ମାଲକାନଗିରି: ଲାଲଗଡରେ ଇତିହାସ ପାଲଟିଲା ମତଦାନ। ଗତ ଦୁଇ ଦଶନ୍ଧି ଧରି ଜିଲ୍ଲାରେ ନିର୍ବାଚନ ହିଂସା ଲାଗି ରହିଥିଲା। ଏଥର କିନ୍ତୁ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସମାପ୍ତ ହୋଇଛି। କୌଣସି ସ୍ଥାନରେ ହିଂସାର ଖବର ଦେଖିବାକୁ ମିଳିନାହିଁ। ଲୋକେ ନିଜ ନିଜ ବୁଥରେ ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଏପରିକି ଆଜି ସକାଳୁ ଜିଲ୍ଲାପାଳ ସଚିନ ପାଵାର ଏବଂ ଏସପି ନୀତିଶ ବାଧୱାନି ମଧ୍ୟ ବହୁ ସମୟ ଧରି ଧାଡ଼ିରେ ଛିଡ଼ା ହୋଇ ଭୋଟ ଦାନ କରିଥିଲେ। କାଁ ଭାଁ ସ୍ଥାନରେ ଇଭିଏମ ଖରାପ ଯୋଗୁଁ ବିଳମ୍ବରେ ଭୋଟଦାନ ଆରମ୍ଭ ହୋଇଥିଲେ ମଧ୍ୟ ସେଭଳି କୌଣସି ଉତ୍ତେଜନା ଦେଖିବାକୁ ମିଳିନଥିଲା।

Advertisment

ଭୋଟ ବର୍ଜନ ନେଇ ବହୁ ଗ୍ରାମବାସୀ ଚେତାବନୀ ଦେଇଥିଲେ ମଧ୍ୟ ଜିଲ୍ଲାରେ ସେଭଳି କୌଣସି ସ୍ଥିତି ଉପୁଜି ନାହିଁ। ୧୪୬-ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରରେ ୨୪୬ ବୁଥ ଏବଂ ୧୪୭-ମାଲକାନଗିରି ବିଧାନସଭା କ୍ଷେତ୍ରରେ ରହିଥିବା ୨୯୮ ବୁଥରେ ସୁରୁଖୁରୁରେ ମତଦାନ ସରିଛି। ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୪ ହଜାର ୩୮୯ ଭୋଟର ନିଜର ଭୋଟ ଦାନ କରିବାକୁ ଥିବା ବେଳେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୪୪ ହଜାର ୮୯୦ ଭୋଟର ରହିଛନ୍ତି। ଜିଲ୍ଲାର ସୀମାନ୍ତକୁ ସିଲ କରିଦିଆଯିବା ସହ ୧୮୦୦ ଯବାନ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ସାରିବା ପାଇଁ ମୁତୟନ ହୋଇଥିବା ଜଣାପଡିଛି।

publive-image

ଛତିଶଘଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ର ସୀମାକୁ ସିଲ କରିଦିଆଯାଇଛି। ନକ୍ସଲଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯାଇଛି। ଏସପି ନିଜେ କୋଣ୍ଟ୍ରୋଲ ରୁମରେ ୨୪ ଘଣ୍ଟା ସ୍ଥିତି ଉପରେ ନଜର ରଖିଛନ୍ତି। ଜିଲ୍ଲାରେ ସଂଧ୍ୟା ୭ଟା ସୁଦ୍ଧା ୬୫.୮୮ ପ୍ରତିଶତ ଭୋଟ ଗ୍ରହଣ ସରିଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୬୬.୬୦ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୬୫.୦୧ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ ରହିଲା।ଆସନ୍ତା ଜୁନ ୪ ତାରିଖ ଦିନ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।