ରାଜହଂସରେ ମାଲେସିଆ ଜାହାଜ : କୋଷ୍ଟଗାର୍ଡ ଟିମ୍‌ର ତଦନ୍ତ ଆରମ୍ଭ

ବ୍ରହ୍ମଗିରି : ମାଲେସିଆର ଏକ ପଣ୍ୟବାହୀ ଜାହାଜ ବାଂଲାଦେଶ ଯିବା ବାଟରେ ଗୋପାଳପୁର ନିକଟରେ ଅଚଳ ହୋଇଯାଇଥିଲା। ଏହା ପରେ ଭାସି ଆସି ଗତକାଲି ଚିଲିକାର କୃଷ୍ଣପ୍ରସାଦ ରାଜହଂସ ନିକଟରେ ଫସି ରହିଥିବା ଦେଖିବାକୁ ମିଳିଥିଲା। ତେବେ କେଉଁ ପରିସ୍ଥିତିରେ ଜାହାଜଟି ଏଠାରେ ଲାଗିଲା ସେ ନେଇ କୋଷ୍ଟଗାର୍ଡ ଟିମ୍‌ ତଦନ୍ତ ଆରମ୍ଭ କରିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ହୋଇଥିବା ଜଣା ପଡ଼ିଥିଲେ ମଧ୍ୟ ତଟ ନିରାପତ୍ତା ଦୃଷ୍ଟିରୁ କୋଷ୍ଟଗାର୍ଡ ଟିମ୍‌ ଏହା ଉପରେ ସତର୍କ ଦୃଷ୍ଟି ରଖିଛି। ଜାହାଜ ଫସି ରହିଥିବା ସ୍ଥାନ ଉପରେ ଜେଟ୍ ବିମାନ ମାଧ୍ୟମରେ ଦୃଷ୍ଟି ରଖାଯାଇଛି।

ଆଜି କୋଷ୍ଟଗାର୍ଡର ୩ ଜଣିଆ ଟିମ୍ ସେଠାରେ ପହଞ୍ଚିଛନ୍ତି। କୃଷ୍ଣପ୍ରସାଦ ପୁଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି। ସମୁଦ୍ର କୂଳରେ ତମ୍ବୁ ଟାଣି ରହିଥିବା ଜାହାଜର ୮ ଜଣ କର୍ମଚାରୀଙ୍କୁ ତଦନ୍ତକାରୀ ଟିମ୍‌ ପଚରାଉଚୁରା କରିଥିବାବେଳେ ଜାହାଜ ଭିତର ମଧ୍ୟ ଯାଞ୍ଚ‌ କରିଛି। ଅଧିକ ତଥ୍ୟ ସଂଗ୍ରହ କରିବା ସହିତ କର୍ମଚାରୀମାନଙ୍କର ନାଗରିକ ପରିଚୟପତ୍ର ଯାଞ୍ଚ କରାଯାଇଛି। ଜାହାଜରେ ଥିବା ଏକମାତ୍ର ଭାରତୀୟ ନାଗରିକ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଫସି ରହିଥିବା କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ କିଛି ଖାଇବା ଯୋଗାଇବା ସହ ଅସ୍ଥାୟୀ ତମ୍ବୁର ବ୍ୟବସ୍ଥା କରିଛନ୍ତି। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଜାହାଜଟି ଯାନ୍ତ୍ରିକ ତ୍ରୁଟିର ମରାମତି ହୋଇ ପାରିନାହିଁ। ମରାମତି ପାଇଁ ପାରଦୀପରୁ ଏକ ଦୁଇ ଜଣିଆ ମେକାନିକ ଟିମ୍ ଆସୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର