ସମୁଦ୍ରରେ ଫସିଛି ମାଲେସିଆ ଜାହାଜ, ନାବିକଙ୍କ ସହିତ ୮ କର୍ମଚାରୀ ଅଟକିଛନ୍ତି

ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଚିଲିକା ରାଜହଂସ ନିକଟରେ ମାଲେସିଆର ଏକ ପଣ୍ୟବାହୀ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଦିନ ହେଲା ସମୁଦ୍ରରେ ଫସି ରହିଛି। ଜାହାଜରେ ନାବିକଙ୍କ ସହିତ ୮ ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ମାଲେସିଆର ଏବଂ ଜଣେ ଭାରତୀୟ କର୍ମଚାରୀ ଅଛନ୍ତି।

ସୂଚନା ମୁତାବକ, ମାଲେସିଆର ଏହି ପଣ୍ୟବାହୀ ଜାହାଜଟି ଲୁହାପଥର, ଓ ଅନ୍ୟ ଖଣିଜ ଜିନିଷ ଆଣିବାକୁ ବାଂଲାଦେଶ ଯାଉଥିବା ବେଳେ ଗୋପାଳପୁର ନିକଟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଇଞ୍ଜିନ୍‌ ଫ୍ୟାନରେ ଦଉଡ଼ି ଗୁଡାଇ ହୋଇଯିବାରୁ ଫ୍ୟାନ୍‌ ବନ୍ଦ ହୋଇଯିବା ସହ ଇଞ୍ଜିନ୍‌ ସିଜ୍‌ ହୋଇ ଯାଇଥିଲା। ଶେଷରେ ସମୁଦ୍ର ଢେଉରେ ଜାହାଜ ଭାସି ଭାସି ରାଜହଂସଠାରେ ଲାଗିଛି। ଯେଉଁ ସ୍ଥାନରେ ବର୍ତ୍ତମାନ ଜାହଜଟି ରହିଛି ତାହା ଅତ୍ୟନ୍ତ ଦୁର୍ଗମ। ସାତପଡ଼ାଠାରୁ ଦୁଇ ଘଣ୍ଟା ଡଙ୍ଗାରେ ଯିବା ପରେ ରାଜହଂସଠାରୁ ପୁଣି ଦୁଇ କିଲୋମିଟର ଚାଲି ଚାଲି ଗଲେ ଯାଇ ସମୁଦ୍ରକୂଳରେ ଏହି ଜାହାଜଟିକୁ ଦେଖିବାକୁ ମିଳିବ। ଏ ସଂପର୍କରେ କୃଷ୍ଣପ୍ରସାଦ ଥାନା ଆଇଆଇସି ସୁଧୀର ରଞ୍ଜନ ସାହୁ କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ଯୋଗୁ ଜାହାଜଟି ଦୁଇ ଦିନ ହେଲା ରାଜହଂସ ନିକଟ ସମୁଦ୍ରରେ ଅଟକି ରହିଛି। ଏଥିରେ ମୋଟ ୮ ଜଣ ରହିଛନ୍ତି। ଇଞ୍ଜିନିୟର ଓ ମେକାନିକ ଆସି ଜାହାଜର ମରାମତି କାମ କରୁଥିବା ବେଳେ ସେଠାରେ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର