ଏମିତି ଚାଲିଛି ମ୍ୟାଲେରିଆ ମୁକାବିଲା: ୫ବର୍ଷ ହେଲା ଖାଲି ପଡ଼ିଛି ଅତିରିକ୍ତ ନିର୍ଦେଶକ ପଦବି

ଭୁବନେଶ୍ବର : ଚଳିତବର୍ଷ ରାଜ୍ୟରେ ମ୍ୟାଲେରିଆ ପୁଣିଥରେ ମୁଣ୍ଡ ଟେକିବା ଆରମ୍ଭ କଲାଣି। ଗତବର୍ଷ ମେ’ ମାସ ତୁଳନାରେ ଚଳିତବର୍ଷ ଆକ୍ରାନ୍ତଙ୍କ ସଂଖ୍ୟାରେ ଶତ ପ୍ରତିଶତ ବୃଦ୍ଧି ହୋଇଛି। ହେଲେ ରାଜ୍ୟରେ ମ୍ୟାଲେରିଆର ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଥିବା କୀଟ ବାହିତ ରୋଗ(ଭିବିଡି)ର ଅତିରିକ୍ତ ନିର୍ଦେଶକ ପଦବି ଗତ ୫ବର୍ଷ ହେଲା ଖାଲି ପଡ଼ିଛି। ଏବେ ଭିବିଡିରେ କେବଳ ଜଣେ ଯୁଗ୍ମ ନିର୍ଦେଶକ ରହିଛନ୍ତି। ଯାହାଫଳ‌ରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ନିୟମିତ ସମୀକ୍ଷା ଓ କ୍ଷେତ୍ରସ୍ତରୀୟ ପରିଦର୍ଶନ କାର୍ଯ୍ୟ ଏକପ୍ରକାର ଧିମେଇ ଯାଇଛି।

ରାଜ୍ୟରେ କୀଟ ବାହିତ ରୋଗ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗରେ ଅତିରିକ୍ତ ନିର୍ଦେଶକ ଓ ଯୁଗ୍ମ ନିର୍ଦେଶକ ପଦବି ରହିଛି। ଅତିରିକ୍ତ ନିର୍ଦେଶକ ପଦବିରେ ଡା.ମଦନ ପ୍ରଧାନ କାର୍ଯ୍ୟ କରୁଥିବା ବେଳେ ୨୦୧୮ ମସିହା ଫେବ୍ରୁଆରି ମାସରେ ତାଙ୍କୁ ପଦୋନ୍ନତି ମିଳିଥିଲା। ସେହି ଦିନଠାରୁ ଅତିରିକ୍ତ ନିର୍ଦେଶକ ପଦବିଟି ଖାଲି ପଡ଼ିଛି। ଅଧିକାଂଶ ସମୟରେ କୌଣସି ଅଧିକାରୀ ଏହାର ଅତିରିକ୍ତ ଦାୟିତ୍ବ ଦିଆଯାଉଛି। ଏହା ଭିତରେ ୫ବର୍ଷରୁ ଅଧିକ ସମୟ ବିତିଗଲାଣି ଅତିରିକ୍ତ ନିର୍ଦେଶକ ପଦବିରେ ସ୍ଥାୟୀଭାବେ କାହାରିକୁ ନିଯୁକ୍ତି ଦିଆଯାଉନାହିଁ। ସ୍ବାସ୍ଥ୍ୟ ବିଭାଗର ଏହା ସଂପୂର୍ଣ୍ଣ ନଜର ଆଢ଼ୁଆଳରେ ରହିଯାଇଛି। ଏହି ପଦବି ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ସେଭଳି ଯୋଗ୍ୟ ଅଧିକାରୀ ନାହାନ୍ତି ନା କିଛି ମନ୍ଦ ଉଦ୍ଦେଶ୍ୟ ରଖି ଏହି ପଦବି ପୂରଣ କରାଯାଉନାହିଁ ତାହାକୁ ନେଇ ଚର୍ଚ୍ଚା ବଢ଼ୁଛି।

ଏହାସହ ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ନିୟମିତଭାବେ ମ୍ୟାଲେରିଆର ସମୀକ୍ଷା କରାଯାଉଥିଲା। ମାତ୍ର ଏବେ ସେହି ସମୀକ୍ଷାର ସ୍ଥିତି ଏବେ କ’ଣ ତାହା ସନ୍ଦେହ ଭିତରେ ରହିଛି। ବିଗତ ୫ବର୍ଷ ହେବ ଓଡ଼ିଶା ମ୍ୟାଲେରିଆ ନିୟନ୍ତ୍ରଣରେ ବେଶ୍‌ ଭଲ କାମ କରିଥିଲା। ଯାହାଫଳରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲା। କିନ୍ତୁ ଚଳିତବର୍ଷ ପୁଣିଥରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଭିବିଡିର ଅତିରିକ୍ତ ନିର୍ଦେଶକ ପଦବି ଖାଲି ପଡ଼ିବ ରାଜ୍ୟ ସରକାରଙ୍କ ମ୍ୟାଲେରିଆ ମୁକାବିଲାର ଆନ୍ତରିକତାକୁ ଦର୍ଶାଉଛି।

ସମ୍ବନ୍ଧିତ ଖବର