ଅପରେସନ୍‌ ଜେନହାୱା-୩୨ : ସମୁଦ୍ର ଭିତରକୁ ଗଲା ମାଲେସିଆ ଜାହାଜ, ପ୍ରଥମ ଦିନରେ ସଫଳ ହେଲା ଏମ୍‌ଭି ଚିତା

ବ୍ରହ୍ମଗିରି : ଗତ ଅଗଷ୍ଟ ୯ ତାରିଖରୁ ଚିଲିକା ଉପକୂଳ ରାଜହଂସରେ ଅଟକି ରହିଥିବା ଅଚଳ ମାଲେସିଆ ଜାହାଜ ଜେନହାୱା-୩୨ ଆଜି ବିଳମ୍ବିତ ରାତିରେ ସମୁଦ୍ର ଭିତରକୁ ଯାଇଛି। ଏହାକୁ ଟାଣି ନେବା ପାଇଁ ସିଂଙ୍ଗାପୁରରୁ ଆସିଥିବା ‘ଏମଭି ଚିତା’ ପ୍ରଥମ ଦିନ ଉଦ୍ୟମ କରି ସଫଳ ହୋଇଛି।

ସୂଚନାଯୋଗ୍ୟ ଯେ, ମାଲେସିଆର ଅଚଳ ଜାହଜ ଜେନହାୱା-୩୨କୁ ଟାଣି ନେବା ପାଇଁ ଗତକାଲି ସିଂଙ୍ଗାପୁରରୁ ‘ଏମଭି ଚିତା’ ନାମକ ଏକ ଜାହଜ ରାହଜଂସ ଉପକୂଳରେ ପହଞ୍ଚିଥିଲା। ଏହି ଜାହାଜରେ ମାଲେସିଆର ୧୦ ଜଣ ଓ ସିଙ୍ଗାପୁରର ୧୦ ଜଣ ବିଶେଷଜ୍ଞ ଏବଂ ଜାହାଜର ବୀମା କରିଥିବା ଏସ୍‌ଇଟିର ବିଶେଷଜ୍ଞ ସହିତ ୩୦ ଜଣିଆ ଟିମ୍ ପହଞ୍ଚି ଥିଲେ। ରାଜହଂସଠାରୁ ୨ କିଲୋମିଟର ସମୁଦ୍ର ଭିତରେ ଚିତା ଅଟକି ରହିଥିଲା। ଆଜି ସକାଳୁ ସମସ୍ତ ଟିମ୍ କୂଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ମାଲେସିଆ ଜାହାଜର ଚାରିପଟୁ ଡ୍ରୋଜର୍‌ ସାହାଯ୍ୟରେ ବାଲି କଢ଼ା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ଜାହାଜରେ ଲୁହାର ଦଉଡ଼ି ବନ୍ଧାଯାଇ ଏହାକୁ ସମୁଦ୍ର ଭିତରକୁ ଟାଣିନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ତେବେ ଜାହାଜଟି ଢ଼ଳି ରହିଥିବାରୁ ଆଜି ସନ୍ଧ୍ୟା ସୁଦ୍ଧା ଏହାକୁ କୂଳରୁ ଟାଣି ନେବା ସମ୍ଭବ ହୋଇ ପାରି ନ ଥିଲା। ତେବେ ବିଶେଷଜ୍ଞ ଟିମ୍‌ ଫସି ରହିଥିବା ମାଲେସିଆ ଜାହାଜର ଚାରିକଡ଼ରୁ ବାଲି ଖୋଳି ଜୁଆରକୁ ଅପେକ୍ଷା କରିଥିଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ବଡ଼ ଜୁଆର ଆସିବାରୁ ଏହାର ସଦ୍‌ବ୍ୟବହାର କରିଥିଲା ସିଙ୍ଗାପୁର ଜାହାଜ ଏମଭି ଚିତା। ଜୁଆର ଆସିଥିବା ସମୟରେ ଏମଭି ଚିତା ମାଲେସିଆ ଜାହଜ ଜେନହାୱା-୩୨କୁ ପ୍ରାୟ ଅଧ କିଲୋମିଟର ସମୁଦ୍ର ଭିତରକୁ ଟାଣି ନେଇଥିବା କୃଷ୍ଣପ୍ରସାଦ ଥାନା ଆଇଆଇସି ଅଭିମନ୍ୟୁ ମାଝି ସୂଚନା ଦେଇଛନ୍ତି। ତେବେ ଏବେ ବି ଜେନହାୱା-୩୨ ଜାହାଜରେ ୪ ଜଣ ଇଞ୍ଜିନିୟର ରହିଛନ୍ତି। ସେମାନଙ୍କୁ ଗତକାଲି ଡଙ୍ଗା ପଠାଇ କୂଳକୁ ଅଣାଯିବ। ତା ପରେ ମାଲେସିଆ ଜାହାଜ ଜେନହାୱା-୩୨ ସମୁଦ୍ର ଉପକୂଳ ଛାଡ଼ିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର