କଟକ: ମାଲକାନଗିରିରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତର ସାନି ସ୍ଥିତି କଣ ରହିଛି ସେ ନେଇ ବିସ୍ତୃତ ବିବରଣୀ ସରକାର ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୧କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଦୁରା ଗୌଡ଼ଙ୍କ ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ସ୍ବାମୀ ବୁଦୁରା ଗୌଡ଼ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଘଟଣାର ସିବିଆଇ, କ୍ରାଇମବ୍ରାଞ୍ଚ କିମ୍ବା କୌଣସି ସ୍ବାଧୀନ ଏଜେନ୍ସି ମାଧ୍ୟମରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରିଛନ୍ତି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ପୀଡିତା ମାଲକାନଗିରି ସଦର ମହକୁମା ପୁଲିସ କ୍ୟାଣ୍ଟିନରେ ‌ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ଗତ ମେ ୭ ତାରିଖ ଦିନ ପୀଡିତାଙ୍କ ଅବସ୍ଥା ଗୁରୁତର ଥିବା ଆବେଦନକାରୀଙ୍କୁ ପୁଲିସ କର୍ମଚାରୀ ଖବର ଦେଇଥିଲେ। ପୀଡିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଆବେଦନକାରୀ ଦେଖିବାକୁ ପାଇଥିଲେ। ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପୀଡିତା ଜୀବନ ସହିତ ସଂଗ୍ରାମ କରୁଥିବା ବେଳେ ଆବେଦନକାରୀ ମାଲକାନଗିରି ଥାନାରେ ମେ ୯ ତାରିଖରେ ଏତଲା ରୁଜୁ କରିଥିଲେ। ଦୁଷ୍କର୍ମ ଅଭିଯୋଗ ନେଇ ପୁଲିସ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟ‌େର ପୀଡିତାଙ୍କୁ ବ୍ରହ୍ମପୁର ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ଆବେଦନକାରୀଙ୍କ ‌ଫୋନ୍ ପୁଲିସ ଛଡ଼ାଇ ନେବା ସହିତ କେତେକ ସାଧା କାଗଜରେ ତାଙ୍କ ଦସ୍ତ‌ଖତ ନେଇଥିଲା। ବ୍ୟବଚ୍ଛେଦ ପରେ ପୁଲିସ ଉପସ୍ଥିତିରେ ଶବଦାହ ପାଇଁ ଆବେଦନକାରୀଙ୍କୁ ବାଧ୍ୟ କରାଯାଇଥିଲା। ଶବଦାହ ପରେ ଆବେଦନକାରୀଙ୍କୁ କିଛି ଦିନ ଘରେ ବନ୍ଦ କରି ରଖାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପୀଡିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତଚିହ୍ନ ଥିବା ସ୍ପଷ୍ଟ ହୋଇଥିଲା। ଏଭଳି ରିପୋର୍ଟ ପରେ ମଧ୍ୟ ପୁଲିସ ତଦନ୍ତ ଠିକ୍ ଭାବେ କରୁ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପୁଲିସ ତଦନ୍ତ ସନ୍ତୋଷଜନକ ନଥିବା ବେଳେ ମାମଲାର ସିବିଆଇ, କ୍ରାଇମବ୍ରାଞ୍ଚ କିମ୍ବା କୌଣସି ସ୍ବାଧୀନ ଏଜେନ୍ସି ଦ୍ବାରା ତଦନ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ମାଲକାନଗିରି ଏସପି ଓ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କପକ୍ଷରୁ ଆଇନଜୀବୀ ଆକାଶ ଭୂୟାଁ ମାମଲା ପରିଚାଳାନା କରୁଛନ୍ତି।