ହଟୁନି ଚିଲିକାର ରାଜହଂସ ନିକଟ ସମୁଦ୍ରକୂଳରେ ପଡ଼ି ରହିଥିବା ମାଲେସିଆ ଜାହାଜର କଣ୍ଟେନର୍‌, ଉପକୂଳ ପ୍ରତି ସୃଷ୍ଟି କରିବାରେ ଲାଗିଛି ବିପଦ

ବ୍ରହ୍ମଗିରି : କୃଷ୍ଣପ୍ରସାଦ ଥାନା ଚିଲିକାର ରାଜହଂସ ନିକଟ ସମୁଦ୍ରକୂଳରେ ପଡ଼ି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜର କଣ୍ଟେନର୍‌କୁ ହଟା ଯାଉ ନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତ ଅଗଷ୍ଟ ମାସ ୯ ତାରିଖରେ ଜାହାଜଟି ଦୁର୍ଘଟଣାର ଶିକାର ହୋଇଥିଲା। ଜାହାଜରେ ଥିବା ୭ ଜଣ ମାଲେସିଆ ନାଗରିକ, ଜଣେ ଭାରତୀୟ ଏବଂ ଜଣେ ବାଙ୍ଗଲାଦେଶୀ ନାଗରିକ ଅଳ୍ପକେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲେ। ଜାହାଜରେ ଥିବା ତେଲକୁ ସୁରକ୍ଷିତ ଅବସ୍ଥାରେ କଢ଼ାଯିବା ପରେ ମରାମତି ପାଇଁ ଏହାକୁ କୋଲକତା ନିଆଯାଇ ଥିଲା। କିନ୍ତୁ ୩୦ ହଜାର ଟନ୍‌ କ୍ଷମତା ବିଶିଷ୍ଟ ଜାହାଜର କଣ୍ଟେନର୍‌ ଆଜି ବି ଉପକୂଳରେ ସେମିତି ପଡ଼ି ରହିଛି। ଉପକୂଳରୁ ଉଭୟ ଜାହାଜ ଓ କଣ୍ଟେନର୍‌କୁ ଉଠାଇବା ପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ କମ୍ପାନି ଓ ମାଲିକଙ୍କୁ ନିର୍ଦ୍ଦେଶ ଦେଇଥିଲା। ମାତ୍ର କଣ୍ଟେନର୍‌ ନିଆଯାଉ ନଥିବାରୁ ଏହା ଉପକୂଳ ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି। ଚିଲିକା ମୁହାଣ ଉପକୂଳରେ କଣ୍ଟେନର୍‌ ଥିବାରୁ ଏହା ସ୍ଥାନୀୟ ମତ୍ସ୍ୟଜୀବୀ ଓ ପରିବେଶ ପାଇଁ ବିପଦ ଡାକି ଆଣିଛି। ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ମୁହଁ ଖୋଲୁ ନାହାନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି କଣ୍ଟେନର୍‌କୁ ହଟାଇବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର