କଟକ: ଜେଲ୍କୁ ଆସୁଥିବା ପୁରୁଷ ଓ ମହିଳା କଏଦୀଙ୍କ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଏ। ମହିଳା କଏଦୀଙ୍କ ଚିକିତ୍ସା ଜଣେ ମହିଳା ଡାକ୍ତର ହିଁ କରିବେ। ଏ ନେଇ ନୂଆ ଜେଲ୍ ମାନୁଆଲ୍ରେ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। କିନ୍ତୁ ରାଜ୍ୟର ୮୭ ଜେଲ୍ରେ ମୋଟ ମଞ୍ଜୁର ଡାକ୍ତର ପଦବି ସଂଖ୍ୟା ୯୪ ଥିବା ବେଳେ ଅଧାରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଛି। ଏଥିରୁ ଠିକାରେ ମହିଳା ଡାକ୍ତର ପ୍ରାୟ ୭ ଜଣ ଅଛନ୍ତି। ଏଭଳି ସ୍ଥିତିରେ ରାଜ୍ୟରେ ଜେଲ୍ଗୁଡ଼ିକରେ ମହିଳା କଏଦୀଙ୍କ ଚିକିତ୍ସା କିଭଳି ହେଉଛି ଏହା ଏବେ ବିତର୍କିତ ପ୍ରସଙ୍ଗ ହୋଇଛି।
ରାଜ୍ୟରେ ମୋଟ ୮୭ଟି ଜେଲ୍ ଥିବା ବେଳେ ସମ୍ବଲପୁରରେ ଗୋଟିଏ ନାରୀ ବନ୍ଦୀ ନିକେତନ(ମହିଳା ଜେଲ୍) ରହିଛି। ବର୍ତ୍ତମାନ ଜେଲ୍ଗୁଡ଼ିକରେ ୧୭ ହଜାର ୪୯୭ ଜଣ କଏଦୀ ଅଛନ୍ତି। ୧୯୪୨ ପରେ ଅର୍ଥାତ୍ ୭୮ ବର୍ଷ ପରେ ୨୦୨୦ରେ ଜେଲ୍ ମାନୁଆଲରେ ସଂଶୋଧନ ହୋଇଥିଲା। ଗୃହ ବିଭାଗ ପକ୍ଷରୁ ଜାରି ଏହି ନୂଆ ମଡେଲ୍ ମାନୁଆଲ୍ ୨୦୨୦ ସେପ୍ଟେମ୍ବର ୨୯ରୁ ଲାଗୁ କରାଯାଇଥିଲା। ନୂଆ ଜେଲ୍ ମାନୁଆଲ୍ ଅନୁଯାୟୀ, ମହିଳା ଡାକ୍ତର ଜେଲ୍ରେ ରହୁଥିବା ମହିଳା କଏଦୀଙ୍କ ଚିକିତ୍ସା କରିବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ମେଡିକାଲ କଲେଜର ମହିଳା ଡାକ୍ତରଙ୍କୁ ପାର୍ଟଟାଇମ୍ ଭାବେ ମଧ୍ୟ ନିୟୋଜିତ କରାଯାଇପାରିବ। ଜେଲ୍କୁ ନୂଆ କରି ଆସୁଥିବା ମହିଳା କଏଦୀ କିମ୍ବା ପାରୋଲ କିମ୍ବା ସର୍ତ୍ତମୂଳକ ଜାମିନ କିମ୍ବା ସାମୟିକ ଛୁଟିରେ ଜେଲ୍କୁ ଫେରିବା ସମୟରେ ମହିଳା କଏଦୀଙ୍କୁ ମହିଳା ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଯିବ। ଏସବୁ ସିସି କ୍ୟାମେରାରେ ରେକର୍ଡ ହେବ। କିନ୍ତୁ ମହିଳା ଡାକ୍ତର ସଂଖ୍ୟା ପ୍ରାୟ ୭ ଥିବା ବେଳେ ଏହି ଚିକିତ୍ସା ବ୍ୟବସ୍ଥା ପ୍ରଭାବିତ ହେଉଛି। ପୁରୁଷ ଡାକ୍ତର ମହିଳାଙ୍କ ଚିକିତ୍ସା ସମୟରେ ଶରୀରରେ ଷ୍ଟେଥୋ ପକାଇବା କିମ୍ବା ଶରୀରକୁ ସ୍ପର୍ଶ କରିବାକୁ ଡରୁଛନ୍ତି।
ବିଗିଡ଼ିଯାଇଛି ଜେଲ୍ ବିଭାଗର ସ୍ବାସ୍ଥ୍ୟ
ନୂଆ ଜେଲ୍ ମାନୁଆଲ୍ ବାରମ୍ବାର ଝୁଣ୍ଟୁଛି
