ବ୍ରହ୍ମପୁର: ପଶ୍ଚିମ ଆଫ୍ରିକାର ମାଲିରେ ଡାଏମଣ୍ଡ୍ ସିମେଣ୍ଟ୍ ଫ୍ୟାକ୍ଟ୍ରିରେ କାମ କରୁଥିବା ୩ଜଣ ଭାରତୀୟଙ୍କୁ ଅଲ୍କାଏଦା ଆତଙ୍କବାଦୀ ଅପହରଣ କରି ନେଇଛନ୍ତି। ଅପହୃତଙ୍କ ମଧ୍ୟରେ ଗଞ୍ଜାମ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ ଗ୍ରାମର ପି. ଭେଙ୍କଟରମଣା (୨୮) ଅଛନ୍ତି। ପୁଅକୁ ଫେରାଇ ଆଣିବା ପାଇଁ ମା’ ପି. ନାର୍ସାମ୍ମା ହିଞ୍ଜିଳିକାଟୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଉଦ୍ଧାର ପାଇଁ ପରିବାର ଲୋକଙ୍କ ନିବେଦନ
ସୂଚନା ଅନୁସାରେ, ସମରଝୋଳର ସ୍ବର୍ଗତ ପି. ନାରାୟଣଙ୍କ ପୁଅ ଭେଙ୍କଟ ମୁମ୍ବାଇସ୍ଥିତ ବ୍ଲୁ-ଷ୍ଟାର୍ ନାମକ ଏକ ଘରୋଇ କମ୍ପାନିରେ ଗତ ୬ମାସ ହେଲା କାମ କରୁଥିଲେ। କମ୍ପାନି ତରଫରୁ ତାଙ୍କୁ ପଶ୍ଚିମ ଆଫ୍ରିକାର ମାଲିରେ ଥିବା ଡାଏମଣ୍ଡ୍ ସିମେଣ୍ଟ୍ କମ୍ପାନିକୁ ପଠାଯାଇଥିଲା। ସେଠାରେ କାମ କରୁଥିବା ବେଳେ ଦୁଇଦିନ ତଳେ ଅଲ୍କାଏଦା ସହ ସମ୍ପୃକ୍ତ ଏକ ଆତଙ୍କବାଦୀ ସଂଗଠନ ୩ଜଣ ଭାତରୀୟଙ୍କୁ ଅପହରଣ କରି ନେଇଥିଲା।
ଏହି ଘଟଣା ପରେ ଗତକାଲି ମୁମ୍ବାଇସ୍ଥିତ ବ୍ଲୁ-ଷ୍ଟାର୍ କମ୍ପାନିରୁ ଜଣେ ଅଧିକାରୀ ଭେଙ୍କଟଙ୍କ ପରିବାରବର୍ଗଙ୍କୁ ଫୋନ୍ କରିଥିଲେ। ମାଲିରେ କିଛି ଅଘଟଣ ହୋଇଛି, ଆପଣଙ୍କ ପୁଅ ସେଠାରେ ଅଛନ୍ତି, ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଥିଲେ। ଏହି ଖବର ଶୁଣି ପରିବାରବର୍ଗ ତୁରନ୍ତ ଭେଙ୍କଟଙ୍କୁ ଫୋନ୍ କରିଥିଲେ। ହେଲେ ତାଙ୍କର ଫୋନ୍ ସୁଇଚ୍ ଅଫ୍ ରହିଥିଲା। ଏ ନେଇ ଭେଙ୍କଟଙ୍କ ମା’ ତୁରନ୍ତ ହିଞ୍ଜିଳିକାଟୁ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ସହିତ ପୁଅକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କମ୍ପାନି କିମ୍ବା ରାଜ୍ୟ ସରକାରଙ୍କ ତରଫରୁ କୌଣସି ପ୍ରକାର ଯୋଗାଯୋଗ କରାଯାଇ ନାହିଁ। ଯାହାକୁ ନେଇ ପରିବାରବର୍ଗ ଚିନ୍ତାରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/05/fsfsffs-2025-07-05-01-56-26.jpg)