ମାଲକାନାଗିରି : ଓଡ଼ିଶା ପୁଲିସ ପକ୍ଷରୁ ମାଓ ବିରୋଧୀ ଅଭିଯାନ ଜୋରଦାର କରାଯିବ । ମାଓ ଉପଦ୍ରୁତ ଅଞ୍ଚଳରେ ସାଧାରଣଲୋକ ଯେଭଳି ଅପେରସନ ସମୟରେ ଅସୁବିଧାରେ ନ ପଡ଼ିବେ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯିବ । ଏନେଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ଓଡ଼ିଶା ପୁଲିସର ଶୀର୍ଷ ଅଧିକାରୀ । ମାଓ ଉପଦ୍ରୁତ ମାଲକାନାଗିରି ଜିଲ୍ଲାରେ ମାଓ ବିରୋଧି ଅପେରେସନ କିପରି ଚାଲିଛି ତାହାର ସରଜମିନ ସମୀକ୍ଷା କରିଛନ୍ତି ଓଡ଼ିଶା ପୁଲିସ ଡ଼ିଜି ଡ଼ା.ଆର୍.ପି ଶର୍ମା । ସେ ଗୁରୁବାର ମାଲକାନାଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଗସ୍ତ କରିଥିଲେ ।
ଏହି ଗସ୍ତ ସମୟରେ ତାଙ୍କ ସହ ବିଏସ୍ଏଫ୍ର ଏଡ଼ିଜି ଏବଂ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ସାମିଲ ଥିଲେ । ଡ଼ିଜିପି ଶର୍ମା ବିଚ୍ଛିନ୍ନାଞ୍ଚଳର ଜୋଡ଼ାମ୍ବୋ କ୍ୟାମ୍ପ ପରିଦର୍ଶନ କରିଥିଲେ । ମାଓ ଉପଦ୍ରୁତ ଅଞ୍ଚଳରେ କିଭଳି ଭାବରେ ଅଧିକ ସୁରକ୍ଷା କର୍ମି ନିଯୁକ୍ତ ହେବେ ତାହା ସେ ସ୍ଥାନୀୟ ଅଧିକାରୀମାନଙ୍କ ସହ ଅଲୋଚନା କରିଥିଲେ । ଏଥି ସହ ଘଞ୍ଚ ଜଙ୍ଗଲ ଭିତରକୁ ଅପରେସନ ଲାଗି ଯାଉଥିବା ସୁରକ୍ଷା କର୍ମୀମାନଙ୍କୁ କିଭଳି ଗୁଳିଗୋଳା ଓ ଖାଦ୍ୟପାନୀୟ ଯୋଗାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ।
ଡ଼ିଜିପିଙ୍କ ଏହି ଗସ୍ତ ସମୟରେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସୁନିଲ ରାୟ,ଆଇଜି(ଅପରେସନ୍ସ) ଆର୍ପି କୋଚେ ଓ ମାଲକାନଗିରି ଏସ୍ପି ଜଗମୋହନ ମୀନା ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।