‘ମ୍ୟାଲେରିଆ ନୋ ମୋର’ ପ୍ରତିନିଧିଙ୍କ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା

ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଆବଶ୍ୟକ ୧୫ନିୟୁତ ଔଷଧୀୟ ମଶାରି

ଭୁବନେଶ୍ବର: ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ହାତ ବଢ଼ାଇଥିବା ‘ମ୍ୟାଲେରିଆ ନୋ ମୋର’ର ଦୁଇଜଣିଆ ଜାପାନ ପ୍ରତିନିଧି ଆଜି କାର୍ଯ୍ୟକ୍ରମ ବୁଲି ଦେଖିଛନ୍ତି। ଖୋର୍ଧା ଓ ରାଜଧାନୀ ଉପକଣ୍ଠସ୍ଥିତ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳ ପରିଦର୍ଶନ କରିବା ପରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ସହିତ ଆଲୋଚନା କରିଛନ୍ତି। ଦୁଇ ପ୍ରତିନିଧି ୟୁମିକୋ ଲିଜୁକା ଓ ମିକି ନାଗାସୀମା ରାଜ୍ୟ ସରକାରଙ୍କ ମ୍ୟାଲେରିଆ କାର୍ଯ୍ୟକ୍ରମ ସଂପର୍କରେ ପଚାରି ବୁଝିଥିଲେ। ୨୦୩୦ ସୁଦ୍ଧା ମ୍ୟାଲେରିଆ ବିଲୋପ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ଜାପାନ ସହାୟତା ଲାଗି ଇଚ୍ଛୁକ ଥିବା ସେମାନେ ସୂଚନା ଦେଇଛନ୍ତି। ଡା. ମେହେର୍ଦା ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକ ସଂକ୍ରାନ୍ତରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ମ୍ୟାଲେରିଆ ହ୍ରାସ ପାଇଛି। ଏହି ଧାରା ବଜାୟ ରଖିବାକୁ ହେଲେ ପ୍ରାୟ ୧୫ନିୟୁତ ଔଷଧୀୟ ମଶାରିର ଆବଶ୍ୟକତା ରହିଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମାଇକ୍ରୋସ୍କୋପିକ୍‌ ରକ୍ତ ନମୁନା ପରୀକ୍ଷା, ସ୍ଥାନୀୟ ଭିତ୍ତିରେ ଲୋକଙ୍କୁ ସଚେତନ କରିବା ଆଦି ଜରୁରୀ। ସହଯୋଗୀ ସଂସ୍ଥାମାନେ ନିଜ ନିଜସ୍ତରରେ ଏଥିପାଇଁ ଉଦ୍ୟମ କରିବାକୁ ସେ କହିଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଯୋଗୁଁ ମ୍ୟାଲେରିଆ ପ୍ରକୋପ ୮୦ ପ୍ରତିଶତ ହ୍ରାସ ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ମଡେଲକୁ ଆପଣାଇବା ପାଇଁ ବିଶ୍ବର ଅନ୍ୟ ମ୍ୟାଲେରିଆ ପ୍ରବଣ ଦେଶଗୁଡ଼ିକୁ ପରାମର୍ଶ ଦେଇଛି। ଏପରିକି ବିଶ୍ବ ମ୍ୟାଲେରିଆ ରିପୋର୍ଟ-୨୦୧୮ରେ ରାଜ୍ୟର ସଫଳ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମର ସଫଳତା ପଛରେ ୧ କୋଟି ୧୩ ଲକ୍ଷ ଔଷଧୀୟ ମଶାରି ବଣ୍ଟନ କରାଯାଇଛି। ଆବଶ୍ୟକ ପଡ଼ୁଥିବା ଆହୁରି ୪୦ଲକ୍ଷ ଔଷଧୀୟ ମଶାରି ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ନିକଟରେ ରାଜ୍ୟ ସରକାର ଆମେରିକାସ୍ଥିତ ‘ମ୍ୟାଲେରିଆ ନୋ ମୋର’ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏହି ସଂସ୍ଥା ରାଜଧାନୀରେ କାର୍ଯ୍ୟାଳୟ ଖୋଲିବା ସହିତ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସହାୟତା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଜାପାନ ପ୍ରତିନିଧିଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମରେ ବିଭାଗର ସ୍ବତନ୍ତ୍ର ସଚିବ ଡା. ବି.କେ ବ୍ରହ୍ମା, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଆଞ୍ଚଳିକ ନିର୍ଦେଶକ ଡା. ସନ୍ତୋଷ କୁମାର କର, ଆଞ୍ଚଳିକ ନିର୍ଦେଶକ ଡା. ନୀଲମ ସୋମାଲକର ଓ ମ୍ୟାଲେରିଆ ନୋ ମୋର ଭାରତୀୟ ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର