ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି: ୨୧ ବର୍ଷରେ ମ୍ୟାଲେରିଆ ନେଇଛି ୪୪୧ ଜୀବନ

ରାଉରକେଲା: ଜିଲ୍ଲାରେ ମ୍ୟାଲେରିଆ ରୋଗ ବହୁମାତ୍ରାରେ ହ୍ରାସ ପାଇଛି। ଗତ ଦୁଇ ବର୍ଷ, ଅର୍ଥାତ୍‌ ୨୦୨୦ ଓ ୨୦୨୧(ଅକ୍ଟୋବର ଯାଏଁ) ମୋଟ୍‌ ଆକ୍ରାନ୍ତ ସଂଖ୍ୟାକୁ ଦେଖିଲେ, ଏହା ସ୍ପଷ୍ଟ ହୁଏ। ଗତ ୨୦୨୦ ମସିହାରେ ଲକ୍ଷଣ ଥିବା ମୋଟ୍‌ ୨,୬୭,୨୬୩ ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିବାବେଳେ ୧,୧୮୭ ଜଣ(୪.୪୩%) ମ୍ୟାଲେରିଆରେ ସଂକ୍ରମିତ ଥିବା ଜଣାପଡ଼ିଥିଲେ। ସେହିଭଳି ୨୦୨୧ ଅକ୍ଟୋବର ଯାଏଁ ମୋଟ୍‌ ୩,୦୪,୪୭୨ ଜଣଙ୍କ ପରୀକ୍ଷା କରାଯାଇଥିବାବେଳେ ମୋଟ୍‌ ୬୮୯ ଜଣ(୦.୨୨%) ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ସଂଖ୍ୟାରେ ଆଶାତୀତ ହ୍ରାସ ପାଇଥିବାବେଳେ ମ୍ୟାଲେରିଆ ରୋଗ ଜନିତ ମୃତ୍ୟୁ କିନ୍ତୁ ଗତବର୍ଷ ଅପେକ୍ଷା ଏଥର ଅଧିକ ରହିଛି। ଗତବର୍ଷ ଜଣେ ବି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବାବେଳେ ଏଥର ୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ଗତ ୨୧ ବର୍ଷର ମ୍ୟାଲେରିଆ ସଂକ୍ରମଣ ଓ ତଦ୍‌ଜନିତ ମୃତ୍ୟୁ ପରିସଂଖ୍ୟାନକୁ ଦେଖିଲେ; ବର୍ତ୍ତମାନ ସ୍ଥିତି ବେଶ୍‌ ଆଶ୍ବସ୍ତିକର।

cidrap.umn.edu

୨୧ ବର୍ଷରେ ଜିଲ୍ଲାରେ ଆକ୍ରାନ୍ତ ହୋଇଛନ୍ତି ସାଢ଼େ ୬ ଲକ୍ଷ
ଦିନ ଥିଲା, ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ମ୍ୟାଲେରିଆ ରୋଗ ପାଇଁ ଅନେକ ଦୁର୍ନାମ ଆଣିଥିଲା। ବିଶେଷକରି ୨୦୦୦-୨୦୧୦ ମସିହା ପର୍ଯ୍ୟନ୍ତ ସ୍ଥିତି ଉଦ୍‌ବେଗଜନକ ରହିଥିଲା। ଏବେ କିନ୍ତୁ ସ୍ଥିତିରେ ବହୁମାତ୍ରାରେ ସୁଧାର ଆସିଛି। ଗତ ୨୧ ବର୍ଷ, ଅର୍ଥାତ୍‌ ୨୦୦୦ ମସିହାରୁ ୨୦୨୧ ଅକ୍ଟୋବର ପର୍ଯ୍ୟନ୍ତ, ଜିଲ୍ଲାରେ ୮୪ ଲକ୍ଷ ୬୬ ହଜାର ୨୦୪ ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ମୋଟ୍‌ ୬ ଲକ୍ଷ ୩୫ ହଜାର ୬୭୫ ଜଣ ମ୍ୟାଲେରିଆରେ ସଂକ୍ରମିତ ହୋଇଥିବା ଟେଷ୍ଟ୍‌ ରିପୋର୍ଟରୁ ଜଣାପଡ଼ିଥିଲା। ଗତ ୨୦୦୦ ମସିହାରେ ଏହି ସଂଖ୍ୟା ମାତ୍ରାଧିକ ରହିଥିଲା। ଉକ୍ତ ବର୍ଷ ମୋଟ୍‌ ୫ ଲକ୍ଷ ୨୫ ହଜାର ୮୫୯ ଜଣଙ୍କ ମ୍ୟାଲେରିଆ ଟେଷ୍ଟ୍‌ କରାଯାଇଥିବାବେଳେ ୮୧ ହଜାର ୮୩୮ ଜଣ(୧୫.୫୬%) ଆକ୍ରାନ୍ତ ହୋଇଥିଲା। ଏହି ତୁଳନାରେ ଯଦି ୨୦୨୧ ମସିହାର ପରୀକ୍ଷା କରାଯାଇଥିବା ରୋଗୀଙ୍କ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟାକୁ ତୁଳନା କଲେ, ଆକାଶପାତାଳ ଫରକ ରହିଛି।

