ମାଲକାନଗିରି: ମାଲକାନଗିରି ଏବଂ ଛତିଶଗଡ଼ର ବହୁ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରୁଥିବା ମହିଳା ନକ୍ସଲ ମାଓ ସଂଗଠନରେ ଚାଲିଥିବା ଭିତିରି ଗୁମର ପଦାକୁ ଆଣିଥିଲେ। ସେଥିମଧ୍ୟରୁ କିପରି ମହିଳା ନକ୍ସଲଙ୍କୁ ନିର୍ଯାତନା, ଅସଦାଚରଣ ଏବଂ ଗୁଳିବିନିମୟ ବେଳେ ଢାଲ କରାଯାଉଛି ତାକୁ ନେଇ ମୁହଁ ଖୋଲିଥିଲେ। ନକ୍ସଲ ପ୍ରବଣ ଯେଉଁ ରାଜ୍ୟରେ ବି ପୁଲିସ ସହ ନକ୍ସଲଙ୍କର ମୁହାଁମୁହିଁ ହୋଇଛି ସବୁ ସମୟରେ କ୍ୟାଡର ପୁରୁଷ ନକ୍ସଲମାନେ ମହିଳା ନକ୍ସଲଙ୍କୁ ଆଗକୁ ଠେଲି ଦିଅନ୍ତି। ତେଣୁ ବହୁ ଏନକାଉଣ୍ଟରରେ ମହିଳା ନକ୍ସଲଙ୍କର ମୃତ୍ୟୁ ନିଶ୍ଚିତ ହୋଇଥିବା ନଜିର ରହିଛି।
ଦୁଇ ଦିନ ତଳେ କାଂକେର ଏନକାଉଣ୍ଟରରେ ଆର୍ଦ୍ଧାଧିକ ମହିଳା ନକ୍ସଲଙ୍କର ମୃତ୍ୟୁ ସ୍ପଷ୍ଟ ପ୍ରମାଣ କଲା। କାଂକେର ଜିଲ୍ଲାର ଛୋଟିବେଠିଆ ଥାନା ଅଂଚଳର ହାପାଟୋଲା ଜଂଗଲରେ ନକ୍ସଲ ସଂଗଠନର ଆଗଧାଡିର ନକ୍ସଲଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ହଠାତ୍ ପୁଲିସର ଚଢାଉ ହୋଇଥିଲା। ଏଥିରେ ମହିଳା ନକ୍ସଲଙ୍କ ସଂଖ୍ୟା ଅଧିକ ଥିଲା। ଏହି ନକ୍ସଲଙ୍କ ବୈଠକରେ ଶତାଧିକ ନକ୍ସଲ ରହିଥିବା ସୂଚନା ଥିଲା। ମହିଳା ନକ୍ସଲଙ୍କୁ ଆଗରେ ରଖି ପୁରୁଷ ନକ୍ସଲ ଖସି ପଳାଇବାରେ ସଫଳ ହୋଇଥିଲେ ମଧ୍ୟ ୨୯ ଜଣ ନକ୍ସଲ ମଧ୍ୟରୁ ୧୪ ଜଣ ପୁରୁଷ ନକ୍ସଲ ନିହତ ହୋଇଥିଲେ। ଏହି ଗୁଳିବିନିମୟରେ ମହିଳା ନକ୍ସଲ କମାଣ୍ଡର ଜୁଗନୀ ନେତୃତ୍ବ ନେଇଥିଲେ। ମହିଳା ନକ୍ସଲମାନଙ୍କୁ ଆଗକୁ ନେଇ ପୁଲିସ ସହ ଲଢେଇ କରିଥିଲେ।
ତେବେ ଜୁଗନୀଙ୍କ ସହ ୧୫ ଜଣ ମହିଳା ନକ୍ସଲ ନିହତ ହୋଇଥିଲେ। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଲଢେଇ ସମୟରେ ମହିଳା ନକ୍ସଲ ହିଁ ଆଗରେ ରହିବେ ଏବଂ ମୃତ୍ୟୁକୁ ସାମ୍ନା କରିବେ, ଯାହାଫଳରେ ଅନ୍ୟ ନକ୍ସଲ ଖସିଯିବାରେ ସଫଳ ହେବେ। ନିଜ ଜୀବନକୁ ବାଜି ଲଗାଇ ପୁରୁଷ ନକ୍ସଲଙ୍କ ଜୀବନ ବଞ୍ଚାଉଛନ୍ତି। ଏ ସଂପର୍କରେ ବହୁ ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲ ପୁଲିସ ନିକଟରେ ସବୁ କାରନାମା ବଖାଣିଛନ୍ତି। କେବଳ ଯେ ଢାଲ ହୋଇ ଅନ୍ୟର ଜୀବନ ବଞ୍ଚାଉ ନାହାନ୍ତି। ବରଂ ରାନ୍ଧିବା, ଜିନିଷ ବୋହିବା ଏବଂ ପୁରୁଷ ନକ୍ସଲଙ୍କୁ ସେବା କରିବାରେ ମଧ୍ୟ ମହିଳାଙ୍କୁ ବ୍ୟବହାର କରାଯାଉଛି। ବଡ଼ବଡ଼ କ୍ୟାଡର ନକ୍ସଲମାନଙ୍କ ଦ୍ବାରା ମହଳା ନକ୍ସଲଙ୍କୁ ଦୁଷ୍କର୍ମ କରାଯିବା ସହ ଶାରୀରିକ ସୁଖ ପାଇଁ ବାଧ୍ୟ କରାଯାଉଛି। ମାଓ ସାମଗ୍ରୀରେ ମିଳୁଥିବା ବିପୁଳ ପରିମାଣର କଣ୍ଡୋମ ହିଁ ଏହା ବୟାନ କରୁଛି। ସଂଗଠନରେ ସବୁବେଳେ ମହିଳା ନିର୍ଯାତିତା ହେଉଛନ୍ତି ଓ ହେଉଥିବେ ବୋଲି ପୁଲିସ କହିଛି।