ମ୍ୟାଲେରିଆ ଗବେଷଣା ପାଇଁ ୭ ଜିଲ୍ଲା ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମ୍ୟାଲେରିଆ ଆଶାତୀତ ଭାବେ ହ୍ରାସ ପାଇଛି। ରାଜ୍ୟରୁ ମ୍ୟାଲେରିଆକୁ ସଂପୂର୍ଣ୍ଣ ମୂଳପୋଛ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାସହ ମ୍ୟାଲେରିଆ ହ୍ରାସ ପାଇଥିବା ଜିଲ୍ଲାଗୁଡ଼ିକରେ ଗର୍ଭବତୀ ମହିଳା ଓ ୫ବର୍ଷରୁ କମ୍ ବୟସର ଶିଶୁ କିଭଳି ଉପକୃତ ହୋଇଛନ୍ତି ତାହାର ଅନୁଧ୍ୟାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟର ମ୍ୟାଲେରିଆ ହ୍ରାସ ପାଇଥିବା ୭ଟି ଜିଲ୍ଲାକୁ ଗବେଷଣା ମଧ୍ୟରେ ସାମିଲ କରାଯାଇଛି। କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ମାଲକାନାଗିରି, କେନ୍ଦୁଝର ଓ ବଲାଙ୍ଗୀର ଜିଲ୍ଲାରେରେ ୯୦ ପ୍ରତିଶତ ମ୍ୟାଲେରିଆ ହ୍ରାସ ପାଇଛି। ମ୍ୟାଲେରିଆ ହ୍ରାସ ପାଇଥିବା ଅଞ୍ଚଳଗୁଡ଼ିକରେ ମହିଳାଙ୍କଠାରେ ରକ୍ତହୀନତା ହ୍ରାସ ପାଇବା ସହିତ ସୁସ୍ଥ ଶିଶୁ ଜନ୍ମ ନେଇଥାନ୍ତି। ଉଭୟ ମା’ ଓ ଶିଶୁଙ୍କ ଓଜନ ମଧ୍ୟ ଠିକ୍ ରହିଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଏହି ଜିଲ୍ଲାଗୁଡ଼ିକରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କଠାରେ କି ପ୍ରକାର ଉନ୍ନତି ପରିଲକ୍ଷିତ ହୋଇଛି ଏ ସଂକ୍ରାନ୍ତରେ ଗବେଷଣା ହେବ। ଯେଉଁ ସ୍ଥାନରେ ମ୍ୟାଲେରିଆ ନିୟନ୍ତ୍ରଣରେ ତ୍ରୁଟି ଥିବା ଲକ୍ଷ୍ୟ କରାଯିବ ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ୟୁନିସେଫ୍, ମ୍ୟାଲେରିଆ ନୋ ମୋର, ରାଜ୍ୟ ଏନ୍‌ଭିବିଡିସିପି ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଏହି କାର୍ଯ୍ୟ କରିବ।

ଆଜି ଆରଏମ୍‌ଆରସି ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବାସ୍ଥ୍ୟ ସଚିବ ଡା.ବି.କେ ବ୍ରହ୍ମା, ଆରଏମ୍‌ଆରସି ନିର୍ଦେଶକ ଡା.ସଂଘମିତ୍ରା ପତି, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ହରପ୍ରସାଦ ପଟ୍ଟନାୟକଙ୍କ ସମେତ ୟୁନିସେଫ, ମ୍ୟାଲେରିଆ ନୋ ମୋର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧଇକାରୀ ଓ ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ୭ଟି ଜିଲ୍ଲାର ମ୍ୟାଲେରିଆ ନିୟନ୍ତ୍ରଣ ଦାୟିତ୍ବରେ ଥିବା ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର