ବୌଦ୍ଧ/ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ପୁଣି ମ୍ୟାଲେରିଆ କାୟା ମେଲାଉଥିବା ସ୍ବାସ୍ଥ୍ୟ ବିଭାଗର ତଥ୍ୟରୁ ଜଣାପଡ଼ିଛି। ୨୦୨୦ ମସିହାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ପୂର୍ବାପେକ୍ଷା କମିଥିଲା। ହେଲେ ୨୦୨୪ରେ ବଢ଼ିଛି। ଚଳିତ ବର୍ଷ ଏବେ ସୁଦ୍ଧା ଜିଲ୍ଲାରେ ୮୯୧ ଜଣ ଆକ୍ରାନ୍ତ (ଜଣେ ମୃତ) ଚିହ୍ନଟ ହେଲେଣି। କେବଳ ଜୁଲାଇରେ ୨୯୫ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ହରଭଙ୍ଗା ବ୍ଲକ୍ର ୨୦ ଜଣ ରୋଗୀ ରହିଛନ୍ତି।
ଜିଲ୍ଲାର ମ୍ୟାଲେରିଆପ୍ରବଣ ଅଂଚଳରେ ରୋଗ ନିରାକରଣ ପାଇଁ ‘ଦମନ’ କାର୍ଯ୍ୟକ୍ରମ ସମେତ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଛି। ଗାଁ ଗାଁରେ ମଶାରି ବଣ୍ଟନ ଓ ପ୍ରତି ଘରେ ଡିଡିଟି ସିଞ୍ଚନ କରାଯାଉଛି। ଏ ସବୁ ସତ୍ତ୍ବେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ବିଶେଷକରି ହରଭଙ୍ଗା ବ୍ଲକ୍ର ବୌଦ୍ଧ-ନୟାଗଡ଼ ସୀମାନ୍ତ ଲୁଣ୍ତିରିଝରି, ଚନ୍ଦ୍ରନଗର, ରାକାଡ଼ି, ବେଦାଡ଼ି, ଫାଲଗାଡୁ, ଡମକୁଚ ଆଦି ଗ୍ରାମରୁ ବହୁ ସଂଖ୍ୟାରେ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ଏ ସବୁ ରୋଗୀ ବିଶେଷତଃ ବାଣୀଗୋଛା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଅସ୍ବାସ୍ଥ୍ୟକର ପରିବେଶ ପାଇଁ ପ୍ରତିବର୍ଷ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସ୍ବାସ୍ଥ୍ୟ କର୍ମଚାରୀ କହିଛନ୍ତି।
୨୦୧୫ ମସିହାରେ ଜିଲ୍ଲାରେ ୮ହଜାର ୫୩୧ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୭ରେ ଏହି ସଂଖ୍ୟା ୩ ହଜାର ୪୭୧ ରହିଥିଲା। ୨୦୧୯ରେ ୨୫୨ଜଣ, ୨୦୨୦ରେ ୧୩୩ ଜଣ, ୨୦୨୧ରେ ୧୩୩ ଜଣ (ଜଣେ ମୃତ), ୨୦୨୨ରେ ୨୮୩ ଜଣ ଏବଂ ୨୦୨୩ରେ ୫୧୧ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜିଲ୍ଲାରୁ ମ୍ୟାଲେରିଆ ମୂଳୋତ୍ପାଟନ ପାଇଁ ଦୁର୍ଗମ ଅଂଚଳରେ ରହିଥିବା ଜଳାଶୟଗୁଡ଼ିକରେ ଗାମ୍ବୁସିଆ ମାଛ ଛଡ଼ାଯାଇଥିଲା।
ମାତ୍ର ଚଳିତ ବର୍ଷ ହରଭଙ୍ଗା ବ୍ଲକ୍ରେ ପୁଣି ଅଧିକ ସଂଖ୍ୟାରେ ମ୍ୟାଲେରିଆ ରୋଗୀ ଚିହ୍ନଟ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି। ହରଭଙ୍ଗା ବ୍ଲକ୍ରେ ଜୁଲାଇରେ ୭୦ ଜଣ ବ୍ରେନ୍ ମ୍ୟାଲେରିଆ ରୋଗୀ ଓ ୧୩୦ ଜଣ ଗୁରୁତର ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଡିପିଏଚ୍ଓ ଡା. ମଦନ ମୋହନ ପ୍ରଧାନ କହିଛନ୍ତି, ଲୋକେ ମଶାରି ବ୍ୟବହାର ନକରିବାରୁ ମ୍ୟାଲେରିଆ ବ୍ୟାପୁଛି। ଜୁନ୍ରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ଘଟି ୧୪୫ ରହିଥିଲା। ଚଳିତ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫ରେ ପହଞ୍ଚିଛି। ବାଉଁଶୁଣି ପଞ୍ଚାୟତର ୧୬ଟି ଗାଁ, କଣ୍ଟାମାଳର ୨୦ଟି ଏବଂ ହରଭଙ୍ଗାର ୧୦ଟି ଗାଁକୁ ମ୍ୟାଲେରିଆ ପ୍ରବଣ ଚିହ୍ନଟ କରାଯାଇଛି।