ଭୁବନେଶ୍ବର: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତବର୍ଷ ଓଡ଼ିଶା ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଏକ ଅଲୋଡ଼ା ରେକର୍ଡ କରିଥିଲା। ଏ ବର୍ଷ ମ୍ୟାଲେରିଆ ନିୟନ୍ତ୍ରଣ ନ ହେଲେ ସ୍ଥିତି ଆହୁରି ଖରାପ ବୋଲି ଅନୁମାନ କରାଯାଉଛି। ମ୍ୟାଲେରିଆ ପାଇଁ ଉଦ୍ଦିଷ୍ଟ ଔଷଧୀୟ ମଶାରି(ଏଲ୍‌ଏଲ୍‌ଆଇଏନ୍‌) କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଦେଇ ନାହାନ୍ତି। କେବେ ସୁଦ୍ଧା ତାହା ସଂପର୍କରେ କେନ୍ଦ୍ରରୁ କୌଣସି ସୂଚନା ଦିଆଯାଉନାହିଁ। ଏଭଳି ପରିସ୍ଥିତିରେ ମ୍ୟାଲେରିଆକୁ କିଭଳି ନିୟନ୍ତ୍ରଣ କରାଯିବ ତାହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।

Advertisment

ଅପରପକ୍ଷରେ ନିକଟରେ ଓମ୍ବାଡ୍‌ସି ପାଣ୍ଠିରେ ୪ଟି ଜିଲ୍ଲା ପାଇଁ ୫୮ଲକ୍ଷ ଔଷଧୀୟ ମଶାରି କିଣାଯାଇଛି। ଏସବୁ ଜିଲ୍ଲାଗୁଡ଼ିକରେ ମ୍ୟାଲେରିଆର ପ୍ରଭାବ କମ୍ ରହିଛି। ତେଣୁ ଓମ୍ବାଡ୍‌ସି ପାଣ୍ଠିରେ ଆସିଥିବା ଔଷଧୀୟ ମଶାରିକୁ ମ୍ୟାଲେରିଆ ପ୍ରବଣ ଦକ୍ଷିର ଓଡ଼ିଶାର ଜିଲ୍ଲାକୁ ପଠାଇବା ଉପରେ ବିଚାରବିମର୍ଶ ଚାଲିଛି। ସରକାରୀସ୍ତରରେ ଏଥିପାଇଁ ଏକ ପ୍ରାରମ୍ଭିକ ଆଲୋଚନା ହୋଇଥିଲା। ମାତ୍ର ବର୍ତ୍ତମାନସୁଦ୍ଧା କୌଣସି ପ୍ରକାର ନିଷ୍ପତ୍ତି ହୋଇପାରିନାହିଁ। ଯେହେତୁ ଏସବୁ ମଶାରୀ ଓମ୍ବାଡ୍‌ସି ପାଣ୍ଠିରେ କିଣାଯାଇଛି, ଏହାକୁ ଅନ୍ୟ ଜିଲ୍ଲାକୁ ପଠାଇଲେ ସମସ୍ୟା ହୋଇପାରେ ବୋଲି ମଧ୍ୟ ମତ ଆସୁଛି। ଔଷଧୀୟ ମଶାରି ବଣ୍ଟନ ଯେତିକି ବିଳମ୍ବ ହେତୁ ଆକ୍ରାନ୍ତଙ୍କ ସଂଖ୍ୟା ସେହି ଅନୁପାତରେ ବଢ଼ି ଚାଲିବ। ତେଣୁ ରାଜ୍ୟ ସରକାର ଏହା ଉପରେ ତୁରନ୍ତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି। ରାଜ୍ୟରେ ୨୦୨୩ ମସିହାରେ ୪୧,୯୭୩ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ୪ଜଣଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷର ଆକ୍ରାନ୍ତଙ୍କ ସଂଖ୍ୟା ୨୦୨୦ ମସିହାର ପରିସଂଖ୍ୟାନକୁ ବି ପଛରେ ପକାଇ ଦେଇଥିଲା। ଚଳିତବର୍ଷ ମେ’ମାସ ସୁଦ୍ଧା ରାଜ୍ୟରେ ୧୨,୩୬୩ ଆକ୍ରାନ୍ତ ଚିହ୍ନଟ ହେବା ସହ ସଂକ୍ରମଣରେ ଓଡ଼ିଶା ଦେଶରେ ପୁନର୍ବାର ଶୀର୍ଷ ସ୍ଥାନରେ ରହିଛି।

ଓଡ଼ିଶା ତଳକୁ ଝାଡ଼ଖଣ୍ଡ ଓ ଛତିଶଗଡ଼ ରହିଛନ୍ତି। ଚଳିତବର୍ଷ ଶେଷ ବେଳକୁ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଗତବର୍ଷ ସଂଖ୍ୟାକୁ ମଧ୍ୟ ଟପିଯାଇପାରେ। ୨୦୨୧ ପରଠାରୁ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଗତବର୍ଷ ହଠାତ୍ ରୋଗୀଙ୍କ ସଂଖ୍ୟା ବଢ଼ିବାକୁ ସରକାରୀସ୍ତରରେ ବିଭିନ୍ନ କାରଣକୁ ଦାୟୀ କରାଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଓମ୍ବାଡ୍‌ସିରେ କିଣାଯାଇଥିବା ଔଷଧୀୟ ମଶାରି ବଣ୍ଟନ ନେଇ ବର୍ତ୍ତମାନସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ। କେନ୍ଦ୍ର ସରକାରଙ୍କୁ ଔଷଧୀୟ ମଶାରି ଯୋଗାଇ ଦେବା ଲାଗି ବାରମ୍ବାର ପତ୍ର ଲେଖାଯାଉଛି। କେନ୍ଦ୍ରରୁ ମଶାରି ଆସିବା ପରେ ତୁରନ୍ତ ବଣ୍ଟନ କରାଯିବ।