ମୁମ୍ବାଇରେ ରିୟାଲଟି ସୋ’: ପ୍ରତିଭା ଦେଖାଇଲେ ମାଲକାନଗିରିର ଅନାଥ ଆଦିବାସୀ ପିଲା, ପ୍ରଶଂସାରେ ପୋତିଲେ ଜଜ୍

ମାଲକାନଗିରି: କଥାରେ ଅଛି ସୁନା ଥିଲେ କାନ ନାହିଁ, କାନ ଥିଲେ ସୁନା ନାହିଁ। ତେବେ ଏହି ଦୁଇଟି ଯାକ ଯେଉଁ ବ୍ୟକ୍ତିଙ୍କର ରହିଛି ସେ ନିଶ୍ଚିତ ଭାବେ ସମସ୍ତଙ୍କର ପରିଚିତ ବ୍ୟକ୍ତି ନିଶ୍ଚିତ ହୋଇଥିବ। ଏହି ଉକ୍ତିକୁ ଆଜି ସଫଳ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଉପାନ୍ତ ଅଂଚଳର ଅନାଥ ଆଦିବାସୀ ଛାତ୍ରଛାତ୍ରୀମାନେ। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ସହ ଅନ୍ୟ ଦୁର୍ଗମ ଅଂଚଳର ଅନାଥ ପିଲାମାନେ ଜଂଗଲରେ ଘୁରି ବୁଲୁଥିବା ବେଳେ ଜିଲ୍ଲାର ସଦର ମହକୁମାରେ ରହିଥିବା ଆଓମା ଅନୁଷ୍ଠାନର ପ୍ରତିଷ୍ଠାତା ବିନାଶ କୁମାର ମିଶ୍ର ଏହି ହୀରାମାନଙ୍କୁ ଚିହ୍ନଟ କରି ନିଜ ଅନୁଷ୍ଠାନରେ ରଖି ବିଭିନ୍ନ ମାର୍ଶାଲ ଆର୍ଟର ଶିକ୍ଷା ସହ ନାଚଗୀତର ଶିକ୍ଷା ଦେଉଛନ୍ତି। ଯେଉଁ ଶିକ୍ଷା ପାଇ ଆଜି ଏହି ଆଦିବାସୀ ଛାତ୍ରଛାତ୍ରୀମାନେ ଉପାନ୍ତ ଅଂଚଳରୁ ଆଜି ମୁମ୍ବାଇରେ ପହଞ୍ଚି ନିଜର ପ୍ରତିଭା ପ୍ରଦର୍ଶନ କରି ସଫଳ ହୋଇଛନ୍ତି। ଜିଲ୍ଲାର ବଣ୍ଡା, ଡିଡାଇ, କନ୍ଧ, କୋୟା, ପରଜା ଭଳି ଆଦିବାସୀ ସଂପ୍ରଦାୟର ପିଲାମାନେ ଦୁଇ ବେଳା ମୁଠାଏ ଦାନା ପାଇଁ ବହୁ କଷ୍ଟ ସମୟ ଦେଉଛନ୍ତି।ସେମାନଙ୍କୁ ଏକତ୍ର କରିବା ଏବଂ ନିଜ ଉଦ୍ୟମରେ ଏମାନଙ୍କୁ ଆଗକୁ ବଢିବାର ସ୍ବପ୍ନ ଦେଖାଇବା ଭଳି ଏକ ଉତ୍ତମ କାମ ବିନାଶ ମିଶ୍ର କରି ଦେଖାଇ ଥିବାରୁ ତାଂକୁ ମଧ୍ୟ ସାଧାରଣରେ ବେଶ ପ୍ରଶଂସା କରାଯାଉଛି।

