ଭୁବନେଶ୍ବର: ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଅତ୍ୟନ୍ତ ସଙ୍ଗିନ। ଗତ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୫୧,୩୯୮ରେ ପହଞ୍ଚିଗଲାଣି। ୨୦୧୯ ମସିହା ପରେ ଏହା ହେଉଛି ରାଜ୍ୟରେ ସର୍ବାଧିକ ମ୍ୟାଲେରିଆ ସଂକ୍ରମଣ। ଯେଉଁଭଳି ଭାବେ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଚଳିତବର୍ଷ ଶେଷ ବେଳକୁ ଏହି ସଂଖ୍ୟା ଲକ୍ଷେ ଛୁଇଁପାରେ।
ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ୧୦ହଜାର ମ୍ୟାଲେରିଆ ଆକ୍ରାନ୍ତ ବାହାରିଛନ୍ତି। ଏହା ପଛକୁ କଳାହାଣ୍ଡିରୁ ୯୫୬୮, କନ୍ଧମାଳ ୮୨୦୨, କୋରାପୁଟ ୭୭୩୮, ମାଲକାନଗିରି ୩୫୯୧, ବୌଦ୍ଧ ୧୮୪୧, ସୁନ୍ଦରଗଡ଼ ୧୨୧୦ ଓ ନବରଙ୍ଗପୁରରୁ ୯୮୯ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କେବଳ ଉପକୂଳ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍ ଅଧିକ ରହିଛି।
ଔଷଧୀୟ ମଶାରି ଥିଲେ ବି ଲୋକଙ୍କୁ ବାଣ୍ଟି ପାରିଲେନି
ବୈଠକରେ ମ୍ୟାଲେରିଆ ମୃତ୍ୟୁର ପୋଲ୍ ଖୋଲିଲା
ଗତବର୍ଷଠାରୁ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତଭାବେ ବଢ଼ିବାରେ ଲାଗିଛି। କେନ୍ଦ୍ରରୁ ଔଷଧୀୟ ମଶାରି ଆସିବାରେ ବିଳମ୍ବ ହେବା ଓ ବିଭିନ୍ନ ଜିଲ୍ଲାରେ ପୂର୍ବରୁ ବଣ୍ଟାଯାଇଥିବା ମଶାରିର ଅବଧି ଶେଷ ହେବାରୁ ମ୍ୟାଲେରିଆ ସ୍ଥିତି ବିଗିଡ଼ିବାରେ ଲାଗିଛି। ଚଳିତବର୍ଷ ଓମ୍ବାଡ୍ସି ପାଣ୍ଠିରେ ୪ଟି ଜିଲ୍ଲା ପାଇଁ ୫୮ଲକ୍ଷ ଔଷଧୀୟ ମଶାରି କିଣାଯାଇଥିଲା। ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ଓମ୍ବାଡ୍ସି ଜିଲ୍ଲାକୁ ବାଦ୍ ଦେଇ ଏସବୁ ଜିଲ୍ଲାକୁ ଔଷଧୀୟ ମଶାରି ପଠାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବୌଦ୍ଧ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାର ୭୨ଲକ୍ଷ ୭ହଜାର ୧୪୨ ଲୋକଙ୍କୁ ୪୦ଲକ୍ଷ ଔଷଧୀୟ ମଶାରି ବାଣ୍ଟିବାକୁ ଗତ ସେପ୍ଟେମ୍ବର ମାସରେ ଚୂଡ଼ାନ୍ତ ହୋଇଥିଲା।
ମାତ୍ର ବିଭିନ୍ନ ଜିଲ୍ଲାରୁ ମିଳିଥିବା ସୂଚନା ଅନୁସାରେ, ଏହାଭିତରେ ମ୍ୟାଲେରିଆ ପ୍ରବଣ ୭ଟି ଜିଲ୍ଲାରେ ଅଳ୍ପ ମଶାରି ବଣ୍ଟାଯାଇଛି। ବଳକା ମଶାରି ରାଜଧାନୀ ସମେତ କିଛି ସ୍ଥାନରେ ପଡ଼ି ରହିଛି। ଔଷଧୀୟ ମଶାରି ବାଣ୍ଟି ନ ପାରିବା ପଛରେ ନିର୍ଦ୍ଦିଷ୍ଟଭାବେ କ’ଣ କାରଣ ରହିଛି ତାହା ଜଣାପଡ଼ିନାହିଁ। ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିବାକୁ ଥିବା ୨୦ଲକ୍ଷ ଔଷଧୀୟ ମଶାରି ମଧ୍ୟ ନିକଟ ଭବିଷ୍ୟତରେ ମିଳିବାର ଆଶଙ୍କା କମ୍ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର, କୀଟବାହିତ ରୋଗ ନିୟନ୍ତ୍ରଣର ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଭାକର ସାହୁ ଓ ଏନ୍ଭିବିଡିସିପିର ଯୁଗ୍ମ ନିର୍ଦ୍ଦେଶକ ଡା. ଶୁଭାଶିଷ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ।