ମାଲକାନଗିରି : ଟାଟା ପାୱାରର ମନମୁଖୀ କାର୍ଯ୍ୟ। ପ୍ରଥମେ ବିଦ୍ୟୁତ ସଂଯୋଗ କାଟିଲେ, ଏହାପରେ ଜମିରେ ପଶି ଫସଲ ନଷ୍ଟ କଲେ। ଯାହାର ପ୍ରତିବାଦ କରିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ଉପଭୋକ୍ତା। ରୋଗିଣା ମା’ଙ୍କୁ ରିକ୍ସାରେ ଶୁଆଇ ଦୁଃଖ ଜଣାଇବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ବାହାରି ପଡ଼ିଲେ। କିନ୍ତୁ ରାସ୍ତାରେ ହିଁ ପୁଲିସ ଓ ପ୍ରଶାସନିକ ଅଧିକାରୀ ଅଟକାଇଦେଲେ। ବୁଝାସୁଝା କରି ପୁଣି ଘରକୁ ପଠାଇଦେଲେ। ମାଲକାନଗିରି ସହର ଉପକଣ୍ଠରେ ଆଜି ଏମିତି ଗୋଟିଏ କରୁଣ ତଥା ପୀଡ଼ାଦାୟକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦ୍ୟୁତ ବିଲ୍ ପୈଠ କରିବା ସତ୍ତ୍ବେ ସଂଯୋଗ କାଟି ଦିଆଯିବାରୁ ଉପଭୋକ୍ତା ଜଣକ ଏମିତି କରିଥିବା କହିଛନ୍ତି। ଅପରପକ୍ଷରେ କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା, ତାହାର ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଏମ୍ଭି-୪୧ ଗାଁର ଦୀପକ ଦେ ଘରୋଇ ବ୍ୟବହାର ଏବଂ ଚାଷ ପାଇଁ ପୃଥକ ପୃଥକ ବିଦ୍ୟୁତ ସଂଯୋଗ ନେଇଛନ୍ତି। ଚଳିତ ମାସ ୧୬ତାରିଖ ଦିନ ଘରୋଇ ବ୍ୟବହାର ପାଇଁ ୬୯୬ ଟଙ୍କାର ବିଦ୍ୟୁତ ବିଲ୍ ଆସିଥିଲା। ଯାହାକୁ ସେହି ଦିନ ହିଁ ଦୀପକ ପୈଠ କରିଥିଲେ। ୭ଶହ ଟଙ୍କା ଜମା କରି ରସିଦ ମଧ୍ୟ ସଂଗ୍ରହ କରିଥିଲେ। ସେହିପରି ଉଠାଜଳସେଚନ ପଏଣ୍ଟକୁ ସଂଯୋଗ ହୋଇଥିବା ବିଦ୍ୟୁତ ସଂଯୋଗ ବାବଦରେ ୨୧ହଜାର ୩୯୨ଟଙ୍କା ବିଲ୍ ଆସିଥିଲା। ନାମକୁ ମାତ୍ର ଚାଷୀ ହୋଇଥିବାରୁ ଏକକାଳୀନ ଏତେ ଟଙ୍କା ଜମା କରିବା ସମ୍ଭବ ନ ହେବାରୁ ସେ ସେପ୍ଟେମ୍ବର ୯ତାରିଖ ଦିନ ୭ହଜାର ଟଙ୍କା ପୈଠ କରିଥିଲେ। ମା ଅସୁସ୍ଥ ଥିବା କାରଣରୁ ବଳକା ଟଙ୍କା ସୁବିଧା ଦେଖି ଜମା କରିଦେବେ ବୋଲି ଜଣାଇଥିଲେ। କିନ୍ତୁ ଦୀପକଙ୍କ ସମସ୍ୟାକୁ ଅଣଦେଖା କରି ଟାଟା ପାୱାର କର୍ମଚାରୀ ଦାଉ ସାଧିଲେ। ଘରୁ ପ୍ରଥମେ ବିଦ୍ୟୁତ ସଂଯୋଗ କାଟିଥିବା ବେଳେ ପରବର୍ତ୍ତୀ ସମୟରେ ଜଳସେଚନ ପଏଣ୍ଟରୁ ବିଦ୍ୟୁତ ବିଚ୍ଛିନ୍ନ କରି ଦେଇଥିଲେ। ଏଥିପାଇଁ କର୍ମଚାରୀମାନେ ଜମିରେ ପଶି ଫସଲ ନଷ୍ଟ କରିଥିବା ଦୀପକ ଅଭିଯୋଗ କରିଛନ୍ତି।
