ମାଛ ଧରୁଛନ୍ତି ପୂର୍ବତନ ବିଧାୟକ, ଆର୍ଥିକ ଅନଟନରେ ବିତୁଛି ଜୀବନ

ପଡିଆ : ବିଧାୟକ ଭାବେ ନିର୍ବାଚିତ ହୋଇ ଜିଲ୍ଲାର ଉନ୍ନତି ପାଇଁ ପୂରା ସମୟ ଉତ୍ସର୍ଗ କଲେ। କିନ୍ତୁ ପରବର୍ତୀ ସମୟରେ କର୍ମୀ, ଦଳ ଓ ଜନତା ତାଙ୍କୁ ଭୁଲି ଗଲେ। ବାଧ୍ୟ ହୋଇ ରାଜନୀତି ଠାରୁ ଦୂରେଇ ଯାଇଥିବା ବେଳେ ଏବେ ବିତାଉଛନ୍ତି ଅସହାୟ ଜୀବନ। ବଞ୍ଚିବା ପାଇଁ ଅହରହ ସଂଘର୍ଷ କରୁଛନ୍ତି। ପରିବାର ଚଳାଇବା ପାଇଁ କେତେବେଳେ ଡଙ୍ଗା ଧରି ଯାତ୍ରୀଙ୍କୁ ନେଉଛନ୍ତି ତ’ ପୁଣି କେତେବେଳେ ନଦୀରେ ଜାଲ ପକାଇ ମାଛ ଧରୁଛନ୍ତି। ବାରମ୍ବାର ଉପେକ୍ଷାର ଶିକାର ହୋଇ ଏମିତି କ୍ଷୋଭ ପ୍ରକାଶ କରିଛନ୍ତି ମାଲକାନଗିରିର ପୂର୍ବତନ ବିଧାୟକ ନାକା ଲାଛମାୟା।

ଦୁର୍ଗମ ପଡ଼ିଆ ବ୍ଲକର କମାରଗୁଡ଼ା ଗାଁରେ ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ ନାକା ଲାଛମାୟା। ଜନସେବା ପାଇଁ ନିଷ୍ପତ୍ତି ନେଇ ୧୯୬୫ ମସିହାରେ ଗ୍ରାମ ସେବକ ଚାକିରି ଛାଡ଼ିଥିଲେ। ଏହାପରେ କଂଗ୍ରେସ ଦଳରେ ସାମିଲ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ। ୧୯୭୭ ମସିହାରେ କଂଗ୍ରେସ ଦଳରୁ ଟିକଟ ପାଇ ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲେ। କିନ୍ତୁ ପ୍ରଥମ ପଦାର୍ପଣରେ ସେ ହାରିଗଲେ। ପରାଜୟର ସାମ୍ନା କରି ଧୈର୍ଯ୍ୟ ନହରାଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। ୧୯୮୦ ମସିହାରେ ବିଧାନସଭା ଭାଙ୍ଗି ଯିବାରୁ ପରବର୍ତୀ ନିର୍ବାଚନରେ କଂଗ୍ରେସ ତାଙ୍କୁ ପୁଣି ସୁଯୋଗ ଦେଇଥିଲା। ଉତ୍ତମ ଲୋକ ସଂପର୍କ ଯୋଗୁଁ ଏହି ନିର୍ବାଚନରେ ନାକା ବିପୁଳ ଭୋଟରେ ବିଜୟ ହୋଇଥିଲେ।

