୧୨ ବର୍ଷ ପିଲାର ସାହସକୁ ସାବାସୀ! ମୃତ୍ୟୁ ମୁହଁରୁ ଛାତ୍ରୀଙ୍କୁ ଉଦ୍ଧାର କଲେ

ମାଟ୍ରିକ୍‌ରେ ଫେଲ୍‌ ଯୋଗୁ ‌ନଦୀକୁ ଡେଇଁ ପଡ଼ିଥିଲେ

ମାଲକାନଗିରି : ପରୀକ୍ଷାରେ ଫେଲ୍ ହୋଇ ନଦୀକୁ ଡେଇଁ ପଡ଼ିଲେ ଜଣେ ଛାତ୍ରୀ। ‌ପ୍ରଖର ସ୍ରୋତରେ ଭାସି ଯାଉଥିଲେ। ଯଦି ଆଉ କିଛି ମିନିଟ ବିଳମ୍ବ ହୋଇଥାନ୍ତା ତେବେ ମୃତ୍ୟୁ ନିଶ୍ଚିତ। ଏମିତି ସମୟରେ ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଡେଇଁ ପଡ଼ିଲେ ଜଣେ ୧୨ବର୍ଷର ବାଳକ। ଛାତ୍ରୀଙ୍କୁ ଉଦ୍ଧାର କରି କୂଳକୁ ଟାଣି ଆଣିଲେ। ମାଲକାନଗିରି ଜିଲ୍ଲା ବାଲିମେଳା ଅଞ୍ଚଳରେ ଏମିତି ଏକ ଘଟଣା ଆଜି ଘଟିଛି। ମୃତ୍ୟୁ ମୁହଁରୁ ଛାତ୍ରୀଙ୍କୁ ଉଦ୍ଧାର କରିଥିବା ବାଳକ ହେଲେ ସ୍ଥାନୀୟ ବୁଲୁ ମୁଦୁଲି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ବୁଲୁ ପାଇଁ ଛୁଟିଛି ଅଜସ୍ର ଶୁଭେଚ୍ଛା ଏବଂ ସାବାସୀ।

ବାଲିମେଳା ପାୱାର ହାଉସ ଟ୍ରେଲର୍ସନ ପୋଲ ଉପରେ ପ୍ରାୟ ଦୁଇ ଘଟଣା ଧରି ଠିଆ ହୋଇଥିଲେ ଜଣେ ସ୍କୁଲ ଛାତ୍ରୀ। ଅନ୍ୟମନସ୍କ ଏବଂ ଚିନ୍ତାଗ୍ରସ୍ତ ଥିଲେ। ହାବଭାବରୁ ସାମାନ୍ୟ ବିବ୍ରତ ଜଣାପଡ଼ୁଥିଲେ। ସେହି ସମୟରେ ସାଇକଲରେ କୌଣସି କାମରେ ବାହାରିଥିଲା ବୁଲୁ ମୁଦୁଲି। ଛାତ୍ରୀ ଜଣକ ତାଙ୍କୁ ଅଟକାଇ ଫୋନ୍‌ ମାଗିଥିଲେ। କାହା ସହ କଥା ହେବା ପାଇଁ ବ୍ୟଗ୍ର ଥିଲେ। ତେବେ ଫୋନ ନଥିବା କହି ବୁଲୁ ସେଠାରୁ ଚାଲି ଯାଇଥିଲା। କାମ ସାରି ଫେରିବା ବେଳକୁ ପୋଲ ନିକଟରେ ଲୋକଙ୍କ ଗହଳି ସହ ପାଟିତୁଣ୍ଡ ବୁଲୁର ଧ୍ୟାନକୁ ଆକର୍ଷଣ କରିଥିଲା। ତେଣୁ କଥା କଣ ଜାଣିବାକୁ ଉତ୍ସୁକତାର ସହ ଗହଳି ଭିତରେ ପଶିବା ବେଳକୁ ଜାଣିବାକୁ ପାଇଥିଲା ଯେ, ଜଣେ ନାବାଳିକା ପାଣିକୁ ଡେଇଁ ପଡ଼ିଛନ୍ତି। ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପର ୪ଟି ୟୁନିଟ ଚାଲୁ ରହିଥିବାରୁ ପାଣିର ସ୍ରୋତ ପ୍ରଖର ଥିଲା। ଏହି ସ୍ରୋତରେ ନାବାଳିକା ଜଣକ ଭାସି ଯାଉଥିଲେ। କିଛି ସମୟ ପୂର୍ବରୁ ପୋଲ ଉପରେ କଥାବାର୍ତ୍ତା ହୋଇଥିବାରୁ ପୋଷାକ ଦେଖି ବୁଲୁ ନାବାଳିକାକୁ ଚିହ୍ନି ପାରିଥିଲା। ଲୋକଙ୍କ ଭିଡ଼ ରହିଥିଲେ ବି ପାଣିରୁ ନାବାଳିକାଙ୍କୁ ଉଦ୍ଧାର କରିବାକୁ କେହି ସାହସ ଜୁଟାଇ ନଥିଲେ। ଏମିତି ସ୍ଥିତିରେ ବିଳମ୍ବ ନକରି ପାଣିକୁ ଲମ୍ଫ ଦେଇଥିଲା ବୁଲୁ।

ନଦୀର ସ୍ରୋତ ବୁଲୁକୁ ମଧ୍ୟ ଭସାଇ ନେଉଥିବା ବେଳେ ସ୍ରୋତ ବିରୋଧରେ ପହଁରିବାକୁ ତାକୁ କିଛି ସମୟ ଲାଗି ଯାଇଥିଲା। ବହୁ କଷ୍ଟରେ ସେ ଯୁବତୀଙ୍କ ନିକଟରେ ପହଞ୍ଚି ଚୁଟିକୁ ଧରି ପୁଣି କୂଅ ମୁହାଁ ହୋଇଥିଲା। ପ୍ରଚୁର ପାଣି ପିଇ ଦେଇଥିବାରୁ ଆଦୌ ନିଶ୍ବାସ ନେଇପାରୁ ନଥିଲେ ନାବାଳିକା। କିଛି ଲୋକ ପହଞ୍ଚି ପେଟରୁ ପାଣି ବାହାର କରିଥିଲେ। ଝିଅ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ବାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପୂର୍ବରୁ ସଂପୂର୍ଣ୍ଣ ଅପରିଚିତ ଥିଲା ବୁଲୁ ମୁଦୁଲି। ଗରିବ ପରିବାରରେ ଜନ୍ମ ହୋଇଥିବା ବେଳେ ଅକଳରେ ବାପା, ମା’ ଆରପାରିକୁ ଚାଲିଗଲେ। ତେଣୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ବଡ଼ଭଉଣୀଙ୍କ ନିକଟରେ ରହୁଥିବାବେଳେ ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ। ତେବେ ଆଜିର ସାହସିକତା ଏବଂ ମାନବିକତା ସ୍ଥାନୀୟ ଅଞ୍ଚଳରେ ତାକୁ ଜଣେ ‘ହିରୋ’ ଭଳି ପରିଚିତ କରାଇଛି।

ସମ୍ବନ୍ଧିତ ଖବର