ପତ୍ନୀଙ୍କ ନାମରେ ବିଦ୍ୟୁତ ସଂଯୋଗ ରହିଥିବା ବେଳେ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତାରେ ରହିଥିଲେ ଦୀପକ। କୋରାପୁଟ ଜିଲ୍ଲା ଲମତାପୁଟ ସ୍ଥିତ ଆଶାକିରଣ ଡାକ୍ତରଖାନାରେ ମା’ଙ୍କ ଚିକିତ୍ସା ଚାଲିଛି। ପ୍ରାୟ ୩ଲକ୍ଷ ଟଙ୍କା ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇ ସାରିଥିବାବେଳେ ଆହୁରି ୫ଲକ୍ଷ ଟଙ୍କା ଆବଶ୍ୟକ। ଏମିତି ସ୍ଥିତିରେ ବିଦ୍ୟୁତ ବିଲ୍ ପୈଠ କରିବାରେ ସେ ସକ୍ଷମ ହୋଇ ନଥିଲେ। ତଥାପି ବିଦ୍ୟୁତ ସଂଯୋଗ କାଟି ଦିଆଯିବାରୁ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିବାକୁ ଦୀପକ ନିଷ୍ପତ୍ତି ନେଇଥିଲେ। ନିରବ ପ୍ରତିବାଦ ସହ ମା’ଙ୍କ ପ୍ରକୃତ ଅବସ୍ଥା ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆଜି ଗାଁରୁ ମା’ଙ୍କୁ ନେଇ ବାହାରିଥିଲେ। ତେଣୁ ଗୋଟିଏ ଟ୍ରଲି ରିକ୍ସାରେ ତାଙ୍କୁ ଶୁଆଇ ଦେଇତିଳେ। ନିଜେ ତାହାକୁ ଭିଡ଼ି ୨୨କିଲୋମିଟର ଦୂର ମାଲକାନଗିରି ସହର ଅଭିମୁଖେ ବାହାରିଥିଲେ। ଦିନ ଦପହରରେ ଏମିତି ଦୃଶ୍ୟ ରାସ୍ତାରେ ଯାଉଥିବା ଲୋକଙ୍କୁ ତାଜୁବ କରିଥିଲା। ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ତତ୍ପରତା ପ୍ରକାଶ ପାଇଥିଲା। ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଦୀପକଙ୍କୁ ରାସ୍ତାରେ ଅଟକାଇଥିଲେ।
ଅନ୍ୟପଟେ ଯେଉଁ କର୍ମଚାରୀ ବିଦ୍ୟୁତ କାଟିଛନ୍ତି ତାଙ୍କୁ ତୁରନ୍ତ ବହିଷ୍କାର କରାନଗଲେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ହିଁ ମୃତ୍ୟୁବରଣ କରିବେ ବୋଲି ଦୀପକ ଜିଦ୍ କରିଥିଲେ। ପୁଲିସ ବୁଝାସୁଝା କରି ଦୀପକଙ୍କ ବୃଦ୍ଧା ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତୁରନ୍ତ ଦୀପକଙ୍କ ଘରେ ବିଦ୍ୟୁତ ସଂଯୋଗ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଏ ନେଇ ଟାଟା ପାୱାର ଏସ୍ଡିଓ ସରୋଜ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସଂଧ୍ୟା ସୁଦ୍ଧା ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/mal.jpg)