ଭୁବନେଶ୍ବର: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଗମ୍ଭୀର ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ମ୍ୟାଲେରିଆ ଅଣାୟତ ହେଲାଣି। ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ କେନ୍ଦ୍ରରୁ ଆସିବାକୁ ଥିବା ଦୀର୍ଘସ୍ଥାୟୀ ଔଷଧୀୟ ମଶାରି(ଏଲ୍ଏଲ୍‌ଆଇଏନ୍‌) ଏ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଯୋଗାଣ ହୋଇନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଓମ୍ବାଡ୍‌ସି ପାଣ୍ଠିରେ କିଣା ଯାଇଥିବା ଔଷଧୀୟ ମଶାରିକୁ ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ବାଣ୍ଟିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୭ ଜିଲ୍ଲା ଜିଲ୍ଲାପାଳଙ୍କ ସମେତ ରାଜ୍ୟ ଔଷଧ ନିଗମକୁ ପତ୍ର ଲେଖାଯାଇଛି। ଆସନ୍ତା ୭ଦିନ ଭିତରେ ମଶାରି ଏସବୁ ଜିଲ୍ଲାରେ ପହଞ୍ଚିବ ବୋଲି କୁହାଯାଇଛି।

Advertisment

ଚଳିତବର୍ଷ ରାଜ୍ୟରେ ୩୨ହଜାରରୁ ଅଧିକ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ବୌଦ୍ଧ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଚଳିତବର୍ଷ ଶେଷ ହେବା ବେଳକୁ ଏହା ଗତବର୍ଷର ୪୨ହଜାର ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଟପିଯିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ତେଣୁ ମ୍ୟାଲେରିଆ ମୁକାବିଲା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓମ୍ବାଡ୍‌ସିରେ କିଣାଯାଇଥିବା ଔଷଧୀୟ ମଶାରି ମ୍ୟାଲେରିଆ ପ୍ରବଣ ଜିଲ୍ଲାକୁ ଡାଇଭର୍ଟ ବା ଅନ୍ୟତ୍ର ପଠାଇବାକୁ ଯୋଜନା କରିଛନ୍ତି। କେଉଁ ଜିଲ୍ଲାକୁ କେତେ ମଶାରି ଯିବ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି) ଅନୁଯାୟୀ କେଉଁ ପ୍ରକାରର ମଶାରି ପଠାଯିବ ତାହାର ତାଲିକା ପ୍ରସ୍ତୁତ ହୋଇଛି।

ଓମ୍ବାଡ୍‌ସି ପାଣ୍ଠିରେ ରାଜ୍ୟ ସରକାର ସମୁଦାୟ ୫୫ଲକ୍ଷ ଔଷଧୀୟ ମଶାରି କିଣିଥିଲେ। ତହିଁରୁ ପ୍ରାଥମିକ ପର୍ଯ୍ୟାୟରେ ଆସିଥିବା ୧୫ଲକ୍ଷ ମଶାରିକୁ ସୁନ୍ଦରଗଡ଼ ଜିଲ୍ଲାରେ ବଣ୍ଟାଯିବ। ବଳକା ମଶାରି ଭିତରୁ ବୌଦ୍ଧ ଜିଲ୍ଲାରେ ୨ଲକ୍ଷ ୬୪ହଜାର, ଗଜପତି ୩ଲକ୍ଷ ୬୯ହଜାର ୯୧୭, କଳାହାଣ୍ଡି ୧୦ଲକ୍ଷ ୧୭ହଜାର ୭୩୧, କନ୍ଧମାଳ ୪ଲକ୍ଷ ୮୨ହଜାର ୮୬୯, କୋରାପୁଟ ୮ଲକ୍ଷ ୬୦ହଜାର ୬୮୭, ମାଲକାନଗିରି ୪ଲକ୍ଷ ୧୫ହଜାର ୯୯୩, ରାୟଗଡ଼ା ୬ଲକ୍ଷ ୩୭ହଜାର ୯୪୮କୁ ମିଶାଇ ୪୦ଲକ୍ଷ ୪୯ହଜାର ୭୫୫ ଔଷଧୀୟ ମଶାରି ଦିଆଯିବ। ଏହି ଔଷଧୀୟ ମଶାରି ସାଇଜ୍‌ ୧ରୁ ୩ ପର୍ଯ୍ୟନ୍ତ ରହିଛି। ରାଜଧାନୀରେ ୧୧ହଜାର ୧୪୩ ମଶାରି ଷ୍ଟକ୍‌ ରଖାଯିବ। ସେହିପରି କେନ୍ଦ୍ର ସରକାର ଏହା ଭିତରେ ୨୩ଲକ୍ଷ ଔଷଧୀୟ ମଶାରି ରାଜ୍ୟକୁ ପଠାଇଛନ୍ତି। ବଳକା ୮୫ଲକ୍ଷ ମଶାରି ପଠାଇବା ଲାଗି କେନ୍ଦ୍ରକୁ ପତ୍ର ଲେଖାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର। ଡା.ମିଶ୍ର କହିଛନ୍ତି, ଓଡ଼ିଶାକୁ ମିଳିବାକୁ ଥିବା ୧କୋଟି ୮ଲକ୍ଷ ମଶାରି ଭିତରୁ କେନ୍ଦ୍ର ସରକାର ୨୩ଲକ୍ଷ ଦେଇଥିବା ବେଳେ ଆସନ୍ତା ମାସ ବେଳକୁ ବଳକା ଔଷଧୀୟ ମଶାରି ପହଞ୍ଚିବ। ଓମ୍ବାଡ୍‌ସିରେ କିଣାଯାଇଥିବା ମଶାରି ମଧ୍ୟ ବଣ୍ଟାଯିବ ବୋଲି ସେ ସୂଚନା ଦେଇଛନ୍ତି।