଷଧ, ଲଜିଷ୍ଟିକ୍, ରକ୍ତ ଉପାଦାନର ଯୋଗାଣ ଶୃଙ୍ଖଳାକୁ ସୁନିଶ୍ଚିତ କରିବା, ଜିଲ୍ଲା-ବ୍ଲକ୍-ସହରାଞ୍ଚଳରେ ଆରଆରଟି ଗଠନ କରି କୌଣସି ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।