ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ହତ୍ୟା ମାମଲା : କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ

ସନ୍ଦେହରେ ରହିଛି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ଭୂମିକା

ଏସ୍‌ପି ସମେତ ୫ ଅଧିକାରୀଙ୍କ ବିରୋଧରେ ମକଦ୍ଦମା

ଭୁବନେଶ୍ବର/ମାଲକାନଗିରି : ବହୁଚର୍ଚ୍ଚିତ ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ। ଗୁରୁବାର ଏ ନେଇ ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ପୁଲିସ ଡିଜି ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ସମାନ୍ତରାଳ ଭାବେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏ ସଂକ୍ରାନ୍ତରେ ନିର୍ଦେଶ ଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ତିନି ଜଣିଆ ଏସଆଇଟି ଗଠନ କରାଯାଇଛି। ଆସନ୍ତାକାଲିଠାରୁ ଏହି ମାମଲାର ତଦନ୍ତ ଆରମ୍ଭ କରାଯିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ ଖୁବଶୀଘ୍ର ଏକ ଟିମ୍ ଗଠନ କରାଯାଇ ଏହି ମାମଲାର ଯାଞ୍ଚ କରାଯିବ। ଯେହେତୁ ଏହି ମାମଲାଟି ପୁରୁଣା, ଏଣୁ ପ୍ରଥମେ କ୍ରାଇମବ୍ରାଞ୍ଚ କାଗଜପତ୍ର ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଦକ୍ଷେପ ନେବ। ସ୍ମରଣଯୋଗ୍ୟ ଯେ ଏହି ମାମଲାରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଅଗ୍ରଵାଲଙ୍କ ଭୂମିକା ବିବାଦରେ ରହିଛି। ରାଜ୍ୟ ସରକାରଙ୍କୁ ଦେବ ନାରାୟଣଙ୍କ ପତ୍ନୀ ଆପତ୍ତି ପରେ ବି ଠୋସ୍ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ, ସ୍ଥାନୀୟ ପୁଲିସର ଭୂମିକା ନେଇ ବି ବିବାଦ ସୃଷ୍ଟି ହୋଇଥିଲା। ୨୦୧୯ ଡିସେମ୍ବର ୨୭ ତାରିଖରେ ଦେବ ନାରାୟଣ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କ ଶବ ସତୀଗୁଡ଼ା ଡ୍ୟାମ ନିକଟରୁ ଉଦ୍ଧାର କରାଯାଇଥିଲା।

ଅନ୍ୟପକ୍ଷରେ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି ଏସ୍‌ଡିଜେମଏଙ୍କ କୋର୍ଟରେ ସାନି ୱାନ୍ ସିସି ମକଦ୍ଦମା ରୁଜୁ କରିବାପରେ ଏହି ଘଟଣା ନୂଆମୋଡ଼ ନେଇଛି। ଏହି ମାମଲାରେ ବନଜା ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ, ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ, ଡିଆଇବିର ପୂର୍ବତନ ଇନସ୍‌ପେକ୍ଟର ସୌମ୍ୟ ଶେଖର ତ୍ରିପାଠୀ, କନେଷ୍ଟବଳ ଶ୍ରୀ ପାଢ଼ୀ, କୁମାର ମୁନ୍ନା ଏବଂ ରମାକାନ୍ତ ପ୍ରଧାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ଅଭିଯୋଗରେ ବନଜା ଦର୍ଶାଇଛନ୍ତି ଯେ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଦିନ ଠାରୁ ତାଙ୍କ ପରିବାରକୁ ପୁଲିସ ବାରମ୍ବାର ଉପେକ୍ଷା କରିଚାଲିଛି। ଏପରିକି ପୁଲିସ ତାଙ୍କୁ ଧମକାଇ, ଚାପ ପ୍ରୟୋଗ କରି ମାମଲା ପ୍ରତ୍ୟାହାର କରିବାକୁ ବାଧ୍ୟ କରୁଛି। ଏଭଳି ୧୩ଟି ଅଭିଯୋଗ ସହ ଏସ୍‌ଡିଜେଏମଙ୍କ କୋର୍ଟରେ ମକଦ୍ଦମା ଦାୟର କରିଛନ୍ତି। ଏ ନେଇ କେସ ନମ୍ବର ୫/୨୦୨୧ ଅନୁଯାୟୀ ଦଫା ୫୦୬, ୨୦୪, ୨୦୩, ୨୦୨, ୨୦୧, ୧୯୬, ୧୯୩, ୧୯୨, ୧୧୯, ୧୧୫, ୧୦୭, ୧୨୦(ବି) ଏବଂ ୩୪ ଆଇପିସି ଧାରା ଲଗିଥିବା ଜଣାପଡ଼ିଛି। ଏଥିରେ ସାକ୍ଷୀ ଭାବେ ନିବେଦିତା ପଣ୍ଡା ଏବଂ ବିବେକ ପଣ୍ଡା ରହିଛନ୍ତି। ଯାହାକି ପୁଲିସର ଅଡ଼ୁଆକୁ ବଢ଼ାଇ ଦେଇଥିବା ନେଇ ଜୋରସୋର୍‌ ଆଲୋଚନା ହେଉଛି।

ସୂଚନାଯୋଗ୍ୟ ଯେ ଦେବନାରାୟଣଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ ବନଜା। ଏପରିକି ଏ ନେଇ ସେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ତେବେ ପୁଲିସ ମାମଲା ରୁଜୁ କରିବାରେ ବିଳମ୍ବ କରିବାରୁ ବନଜା ମାଲକାନଗିରି ଏସ୍‌ଡିଜେଏମଙ୍କ କୋର୍ଟରେ ହାଜର ହୋଇ ଜିଲ୍ଲାପାଳ ସମେତ ଅନ୍ୟ ତିନିଜଣଙ୍କ ନାମରେ ମକଦ୍ଦମା କରିଥିଲେ। କୋର୍ଟ ମାମଲାକୁ ଗ୍ରହଣ କରି ମାଲାକନଗିରି ପୁଲିସକୁ ତୁରନ୍ତ ହତ୍ୟା ମାମଲା ରୁଜୁ କରିବା ସହ ତତ୍କାଳୀନ ଜିଲ୍ଲାପାଳଙ୍କ ସମେତ ୪ଜଣଙ୍କୁ ପକ୍ଷଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବନଜା ପୁଲିସ ବିରୋଧରେ ପୁଣି କୋର୍ଟରେ ମକଦ୍ଦମା ଦାୟର କରିଥିବାରୁ ଏହି ମାମଲାର କେଉଁ ଦିଗରେ ଯିବ, ତାହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର