ଭୁବନେଶ୍ବର/ବ୍ରହ୍ମଗିରି : ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଗଷ୍ଟ ୯ରୁ ଚିଲିକା ରାଜହଂସ ନିକଟ ସମୁଦ୍ରକୂଳରେ ଅଟକି ରହିଥିବା ମାଲେସିଆ ଜାହାଜ ଆଜି ସୁଦ୍ଧା ମରାମତି ହୋଇ ପାରିନାହିଁ। ପାରାଦୀପରୁ ଆସିଥିବା ଦୁଇଜଣିଆ ମେକାନିକ୍ ଟିମ୍ ଏହାର ମରାମତି କରିବାରେ ବିଫଳ ହୋଇଛନ୍ତି। ସବୁଠୁ ବଡ଼ କଥା ହେଉଛି, ଜାହାଜଟି ଏହାମଧ୍ୟରେ ବାଲିରେ ୪ରୁ ୫ ଫୁଟ୍ ଯାଏ ପୋତି ହୋଇଗଲାଣି। ଯେଉଁଥି ପାଇଁ ସମସ୍ୟା ବଢିଯାଇଛି। ଜାହାଜରେ ୩୦ ହଜାର ଲିଟର୍ ଡିଜେଲ, ୧୦୦୦ ଲିଟର ଲିବ୍ୟୁ ଅଏଲ୍ ଏବଂ ୧୦୦ ଲିଟର ହାଇଡ୍ରୋଲିକ୍ ଅଏଲ୍ ରହିଛି। ୧୬ ଦିନ କାଳ ଜାହାଜଟି ସମୁଦ୍ରରେ ଫସି ରହିଥିବାରୁ ତେଲ ଲିକ୍ ହେବା ସମ୍ଭାବନା ଥିବାରୁ ତୁରନ୍ତ ଏହାକୁ କାଢି ନେବା ଲାଗି ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ରାଜ୍ୟ ସରକାର ଏବଂ ସମ୍ପୃକ୍ତ ଜାହାଜ କମ୍ପାନିକୁ ଚିଠି ଲେଖିଛି। ତେଲ ଲିକ୍ ହେଲେ ପୁଣି ଥରେ ବ୍ଲାକରୋଜ୍ ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି। ଯଦି ଏଭଳି ଅଘଟଣ ଘଟେ ଚିଲିକାରେ ଜୈବ ବିବିଧତା ନଷ୍ଟ ହେବା ସହିତ ଡଲଫିନ, ମାଛ, ଜଳଚର ଜୀବଙ୍କ ପ୍ରତି ବିପଦର ଆଶଙ୍କା ରହିଛି। ଜାହାଜ ଅଟକି ଥିବା ସ୍ଥାନରେ ଜଙ୍ଗଲ ଥିବାରୁ ସେଠାରେ ବିରଳ ବନ୍ୟଜନ୍ତୁ ମଧ୍ୟ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ସରକାର ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅଟକିଥିବା ମାଲେସିଆ ନାଗରିକଙ୍କୁ ଖିରିସାହି ଗାଁରେ ରଖାଯାଇଛି। ଜାହାଜ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଲାଗିଥିବାରୁ ଏହା ପ୍ରଶାସନର ମୁଣ୍ତବିନ୍ଧାର କାରଣ ହୋଇଛି। ଜାହାଜଟି କେବେ ମରାମତି ସରିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।
ଅନ୍ୟପକ୍ଷରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଉକ୍ତ ଜାହାଜରେ ୩୦ ହଜାର ଲିଟର ଅଶୋଧିତ ତୈଳ ମହଜୁଦ ଅଛି। ସମୁଦ୍ରର ଜୈବ ବିବିଧତା ଦୃଷ୍ଟିରୁ ଏସବୁ ତୈଳକୁ କାଢ଼ିବା ନେଇ ପଦକ୍ଷେପ ନିଆଯିବ। ଏ ନେଇ ତଟ ସୁରକ୍ଷା ବାହିନୀକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତଟ ସୁରକ୍ଷା ବାହିନୀ ପକ୍ଷରୁ ସମ୍ପୃକ୍ତ ଜାହାଜ କର୍ତ୍ତୃପକ୍ଷଙ୍କୁ ଘଟଣା ସଂପର୍କରେ ଅବଗତ କରାଯାଇଛି।