ମାଲ୍‌କାନଗିରି ଜିଲ୍ଲାପାଳଙ୍କ ପିଏ ହତ୍ୟା ମାମଲା: ୬ ସପ୍ତାହରେ ରିପୋର୍ଟ ଦାଖଲ କର

ପ୍ରମୁଖ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ମାଲ୍‌କାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଵାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ହତ୍ୟା ଘଟଣାର ତଦନ୍ତ ବିଳମ୍ବ ନେଇ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) କ୍ଷୋଭ ପ୍ରକାଶ କରିବା ସହ ଆସନ୍ତା ୬ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଓ ପୁଲିସ୍‌ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦେବନାରାୟଣଙ୍କ ପତ୍ନୀ ବନଜା ପଣ୍ଡାଙ୍କ ଅଭିଯୋଗର ଶୁଣାଣି କରି ଗତ ମାର୍ଚ୍ଚ ୧୧ ତାରିଖରେ କମିସନ୍‌ କହିଛନ୍ତି ଯେ ଜିଲ୍ଲାପାଳ ବିଭିନ୍ନ ସମୟରେ ଦେବନାରାୟଣଙ୍କୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି। ଗତ ୨୦୧୯ ମସିହା ଡିସେମ୍ବର ୨୭ ତାରିଖରେ ସେ ଡ୍ୟୁଟିକୁ ଆସି ଘରକୁ ଫେରିନଥିଲେ। ଏହାର ପରଦିନ ଅର୍ଥାତ୍‌ ୨୮ ତାରିଖ ଦିନ ସନ୍ଦେହଜନକ ଅବସ୍ଥାରେ ସତୀଗୁଡ଼ା ଡ୍ୟାମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ୨୯ ଜାନୁଆରି ୨୦୨୧ ମସିହାରେ କ୍ରଇମ୍‌ବ୍ରାଞ୍ଚ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତଭାର ନେଇଥିଲା। କିନ୍ତୁ ଉଦ୍‌ବେଗର ବିଷୟ ହେଲା, ଏହି ଘଟଣାକୁ ୩ ବର୍ଷ ବିତିଯାଇଥିଲେ ବି ତଦନ୍ତ ଆଗକୁ ବଢ଼ି ନାହିଁ। କେଉଁ ପରିସ୍ଥିତିରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଆଜି ପର୍ଯ୍ୟନ୍ତ ଥରେ ମଧ୍ୟ ହେଲେ ଜେରା କରି ନାହିଁ? କାହିଁକି ସମସ୍ତ ଅଭିଯୁକ୍ତଙ୍କ କଲ୍‌ ଡିଟେଲ୍ସ ରେକର୍ଡ ସଂଗ୍ରହ କରାଯାଇନାହିଁ? କ୍ରାଇମବ୍ରାଞ୍ଚ ଦେଇଥିବା ରିପୋର୍ଟରେ କାହିଁକି ଘଟଣା ଦିନର ଅସଲ ସିସି ଫୁଟେଜ୍ ବିଷୟରେ ପଦଟିଏ ବି ଉଲ୍ଲେଖ ନାହିଁ? ଅଭିଯୁକ୍ତଙ୍କୁ ଜେରା କରିବା ପରିବର୍ତ୍ତେ ରାଜ୍ୟ ପୁଲିସ୍‌ କିନ୍ତୁ ମୃତକଙ୍କ ପରିବାରଲୋକଙ୍କୁ ବାରମ୍ବାର ଜେରା କରିବା ଆଶ୍ଚର୍ଯ୍ୟର ବିଷୟ। ଏହା ରାଜ୍ୟ ପୁଲିସର ତଦନ୍ତ ପ୍ରକ୍ରିୟାର ବିଶ୍ବସନୀୟତା ଓ ନିରପେକ୍ଷତା ଉପରେ ସନ୍ଦେହ ସୃଷ୍ଟି କରୁଛି ବୋଲି କମିସନ୍‌ କହିଛନ୍ତି। ତେଣୁ ତଦନ୍ତରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଆସନ୍ତା ୬ ସପ୍ତାହ ମଧ୍ୟରେ ଅର୍ଥାତ୍‌ ଏପ୍ରିଲ୍ ୧୮ ତାରିଖ ସୁଦ୍ଧା ଏହାର ରିପୋର୍ଟ ଦେବା ପାଇଁ କମିସନ୍‌ ପୁଲିସ୍‌ ମହାନିର୍ଦ୍ଦେଶକ ଓ ଗୃହ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର