ମାଲକାନଗିରିରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା ମାମଲା : ପୁଲିସ୍‌ ଉପରେ ଦୋଷ ଲଦିଲା କଂଗ୍ରେସ

ଭୁବନେଶ୍ୱର : ମାଲକାନଗିରି ସଦର ମହକୁମା ପୁଲିସ୍‌ କ୍ୟାଣ୍ଟିନ୍‌ରେ କାମ କରୁଥିବା ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା କରାଯାଇଛି। କିନ୍ତୁ ଘଟଣା ଚପାଇ ଦେବାକୁ ପୁଲିସ୍‌ ଚକ୍ରାନ୍ତ କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

ଆଜି ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ମାଲକାନଗିରିରେ ଏବେ ରାଜଧାନୀ ଠାରୁ ଅଧିକ ପୁଲିସ୍‌ ଓ ପାରା ମିଲିଟାରି ଫୋର୍ସ କାର୍ଯ୍ୟ କରୁଛନ୍ତି। ପୁଲିସ୍‌ ଛାଉଣି ଭିତରେ ଆଦିବାସୀ ମହିଳାଙ୍କୁ କିପରି ଭାବେ ଗଣଦୁଷ୍କର୍ମ ଓ ହତ୍ୟା କରାଯାଏ, ତାହା ଏହି ଆଦିବାସୀ ମହିଳା ଚନ୍ଦ୍ରମା‌ ଭୂମିଆଙ୍କ ହତ୍ୟା ଘଟଣାକୁ ସ୍ପଷ୍ଟ ହୋଇପଡ଼ୁଛି। ଚନ୍ଦ୍ରମା ବହୁ ବର୍ଷ ଧରି ମାଲକାନଗିରି ସଦର ମହକୁମା ପୁଲିସ୍‌ କ୍ୟାଣ୍ଟିନ୍‌ରେ ହେଲ୍‌ପର୍‌ ଭାବେ କାର୍ଯ୍ୟ କରି ଆସୁଥିଲା। ଗତ ମେ’ ୭ ତାରିଖରେ ସେଠାରେ କାର୍ଯ୍ୟରତ ପୁଲିସ୍‌ କର୍ମଚାରୀ ଚନ୍ଦ୍ରମାର ସ୍ବାମୀ ବୁଦୁରା ଗୌଡ଼କୁ ଖବର ଦେଲେ ଯେ ଚନ୍ଦ୍ରମାର ଦେହ ଅସୁସ୍ଥ ଓ ସେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି। ସେଠାକୁ ବୁଦୁରା ଗୌଡ଼ ଯାଇ ଦେଖିଲେ ଯେ ଚନ୍ଦ୍ରମା ଅଚେତ ଥିଲା ଓ ଗୁରୁତର ଭାବେ ମୃତ୍ୟୁ ସହ ସଂଗ୍ରାମ କରୁଥିଲା। ତା’ ଦେହ ସାରା ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା। ସେଠାରେ ଡାକ୍ତର ମଧ୍ୟ ଚିିକିତ୍ସାରେ ଘୋର ଅବହେଳା କରିଥିଲେ। ତା’ର ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିବାରୁ ପରେ ତା’କୁ ପରବର୍ତ୍ତୀ ସମୟରେ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲ ଓ ‌ପରେ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟରୁ ବ୍ରହ୍ମପୁର ଯିବା ବାଟରେ ହିଁ ରାୟଗଡ଼ାରେ ଚନ୍ଦ୍ରମା ମୃତ୍ୟୁବରଣ କରିଥିଲା। ବାଟରେ ପୁଲିସ୍‌ ୬ଟି ସାଧା କାଗଜରେ ଆମ୍ବୁଲାନ୍ସରେ ଯାଉଥିବା ଚନ୍ଦ୍ରମା’ର ସ୍ବାମୀ ଓ ତା’ର ଦ୍ବିତୀୟ ସ୍ତ୍ରୀ ଯମୁନା ମାଟିଆର ଟିପ ଚିହ୍ନ ନେଇଥିଲା। ଚନ୍ଦ୍ରମା’ର ମୃତ୍ୟୁ ହେବା ପରେ ପୁଲିସ୍‌ ତା’ ସ୍ବାମୀ ଠାରୁ ମୋବାଇଲ୍‌ ଫୋନ୍ ଛଡ଼ାଇ ନେଇଥିଲା। ସେହିପରି ରାତି ଅଧରେ ପୁଲିସ୍‌ ଉପସ୍ଥିତିରେ ଶବଦାହ କାର୍ଯ୍ୟ କରିବା ପାଇଁ ବୁଦୁରା ଗୌଡ଼କୁ ବାଧ୍ୟ କରାଯାଇଥିଲା। ପୁଲିସ୍‌ର ଏହିସବୁ କାରନାମା ସମ୍ପୂର୍ଣ୍ଣ ଘଟଣାଟିକୁ ରହସ୍ୟମୟ କରିଦେଇଛି।

ଶ୍ରୀ ମାଝୀ ଆହୁରି କହିଥିଲେ ଯେ ଘଟଣାର ତଦନ୍ତ ପାଇଁ ମାଲକାନଗିରି କଂଗ୍ରେସ ପ୍ରତିନିଧି ଦଳ ମେ’ ୧୫ ତାରିଖରେ ଏସ୍‌ପିଙ୍କୁ ଭେଟିଥିଲେ। ୧୫ ଦିନରେ ଦୋଷୀଙ୍କୁ ଧରିବା ପାଇଁ ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସମଗ୍ର ଘଟଣାରେ ପୁଲିସ୍‌ର ଭୂମିକା ସନ୍ଦେହଜନକ ଥିବାରୁ ମାଲକାନଗିରି ଏସ୍‌ପି ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ‌ାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ସହ ତୁରନ୍ତ ଦୋଷୀକୁ ଧରିବା ପାଇଁ କଂଗ୍ରେସ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରମାର ସ୍ବାମୀ ବୁଦୁରା ଗୌଡ଼, କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ, ରଶ୍ମି ମହାପାତ୍ର ଓ ଶୁଭଶ୍ରୀ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର