ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଆନ୍ଦୋଳନ କୁହୁଳୁଛି

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲଙ୍କ ବିରୋଧରେ ଆନ୍ଦୋଳନ କ୍ରମଶଃ ଦାନା ବାନ୍ଧିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନୈତିକ ନେତାଙ୍କ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ଜିଲ୍ଲାତମାମ ଚର୍ଚ୍ଚା ଜୋର୍‌ ଧରିଛି।

ଗତ କିଛିଦିନ ପୂର୍ବେ ପୂର୍ବତନ ସାଂସଦ ତଥା ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାପାଳଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଜିଲ୍ଲାପାଳ ତଳସ୍ତରରୁ ପିସି ଆଦାୟ କରୁଛନ୍ତି ,ଏପରିକି ଆଦିବାସୀ ପିଲାଙ୍କ ସ୍କୁଲ ଡ୍ରେସ୍‌ କିଣାରେ ମଧ୍ୟ ପିସି ଆଦାୟ କରୁଥିବା ଅଭିଯୋଗରେ ଦର୍ଶାଇଥିଲେ। ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ, ଅଫିସର୍‌ ପଠାଇ କ୍ରସର୍‌ଗୁଡ଼ିକ ବନ୍ଦ କରିଦେବା ଫଳରେ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି। ଜିଲ୍ଲାପାଳଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଆସନ୍ତା ୧୦ ତାରିଖ ଦିନ କଂଗ୍ରେସ ପକ୍ଷରୁ ଆନ୍ଦୋଳନର ଚେତାବନୀ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଭୁବନେଶ୍ବରଠାରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସମୟରେ ଜିଲ୍ଲାପାଳଙ୍କ ଉପରେ କୁଆଡେ ଅସନ୍ତୋଷ ପ୍ରକାଶ କରିଥିବା କଥାକୁ କିଛି ସରକାରୀ ଅଧିକାରୀ ଏବଂ ଠିକାଦାର ନିଜ ନାମକୁ ଗୋପନ ରଖି ପ୍ରକାଶ କରିଛନ୍ତି ।

ଏଥିସହିତ, ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଜିଲ୍ଲାପାଳ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି। କିଛିଦିନ ପୂର୍ବେ ଜିଲ୍ଲାପାଳ ପିଏ ଶ୍ରୀ ପଣ୍ଡାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ। ସେହି ଚାପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ପିଏଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଏଯାବତ୍‌ ସ୍ପଷ୍ଟ ହୋଇନଥିବ‌ାବେଳେ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ବି ଚର୍ଚ୍ଚା ଜୋର୍‌ ଧରିଥିଲା।

ନିକଟରେ ଜିଲ୍ଲାପାଳଙ୍କ ବିରୋଧରେ ଅସନ୍ତୋଷ କିଭଳି ଦାନା ବାନ୍ଧୁଛି, ଆଉ ଏକ ଘଟଣାରୁ ତାହା ସ୍ପଷ୍ଟ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଚେରିରେ ତାଙ୍କ ବିରୋଧରେ ବହୁ କଟୁ କଥା ଲେଖାଯାଇଥିବା ଦେଖିବାକୁ ମିଳିଛି। ଆହୁରି ମଧ୍ୟ ଲେଖାଯାଇଥିଲା ‌େଯ, ‘ବ୍ୟକ୍ତିଗତ ସହାୟକ ପଣ୍ଡାଙ୍କ ପାଇଁ ଜିଲ୍ଲାପାଳ ଦାୟୀ।’

ଏହିଭଳି ଭାବେ ଜିଲ୍ଲାପାଳଙ୍କ ବିରୋଧରେ ପାନ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ଛକରେ ଆଲୋଚନା ଚାଲିଥିବାବେଳେ ଗୋଟିଏ ପରେ ଗୋଟିଏ ସଂଗଠନ ଏଥିନେଇ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି। ଜିଲ୍ଲା ଆଦିବାସୀ ମହାସଂଘ ବି ଜିଲ୍ଲାପାଳଙ୍କ କାର୍ଯ୍ୟକଳାପକୁ ନେଇ ଟିପ୍ପଣୀ କରିବା ସହିତ ଜିଲ୍ଲା ପ୍ରଶାସନ ଜବରଦସ୍ତ ପିସି ଆଦାୟ କରୁଥିବା ଅଭିଯୋଗ ଆଣିଛନ୍ତ ସଂଘର ସଭାପତି ଘନଶ୍ୟାମ ମାଡ଼କାମୀ।

ସମ୍ବନ୍ଧିତ ଖବର