ବିନାଶ ମିଶ୍ର ନିଜ ଉଦ୍ୟମରେ ଏକ ଅନୁଷ୍ଠାନ କରି ନିଜର ଉଦ୍ୟମରେ କିଛି ଆଦିବାସୀ ପିଲାଙ୍କୁ ପାଖରେ ରଖି ସେମାନଙ୍କୁ ପାଠ ପଢାଇବା ସହ ବିଭିନ୍ନ ଶାରିରୀକ ଶିକ୍ଷା ମଧ୍ୟ ଦେଉଛନ୍ତି।ଏଥିପାଇଁ ତାଂକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଛି। ଏହି ଅନୁଷ୍ଠାନକୁ କୌଣସି ସରକାରୀ ସହାୟତା ମିଳୁନଥିବା ବେଳେ ବିନାଶ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଏହି କାର୍ଯ୍ୟ କରିଚାଲିଛନ୍ତି। ଦିନରାତି ଏକ କରି ଗତ ଏକ ବର୍ଷ ଧରି ଏହି ଅନୁଷ୍ଠାନର ପିଲାମାନେ ବିଭିନ୍ନ କଳାକୌଶଳ ଶିକ୍ଷା ଗ୍ରହଣ କରିବା ପରେ ଦେଶର ସବୁଠାରୁ ବଡ ରିୟାଲଟି ସୋ ଇଣ୍ଡିଆସ୍ ଗୋଟ ଟେଲେଣ୍ଟରେ ଭାଗ ନେବା ପାଇଁ ମୁମ୍ବାଇ ଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମ ରାଉଣ୍ଡରେ ହିଁ ଏହି ଅନାଥ ଆଦିବାସୀ ପିଲାଙ୍କୁ ଜଜ୍ ମାନଙ୍କ ଭରପୁର ପ୍ରଶଂସା ମିଳିଥିଲା। ନିଜର କୌଶଳ ପ୍ରଦର୍ଶନ କରି ବେଶି ପ୍ରଶଂଶିତ ହୋଇଥିଲେ।ଏବେ ଏହି ପିଲାମାନେ ଦ୍ବିତୀୟ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି। ଏହି ରାଉଣ୍ଡରେ ସେମାନେ ଆହୁରି ଭଳ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକଟ କରିଛନ୍ତି। ଏବେ ସେମାନେ ମାଲକାନଗିରି ଆସି ଅଭ୍ୟାସ କରୁଥିବା ବେଳେ ଆମେ ତାଂକୁ ଭେଟିଥିଲୁ। ପିଲାଙ୍କ ଉତ୍ସାହ କହିଲେ ନସରେ। ପାଖରେ ଅତ୍ୟାଧୁନିକ ସରଞ୍ଜାମ ନଥିବା ବେଳେ ଆଗକୁ କିପରି ସେମାନେ ଭଲ ପ୍ରଦର୍ଶନ କରିବେ ସନେଇ ଚିନ୍ତାରେ ପଡିଥିବା କହିଥିଲେ। ପିଲାଙ୍କ ପାଖରେ ପ୍ରତିଭା ଭରପୁର ରହିଛି। କେବଳ ବାଟ ଦେଖାଇଲେ ହେଲା ବୋଲି ବିନାଶ ମିଶ୍ର କହନ୍ତି। ତେବେ ତାଂକ ନିକଟରେ ମଧ୍ୟ ସେତେ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ମଧ୍ୟ ବହୁ ସମସ୍ୟା ଦେଇ ଗତି କରୁଥିବା କହନ୍ତି। ତେବେ ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ହେଲେ ଏହି ପ୍ରତିଭାବାନ ପିଲାମାନେ ଆଗକୁ ଆହୁରି ଭଳ ପ୍ରଦର୍ଶନ କରି ଜିଲ୍ଲାର ଟେକ ରଖିବେ ବୋଲି କୁହାଯାଇଛି।

ନିଜର ଦୁଃସାହସିକ କଳାକୌଶଳ ଇଣ୍ଡିଆସ ଗୋଟ ଟେଲେଣ୍ଟରେ ପ୍ରଦର୍ଶନ କରି ଦର୍ଶକ ତଥା ସାରା ଦେଶରେ ମାଲକାନଗିରି ଜିଲ୍ଲାର ପରିଚୟ ପ୍ରଦାନ କରିଛନ୍ତି। ଜିଲ୍ଲା କେତେବେଳେ ନକ୍ସଲ ତ କେତେବେଳେ ଜେଇ ପାଇଁ ସାରା ଦେଶେ ପରିଚିତ ଥିବା ବେଳେ ଏବେ ଏହି ପ୍ରତିଭାବାନ ପିଲାଙ୍କୁ ନେଇ ସାରା ରାଜ୍ୟ ଏବଂ ଦେଶ ପାଇଁ ଆଣିଛନ୍ତି ସୁନାମ।ଦିନକୁ ଦୁଇବେଳା ମୁଠାଏ ଭାତ ପାଇଁ ତରଶୁ ଥିବା ଏହି ପିଲାମାନେ ଏଭଳି କାରନାମା ଦେଖାଇବେ କେହି ସ୍ବପ୍ନରେ ବି ଭାବିନଥିଲେ। କିନ୍ତୁ ମନରେ ଅସୁମାରି ସ୍ବପ୍ନ ଏବଂ କିଛି କରିଦେଖାଇବାର ଉତ୍କଣ୍ଠା ସେମାନଙ୍କୁ ଆଜି ଏତେ ଦୁରକୁ ନେଇଯାଇଛି।ପିଲମାନଙ୍କ କହିବା ହେଲା, ସେମାନେ ମାଲକାନଗିରି ଜିଲ୍ଲାର ବଣ ଜଂଗଲରେ ଘୁରି ବୁଲୁଥିଲେ।କିନ୍ତୁ ବିନାଶ ମିଶ୍ର ସାର ସେମାନଙ୍କୁ ସେଠାରୁ ଆଣି ଆଜି ମୁମ୍ବାଇରେ ପହଞ୍ଚାଇଛନ୍ତି।ଯାହା ଆମ ପାଇଁ ସ୍ବପ୍ନ ଭଳି ଲାଗୁଥିଲେ ମଧ୍ୟ ସତ୍ୟ।ଏତେ ବଡ ସୋରେ ଆମେ ପ୍ରଦର୍ଶନ କରିବା ବହୁତ ବଡ କଥା। ଦେଶର ବଛା ବଛା ଟେଲେଣ୍ଟ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ବିଫଳ ହୋଇଥିବା ବେଳେ ଆମେ ସଫଳ ହୋଇଛୁ। ଆଗକୁ ମଧ୍ୟ ସଫଳ ହେବୁ ବୋଲି ଏମାନେ ଆଶା ବନ୍ଧିଛନ୍ତି। ଏମାନଙ୍କ ସଫଳତା ପାଇଁ ସାରା ଜିଲ୍ଲାରେ ଅଭିନନ୍ଦନର ସୁଅ ଛୁଟୁଛି।

ସମ୍ବନ୍ଧିତ ଖବର