ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲି ଆଶ୍ରମ ବିଦ୍ୟାଳୟରୁ ଜଣେ ଛାତ୍ରୀଙ୍କୁ ଜଣେ ଯୁବକ ଗତ ବୁଧବାର ଅପହରଣ କରି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗଣ୍ତାବାହାଲି ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ନିକଟରେ ଥିବା ଏକ ନଳକୂଅକୁ ପାଣି ନେବାକୁ ଯାଇଥିଲେ। ଏହି ସମୟରେ ସଂପୃକ୍ତ ଯୁବକ ଜଣକ ଛାତ୍ରୀକୁ ଅପହରଣ କରି ସ୍ଥାନୀୟ ହାତୀପଖାନ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ଗାଁର କିଛି ଯୁବକ ସେଠାରେ ପହଞ୍ଚିଯିବାରୁ ସଂପୃକ୍ତ ଯୁବକ ଫେରାର୍ ମାରିଥିଲା। ଗାଁର ଯୁବକମାନେ ଛାତ୍ରୀଙ୍କୁ ଉଦ୍ଧାର କରି ସ୍କୁଲକୁ ଆଣିଥିଲେ।

Advertisment

ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଏନେଇ ଆଲୋଚନା କରାଯିବା ପରେ ସଂପୃକ୍ତ ଯୁବକଙ୍କୁ ଠାବ କରି ସିନାପାଲି ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି। ସଂପୃକ୍ତ ଛାତ୍ରୀ ଜଣକ କଳାହାଣ୍ଡି ଜିଲ୍ଲା କେଗାଁ ଅଞ୍ଚଳର ହୋଇଥିବା ବେଳେ ଅପହରଣ କରିଥିବା ଯୁବକଜଣକ ମଧ୍ୟ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଘଟଣାଟି ଲୋକଲୋଚନକୁ ଆସିବା ପରେ ଆଶ୍ରମ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। ସିନାପାଲି ଡବ୍ଲୁଇଓ ସୁନୀଲ ସାମଲ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛାତ୍ରୀଙ୍କ ପରିବାର ଲୋକ ମଧ୍ୟ ସ୍କୁଲରେ ପହଞ୍ଚି ସଂପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।