ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ସନ୍ଦେହଜନକ ମୃତ୍ୟୁ: ନିଖୋଜ ଥିଲେ; ଡ୍ୟାମ୍‌ରୁ ଉଦ୍ଧାର ହେଲା ଶବ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ଶୁକ୍ରବାରଠାରୁ ନିଖୋଜ ଥିଲେ। ପୁଲିସ ଖୋଜାଖୋଜି କରୁଥିଲା। ତେବେ ଆଜି ସକାଳେ ସନ୍ଦେହଜନକ ଅବସ୍ଥାରେ ସତୀଗୁଡ଼ା ଡ୍ୟାମରୁ ମିଳିଲା ଶବ। ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନଥିବା ବେଳେ ତାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ଉଠିଛି ନାନା ପ୍ରଶ୍ନ। ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଥିବାରୁ ସନ୍ଦେହ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଗତକାଲି ଶ୍ରୀ ପଣ୍ଡା ହଠାତ୍ ନିଖୋଜ ହୋଇଯାଇଥିଲେ। ରାତି ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକ ମାଲକାନଗିରି ଥାନାରେ ଏ ନେଇ ଏତଲା ଦେଇଥିଲେ। ପୁଲିସ ଏହି ଏତଲା ଭିତ୍ତିରେ ତଦନ୍ତ ଆରମ୍ଭ କରିଥିଲେ ବି ସନ୍ଧାନ ପାଇ ନଥିଲା। ତେବେ ଆଜି ସକାଳେ ସତୀଗୁଡ଼ା ଡ୍ୟାମ ନିକଟରେ ତାଙ୍କ ମୋଟର ସାଇଲକ ଏବଂ ହେଲମେଟ ଦେଖିବାକୁ ମିଳିଥିଲା। ଏହାପରେ ଆଖପାଖ ଅଞ୍ଚଳରେ ସନ୍ଧାନ କରିବା ପରେ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ପହଞ୍ଚି ପାଣିରେ ବହୁ ସମୟ ଧରି ଖୋଜାଖୋଜି କରି ଶେଷରେ ଦେବ ନାରାୟଣଙ୍କ ଶବ ବାହାରକୁ କାଢ଼ିଥିଲେ।

ଶବ ମିଳିବା ପରେ ପରିବାର ଲୋକ ସ୍ତବ୍ଧ ହୋଇଯାଇଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଥିଲା। ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନଥିବାରୁ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି। ଅନ୍ୟପଟେ ସ୍ବର୍ଗତ ଶ୍ରୀ ପଣ୍ଡାଙ୍କ ପତ୍ନୀଙ୍କ କହିବା ହେଲା ସବୁବେଳେ କାମ ଚାପରେ ରହୁଥିଲେ। ତେଣୁ ମାନସିକ ସ୍ତରରେ ସେ ଭାଙ୍ଗି ପଡ଼ିଥିଲେ। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୌଣସି କାମକୁ ନେଇ ସେ ଗତ କିଛିଦିନ ହେଲା ଚିନ୍ତାରେ ଥିଲେ। ତେଣୁ ଏମିତି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ପୁଲିସ ଏହାର ନିରପେକ୍ଷ ତଦନ୍ତ କରି ଘଟଣାରୁ ପର୍ଦା ଉନ୍ମୋଚନ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର