ସରକାରଙ୍କ ଦୁଇ ଦିନିଆ ସଟଡାଉନକୁ ମାଲଗୋଦାମ ବଣିକ ସଂଘର ସମର୍ଥନ

ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆସନ୍ତା ଅଢ଼େଇ ମାସର ଚାହିଦା ପୂରଣ କରିପାରିବ

କଟକ : ଓଡ଼ିଶାରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର କୌଣସି ଅଭାବ ନାହିଁ। ମାଲଗୋଦାମରେ ଯେତେ ପରିମାଣରେ ସାମଗ୍ରୀ ଗଚ୍ଛିତ ରହିଛି, ତାହା ପାଖାପାଖି ଅଢ଼େଇ ମାସ ପର୍ଯ୍ୟନ୍ତ ବଜାର ଚାହିଦା ପୂରଣ କରି ପାରିବ। ଖାଦ୍ୟ ସାମଗ୍ରୀର ଅଭାବ ଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ବ୍ୟବସାୟୀ ଅପପ୍ରଚାର କରୁଥିବାରୁ ଆଜି ଏଭଳି ସ୍ପଷ୍ଟୀକରଣ ପ୍ରଦାନ କରିଛି କଟକ ବଣିକ ସଂଘ। ଏହାସହିତ ଦୁଇ ଦିନିଆ ସଟ୍ ଡାଉନକୁ ରାଜ୍ୟରେ କିଛି ବ୍ୟବସାୟୀ ବିରୋଧ କରୁଥିବା ବେଳେ ବଣିକ ସଂଘ ତାହାକୁ ନାସପସନ୍ଦ କରିଛି। ସପ୍ତାହରେ ଦୁଇ ଦିନ ସଟଡାଉନ୍ ଜାରି ରଖିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ସଂଘ ସମର୍ଥନ କରୁଛି ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର କୌଣସି ପ୍ରକାର ଅଭାବ ନାହିଁ। ଏବେ ଉଭୟ ଲକଡାଉନ ଓ ସଟଡାଉନ ଜାରି ରହିଥିବାରୁ ମାତ୍ର ୩୦ ପ୍ରତିଶତ ଶ୍ରମିକଙ୍କୁ ନେଇ କମ୍ପାନିଗୁଡ଼ିକରେ କାର୍ଯ୍ୟ ଚାଲୁଛି। ଉତ୍ପାଦନ କମ୍ ଥିବାରୁ କିଛି ଏଫଏମସିଜି(ଫାଷ୍ଟ ମୁଭିଂ କନଜ୍ୟୁମର ଗୁଡସ୍) ଦ୍ରବ୍ୟର ଅଭାବ ପରିଲକ୍ଷିତ ହୋଇଛି। ମାଲଗୋଦାମରେ ମ୍ୟାଗି, ପେଷ୍ଟ, ଡେଟଲର୍ ଅଭାବ ହୋଇଛି। ଅନ୍ୟପଟେ ଡାଲି, ଚାଉଳ, ଚୁଡ଼ା, ଚିନି, ଗୁଡ଼, ଗହମ ଏବଂ ଗହମଜାତ ଦ୍ରବ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଏଥିରେ ଭୟଭୀତ ନହେବାକୁ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଛାଟୋଇ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଛାଟୋଇଙ୍କ ସମେତ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର, ଦୀପକ କୁମାର ଅଗ୍ରଓ୍ବାଲ୍, ଶ୍ୟାମ ସୁନ୍ଦର ଭାଉସିଙ୍ଗା, ପବନ କୁମାର ଅଗ୍ରଓ୍ବାଲ, ରବୀନ୍ଦ୍ର କୁମାର ସାକସେରିଆ, ସମ୍ପତ କୁମାର ଗୋଏଙ୍କା, ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର