ରାଜ୍ୟରେ ସଂପୂର୍ଣ୍ଣ ମ୍ୟାଲେରିଆ ନିରାକରଣ, ସରକାରଙ୍କ ସହ ହାତ ମିଳାଇଲେ ଦୁଇ ସଂସ୍ଥା

ଭୁବନେଶ୍ୱର: ରାଜ୍ୟରୁ ସଂପୂର୍ଣ୍ଣଭାବେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଦୁଇ ସଂସ୍ଥାଙ୍କ ସହିତ ହାତ ମିଳାଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆମେରିକୀୟ ସଂସ୍ଥା ‘ମ୍ୟାଲେରିଆ ନୋ ମୋର’ ଓ ମ୍ୟାଲେରିଆ ନିରାକରଣ ଟ୍ରଷ୍ଟ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ‘ମ୍ୟାଲେରିଆ ନୋ ମୋର’ ଓ ‘ମ୍ୟାଲେରିଆ ନିରାକରଣ ଟ୍ରଷ୍ଟ’ ରାଜ୍ୟରେ ସଂପୂର୍ଣ୍ଣ ମ୍ୟାଲେରିଆ ନିରାକରଣ ଦିଗରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତିରେ ସାହାଯ୍ୟ କରିବେ। ଏହାସହ ଜନସଚେତନତା ପାଇଁ କାର୍ଯ୍ୟାବଳୀ ପ୍ରସ୍ତୁତି, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କ ସହିତ ସମନ୍ଵୟ ରକ୍ଷା କରିବେ ବୋଲି କୁହାଯାଇଛି।

ଏହି ଅବସରରେ ଶ୍ରୀ ଜେନା କହିଲେ, ରାଜ୍ୟରେ ମ୍ୟାଲେରିଆ ନିରାକରଣ ଦିଗରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ‘ଦମନ’ ଯୋଜନାର କାର୍ଯ୍ୟକାରୀ ଫଳରେ ରାଜ୍ୟରୁ ମ୍ୟାଲେରିଆର ପ୍ରକୋପ ୮୪ପ୍ରତିଶତ ହ୍ରାସ ପାଇଛି। ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏଭଳି ସଫଳତା କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛି। ଏହି ଦୁଇ ଟ୍ରଷ୍ଟର ସହଯୋଗରେ ରାଜ୍ୟରୁ ସହଜରେ ମ୍ୟାଲେରିଆ ନିରାକରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।

ସୂଚନା ଯେ, ୨୦୧୪ ମସିହାରେ ରାଜ୍ୟରେ ୩ଲକ୍ଷ ୯୫ହଜାର ବ୍ୟକ୍ତି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରେ ୮୯ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୫ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୪ଲକ୍ଷ ୩୬ହଜାର ୭୯୨ରେ ପହଞ୍ଚିଥିବା ବେଳେ ୮୦ଜଣ ପ୍ରାଣ ହରାଇଥିଲେ। ୨୦୧୬ରେ ୪ଲକ୍ଷ ୪୯ହଜାର ୬୯୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ଜଣ ପ୍ରାଣ ହରାଇଥିବା ବେଳେ ୨୦୧୭ରେ ୩ଲକ୍ଷ ୫୨ହଜାର ୨୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀଭାବେ କୁହାଯାଇଛି। ଚଳିତବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟରେ ୪୧ହଜାର ୯୩୭ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ଜଣଙ୍କର ଏ ପର୍ଯ୍ୟନ୍ତ ମୃତ୍ୟୁ ହୋଇଛି। ‘ଦମନ’ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ୧କୋଟି ୧୩ଲକ୍ଷ ଦୀର୍ଘସ୍ଥାୟୀ ଔଷଧୀୟ ମଶାରୀ ବଣ୍ଟନ କରିବା ସହିତ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରିଥିବା କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୁଝାମଣାପତ୍ର ସ୍ୱାକ୍ଷରତା କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବ୍ରଜ କିଶୋର ବ୍ରହ୍ମା, ମ୍ୟାଲେରିଆ ନୋ ମୋରର ସିଇଓ ମାର୍ଟିନ ଏଡଲଣ୍ଡ ଓ ମ୍ୟାଲେରିଆ ନିରାକରଣ ଟ୍ରଷ୍ଟର ଟ୍ରଷ୍ଟି ଡା.କୌଶିକ ସରକାର ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ସମ୍ବନ୍ଧିତ ଖବର