ମ୍ୟାଲେରିଆ ନେଲାଣି ୪୪୧ ଜୀବନ
ସଂପ୍ରତି ମ୍ୟାଲେରିଆ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବହୁମାତ୍ରାରେ କମିଛି। କିନ୍ତୁ ଏବେ ବି ପ୍ରତିବର୍ଷ ୧/୨ ଜଣଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ୨୦୦୦-୨୦୨୧ ମସିହା ପର୍ଯ୍ୟନ୍ତ, ‌କେବଳ ୨୦୨୦ ମସିହାରେ ଜଣେ ବି ମ୍ୟାଲେରିଆରେ ମୃତ୍ୟୁବରଣ କରିନଥିଲେ। କିନ୍ତୁ ଅନ୍ୟ ସବୁ ବର୍ଷଗୁଡ଼ିକରେ ଜିଲ୍ଲାରେ ମ୍ୟାଲେରିଆ ମୃତ୍ୟୁ ନଜରକୁ ଆସିଥିଲା। ଗତ ୨୧ ବର୍ଷ ମଧ୍ୟରେ, ଜିଲ୍ଲାରେ ମୋଟ୍‌ ୪୪୧ ଜଣ ମ୍ୟାଲେରିଆରେ ପ୍ରାଣ ହରାଇଛନ୍ତି। ୨୦୦୨ ମସିହ‌ାରେ ଜିଲ୍ଲାରେ ସର୍ବାଧିକ ୯୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ୨୦୦୦ ମସିହାରେ ଦ୍ବିତୀୟ ସର୍ବାଧିକ ୬୨ ଜଣ ଓ ୨୦୦୩ ମସିହାରେ ତୃତୀୟ ସର୍ବାଧିକ ୩୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୦୦ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ, ଜିଲ୍ଲାର ମ୍ୟାଲେରିଆ ମୃତ୍ୟୁ ଦୁଇ ଅଙ୍କ ଓ ତଦୁର୍ଦ୍ଧ ରହୁଥିଲା। କିନ୍ତୁ ୨୦୧୬ ପରଠାରୁ ଏହା ୧ ଅଙ୍କରେ ସୀମିତ ରହିଛି।

ଲହୁଣୀପଡ଼ା ଅଞ୍ଚଳରୁ ଅଧିକ ମ୍ୟାଲେରିଆ ରୋଗୀ
ଜିଲ୍ଲାର ଅନ୍ୟ ବ୍ଲକ, ପୌରପାଳିକା ଅଞ୍ଚଳ ତୁଳନାରେ ଲହୁଣୀପଡ଼ା ଅଞ୍ଚଳରୁ ଅଧିକ ସଂଖ୍ୟକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଅକ୍ଟୋବର ଯାଏଁ ଚିହ୍ନଟ ହୋଇଥିବା ମୋଟ୍‌ ୬୮୯ ଜଣ ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ୩୫୮ ଜଣ ହେଉଛନ୍ତି ଲହୁଣୀପଡ଼ା ଅଞ୍ଚଳର। ଲହୁଣୀପଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି)ରେ ଏମାନଙ୍କ ପରୀକ୍ଷା କରାଯାଇଥିଲା। ଏତଦ୍‌ବ୍ୟତୀତ ଦ୍ବିତୀୟ ସର୍ବାଧିକ ମ୍ୟାଲେରିଆ ରୋଗୀ କୋଇଡ଼ା ଅଞ୍ଚଳର ଥିବା ଜଣାପଡ଼ିଛି। ଏହି ଅଞ୍ଚଳର ୧୨୦ ଜଣ ରୋଗୀ ଅଛନ୍ତି।‌ ସେହିଭଳି ବଡ଼ଗାଁ ଅଞ୍ଚଳର ମାତ୍ର ୬ ଜଣ ଥିବାବେଳେ ବିରକେରା ସିଏଚ୍‌ସି ଅନ୍ତର୍ଗତ ଅଞ୍ଚଳରୁ ୩୮ ଜଣ, ବିଶ୍ରାର ୩୩, ଗୁରୁଣ୍ଡିଆର ୧୨, ହାତିବାରୀର ୧୯, ହେମଗିରର ୨୪, କିଞ୍ଜିରିକେଲା ସିଏଚସ୍‌ସି ଅନ୍ତର୍ଗତ ଅଞ୍ଚଳର ୧୧, କୁଆରମୁଣ୍ଡାର ୬, କୁତ୍ରାର ୧, ଲାଇଙ୍ଗ୍‌ ସିଏଚ୍‌ସି ଅନ୍ତର୍ଗତ ଅଞ୍ଚଳର ୧୫ ଜଣ, ମଝାପଡ଼ା ଅଞ୍ଚଳର ୫, ମଙ୍ଗସପୁର ଅଞ୍ଚଳର ୨, ସର୍ଗିପାଲୀ ଅଞ୍ଚଳର ୧୪, ଏସ୍‌.ବଲାଙ୍ଗ ଅଞ୍ଚଳର ୯, ସବଡେଗାର ୨, ବଣାଇଁର ୧ ଓ ରାଉରକେଲାର ୧୩ ଜଣ ଅଛନ୍ତି। ତେବେ ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର ଅଞ୍ଚଳରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

ସମ୍ବନ୍ଧିତ ଖବର