ନୂଆ ଜେଲ୍ ମାନୁଆଲ୍ ଅନୁଯାୟୀ, ରାଜ୍ୟରେ ଜେଲ୍ଗୁଡ଼ିକୁ ‘ଏ’ ଓ ‘ବି’ ଦୁଇଟି ଶ୍ରେଣୀରେ ଭାଗ କରାଯାଇଛି। ୩୦ରୁ ଅଧିକ ବେଡ୍ ଥିବା ଜେଲ୍ର ଡାକ୍ତରଖାନାକୁ ‘ଏ’ ଶ୍ରେଣୀଭୁକ୍ତ କରାଯାଇଛି। ଏହି ଶ୍ରେଣୀର ଜେଲ୍ରେ ୩ ଜଣ ଡାକ୍ତର, ୩ ଜଣ ନର୍ସ, ୪ ଜଣ ଫାର୍ମାସିଷ୍ଟ, ୩ ଜଣ ନର୍ସିଂ ଆଟେଣ୍ଡାଣ୍ଟ, ଜଣେ ସାଇକ୍ରାଟିକ୍ ଡାକ୍ତର, ୨ ଜଣ ଲାବରେଟୋରି ଟେକ୍ନିସିଆନ୍ ରହିବେ। ସେହିଭଳି ୩୦ରୁ କମ୍ ବେଡ୍ ଥିବା ଜେଲର ଡାକ୍ତରଖାନାକୁ ‘ବି’ ଶ୍ରେଣୀଭୁକ୍ତ ଜେଲ୍ରେ ୨ ଜଣ ଡାକ୍ତର, ଦୁଇ ଜଣ ନର୍ସ, ୩ ଜଣ ଫାର୍ମାସିଷ୍ଟ, ୨ ଜଣ ନର୍ସିଂ ଆଟେଣ୍ଡାଣ୍ଟ, ଜଣେ ଲେଖାଏଁ ସାଇକ୍ରାଟିକ୍ ଡାକ୍ତର, ଜଣେ ଲାବୋରେଟୋରି ଟେକ୍ନିସିଆନ୍ ରହିବା ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଓଡ଼ିଶାର ଜେଲ୍ ବିଭାଗ ନିକଟରେ ରହିଛି। କିନ୍ତୁ ଏହାର କାର୍ଯ୍ୟକାରିତାରେ ଏବେ ବଡ଼ ପ୍ରଶ୍ନଚିହ୍ନ ଲାଗିଛି। ଜେଲ୍ ବିଭାଗର ତଥ୍ୟ ଅନୁଯାୟୀ, ୮୭ ଜେଲ୍ ପାଇଁ ନିୟମିତ ଆସିଷ୍ଟାଣ୍ଟ ସର୍ଜନ ପଦବି ୩୫ ଥିବା ବେଳେ ୩୫ ଅଛନ୍ତି। ସେହିଭଳି ଠିକାଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନ ପଦବି ୫୫ ଥିବା ବେଳେ ଏଥିରୁ ୭ ଜଣ ଅଛନ୍ତି। ୪୮ ଜଣ ନାହାନ୍ତି। ସେହିଭଳି ସ୍ଥାୟୀ ମାନସିକ ରୋଗ ଡାକ୍ତର ପଦବି ୪ଟି ଥିବାବେଳେ ଜଣେ ଅଛନ୍ତି। ୩ଟି ପଦବି ଖାଲି ପଡ଼ିଛି। ଅର୍ଥାତ୍ ମୋଟ ଡାକ୍ତର ପଦବି ସଂଖ୍ୟା ୯୪ ଥିବା ବେଳେ ୪୩ ଜଣ ଅଛନ୍ତି। ଅବଶିଷ୍ଟ ୫୧ ପଦବି ଖାଲିପଡ଼ିଛି। ନୂଆ ଜେଲ୍ ମାନୁଆଲ୍ ଅନୁଯାୟୀ, ମହିଳା ଡାକ୍ତରଙ୍କୁ ଜେଲ୍ରେ ଆଦୌ ଗୁରୁତ୍ବ ଦିଆଯାଉନାହିଁ।
ଜେଲ୍ ବିଭାଗ ବ୍ରିଟିସ୍ ଅମଳର ଜେଲ୍ ମାନୁଆଲ୍କୁ ଜାବୁଡ଼ି ବସିଛି। ଫାର୍ମାସିଷ୍ଟ ମଞ୍ଜୁରି ପଦବି ୮୬ ଥିବା ବେଳେ ୬୧ ଜଣ ଅଛନ୍ତି। ପୁରୁଷ ନର୍ସ କେବଳ ୫ଟି ସର୍କଲ୍ ଜେଲ୍ରେ ମାତ୍ର ୭ଟି ପଦବିକୁ ମଞ୍ଜୁରି ମିଳିଛି। ଏଥିରୁ ୩ ଜଣ ଅଛନ୍ତି। ସରକାର କେବଳ ମଞ୍ଜୁର ପଦବି ସଂଖ୍ୟାରେ ବୃଦ୍ଧି କରିଦେଇଛନ୍ତି। କିନ୍ତୁ କର୍ମଚାରୀଙ୍କ ସ୍ଥିତି ଦୟନୀୟ ହୋଇପଡ଼ିଛି। ଓଡ଼ିଶାରେ କୌଣସି ଜେଲ୍ରେ ପାଥୋଲ୍ୟାବ୍ ନାହିଁ କି ଲାବୋରେଟୋରି ଟେକ୍ନିସିଆନ୍ ବି ନାହାନ୍ତି। ଅସୁସ୍ଥ କଏଦୀଙ୍କ ମଳ, ମୂତ୍ର, ରକ୍ତ, ଏକ୍ସରେ ଇତ୍ୟାଦି ପରୀକ୍ଷା ପାଇଁ କଏଦୀଙ୍କୁ ସୁରକ୍ଷା ବଳୟ ଭିତରେ ଘରୋଇ ପାଥୋଲ୍ୟାବ୍ କିମ୍ବା ସରକାରୀ ଡାକ୍ତରଖାନାକୁ ନେବାକୁ ବାଧ୍ୟ ହେଉଛନ୍ତି। ଜେଲ୍ ବିଭାଗ କଏଦୀଙ୍କୁ ସ୍ଥାନାନ୍ତର କରିବାରେ ଅଯଥା ପରିବହନ ବାବଦରେ ଖର୍ଚ୍ଚାନ୍ତ ହେଉଥିବା ବେଳେ ପୁଲିସ ବଳ ଅଯଥାରେ ଅପଚୟ ହେଉଛି। ଏଭଳି ଅବ୍ୟବସ୍ଥା ଉଦ୍ବେଗ ସୃଷ୍ଟି କରିଛି।