ବିଧାନସଭାକୁ ନିର୍ବାଚିତ ହେବା ପରେ ମାଲକାନଗିରିକୁ ଉନ୍ନତି ପଥରେ ଆଗେଇ ନେବାକୁ ନାକା ଚେଷ୍ଟା କରିଥିଲେ। ତାଂକ ଅମଳରେ ମାଲକାନଗିରିରେ ଆଇଟିଡିଏ କାର୍ଯ୍ୟାଳୟକୁ ସ୍ଥାପନ କରିଥିଲେ। ଏଥିସହ ଏମଭି-୭୯ରେ କୋର୍ଟ ସ୍ଥାପନ, ବହୁ ବିଦ୍ୟାଳୟକୁ ହାଇସ୍କୁଲର ମାନ୍ୟତା ଭଳି ବହୁ ଜନହିତକର କାମ କରିଥିଲେ। ତେବେ ୧୯୯୦ ମସିହାରେ ନିର୍ବାଚନ ପରାଜୟ ପରେ ପୂରା ଜୀବନ ବଦଳି ଗଲା। କର୍ମୀ ଓ ନେତାମାନେ ଧିରେ ଧିରେ ଦୂରେଇ ଗଲେ। ପରୋକ୍ଷରେ ରାଜନୀତିରୁ ସନ୍ନ୍ୟାସ ନେବାକୁ ତାଙ୍କୁ ବାଧ୍ୟ କରାଗଲା। ଦିନେ ବିଧାୟକ ଭାବେ ଯେଉଁ ସମ୍ମାନ ପାଉଥିଲେ ତାହା ଆଉ ମିଳିଲା ନାହିଁ। ବାଧ୍ୟ ହୋଇ ନିର୍ବାସିତ ଜୀବନ ବିତାଇବାକୁ ବାଧ୍ୟ ହେଲେ ଏହି ଆଦିବାସୀ ନେତା। ମାଲକାନଗିରି ଏବଂ କଂଗ୍ରେସ ପାଇଁ ସେ ନିଜର ସମସ୍ତ ଜୀବନ କାଳକୁ ଲଗାଇ ଦେଇଥିବା ବେଳେ ତାଂକୁ ଏବେ କେହି ମଧ୍ୟ ପଚାରୁନାହାନ୍ତି। ସରକାରଙ୍କ ତରଫରୁ ତାଂକୁ ଭତ୍ତା ମିଳୁଛି ସତ। ହେଲେ ତାହା ବି ଏବେ ବାର୍ଧ୍ୟକରେ ନିଅଣ୍ଟ ପଡ଼ୁଛି। ଆର୍ଥିକ ଅନଟନରେ ପରିବାର ଗତି କରୁଛି। ଏପରିକି ଅର୍ଥ ଅଭାବରୁ ଅସୁସ୍ଥ ହେଲେ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇପାରୁ ନାହାନ୍ତି। ଦିନକୁ ଦିନ ବଢ଼ୁଥିବା ପରିବାରର ଦାୟିତ୍ୱକୁ ମୁଣ୍ଡାଇ ଚାଲିଥିବା ବେଳେ ବର୍ତମାନ ସାବେରୀ ନଦୀରେ ଡଂଗା ଚଲାଇ ପରିବାରର ପ୍ରତିପୋଷଣ କରୁଛନ୍ତି। ବର୍ଷା ଦିନରେ ଡଙ୍ଗା ଚଳାଚଳ ବନ୍ଦ ହେଲେ ନଦୀକୁ ଜାଲ ଧରି ଯାଉଛନ୍ତି। ମାଛ ଧରି ବଜାରରେ ବିକ୍ରି କରୁଥିବା କ୍ଷୋଭର ସହ କହିଛନ୍ତି ଏହି ପୂର୍ବତନ ବିଧାୟକ।

ସେତେବେଳର ବିଧାୟକ ଓ ବର୍ତମାନର ବିଧାୟକଙ୍କ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି। ସେତେବେଳେ ନେତା ରାଜନୀତି କରୁଥିଲେ ସତ କିନ୍ତୁ ଲୋକଙ୍କ ପାଇଁ ଏବଂ ସମାଜର ଉନ୍ନତି ପାଇଁ ନିଜକୁ ଉତ୍ସର୍ଗୀକୃତ କରୁଥିଲେ। ଏବେ ମଧ୍ୟ ବିଧାୟକମାନେ ତାହା କରୁଛନ୍ତି କିନ୍ତୁ ଫରକ ରହିଛି। ବର୍ତ୍ତମାନ ସେ ଜୀବନର ଅପରାହ୍ନରେ ପହଞ୍ଚିଥିବା ବେଳେ ନିଜର କିଛି ମୁହୂର୍ତ୍ତ ସାବେରୀ ନଦୀରେ ମାଛ ଧରିବାରେ ଦିନ କାଟୁଥିବା କହିଥିଲେ। ହୁଏତ ବର୍ତମାନର ଯୁବ ପିଢ଼ି ତାଂକୁ ଜାଣିନଥିବେ। ତାଂକୁ ପ୍ରଶାସନ ତରଫରୁ ଅଣଦେଖା କରାଯିବା ସହ କୌଣସି କାର୍ଯ୍ୟକ୍ରମରେ ଡକାଯାଉନାହିଁ। ମାଲକାନଗିରିର ଉନ୍ନତି ପାଇଁ ଜୀବନବ୍ୟାପୀ ସଂଗ୍ରାମ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତାଂକୁ ଭୁଲିଯିବା କଥା ତାଙ୍କୁ ବ୍ୟଥିତ କରୁଥିବା ସେ କହିଛନ୍ତି। ଏଭଳି ଅବସ୍ଥାରେ ତାଙ୍କୁ ଯଦି ଉପଯୁକ୍ତ ସମ୍ମାନ ଦେବା ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବଳକା ଜୀବନ ଅଥଚ ଶାନ୍ତିରେ କଟିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର