ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଗୀତ ଗାଇଲେ ଡିଏଫଓ, ପଥପ୍ରାନ୍ତ ନାଟକ କରି କରାଉଛନ୍ତି ସଚେତନ

ମାଲକାନଗିରି: ରାଜ୍ୟର ବିଭିନ୍ନ ଅଂଚଳରେ ଥିବା ଜଙ୍ଗଲ‌ରେ ନିଆଁ ଲାଗିଛି। ଏହାରି ଭିତରେ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଓଡ଼ିଆରେ ଗୀତ ଗାଇ ଲୋକଙ୍କୁ ସଚେତନ କରାଉଛନ୍ତି ମାଲକାନଗିରିର ଯୁବ ଡିଏଫଓ ପ୍ରଦୀପ ମିରାସେ । ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଅଣଓଡିଆ ଅଧିକାରୀ ଜଣକ ଗୀତଟିକୁ ନିଜେ ସଂଯୋଜନା କରି ଏହାକୁ ଗାଁ ଗାଁରେ ପଥପ୍ରାନ୍ତ ନାଟକ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ଏହାସହ ଲୋକଙ୍କୁ ଶପଥ ପାଠ କରାଇ ଧରାପୃଷ୍ଠକୁ  ନିଆଁରୁ ରକ୍ଷା କରିବା ଲାଗି ଆହ୍ୱାନ ଦେଉଛନ୍ତି ଡିଏଫଓ ପ୍ରଦୀପ ମିରାସେ ।

ମାଲକାନଗିରି ଗୋଇ ଜଂଗଲରେ ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ନେଇ ଖବର ପ୍ରକାଶ ପାଇବା ପରେ ବନ ବିଭାଗର ନିଦ ଭାଙ୍ଗିଛି। ଗୋଟିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ନିଆଁ ମାଡିଯାଉଥିବା ବେଳେ ଡେରିରେ ହେଲେ ମଧ୍ୟ ବନ ବିଭାଗର କର୍ମଚାରୀ ଜଂଗଲରେ ପଶି ନିଆଁ ଲିଭାଇବା ଆରମ୍ଭ କରିଛନ୍ତି। ଆଜି ଏ ନେଇ ଚାଲାଣଗୁଡାଠାରେ ଏକ ଜଂଗଲକୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ଜଂଗଲରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡିଏଫଓ ପ୍ରଦୀପ ମିରାସେ,ଏସିଏଫ ଶ୍ରୀକାନ୍ତ ନାୟକ, ସରପଞ୍ଚ ପୁଷ୍ପାରାଣୀ ପଡିଆମି, କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଚାଲାଣଗୁଡାରେ ଏକ ବିରାଟ ରାଲି କରାଯାଇ  ଜଂଗଲରେ ନିଆଁ ନ ଲଗାଇବା, ବେଣ୍ଟ ଶିକାର ନ କରିବା, ଜଂଗଲରୁ ଗଛ ହାଣି ଘରକୁ ନ ଆଣିବା ଭଳି ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏପରିକି ଲୋକଙ୍କୁ ବୁଝାଇବା ପାଇଁ ପଥପ୍ରାନ୍ତ ନାଟକ ମଧ୍ୟ କରାଯାଇଥିଲା। ଯାହାଫଳରେ ଲୋକେ ସଚେତନ ହୋଇ ଆଗକୁ ଜଂଗଲରେ ନିଆଁ ଲଗାଇବେ ନାହିଁ ବୋଲି କହିଥିଲେ। ଆଗକୁ ଆଦିବାସୀଙ୍କ ଚଇତ ପରବ ରହିଥିବାରୁ ଆଦିବାସୀ ସଂପ୍ରଦାୟର ଲୋକେ ଜଂଗଲକୁ ବେଣ୍ଟ ଶିକାର କରିବାକୁ ଯାଇଥାନ୍ତି।ତେଣୁ ଏହାକୁ କିପରି ରୋକ ଲଗାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା।ନିଜ ଜଂଗଲର ଉନ୍ନତି ନିଜେ ହିଁ କରିପାରିବା ବୋଲି ଜିଲ୍ଲା ବନାଞ୍ଚଳ ଅଧିକାରୀ ଆୟୋଜିତ ସଭାରେ ଲୋକମାନଙ୍କୁ କହିଥିଲେ।

ଗତବର୍ଷ ମାଲକାନଗିରି ଜିଲ୍ଲାରେ ଜଂଗଲରେ ନିଆଁ ଲାଗିବାର ୨୧୫୨ ଟି ମାମଲା ରୁଜୁ ହୋଇଥିବା ବେଳେ, ୨୦୨୦ ମସିହାରେ ୧୧୬୦ ଓ ଚଳିତ ବର୍ଷ ଏ ଯାଏଁ ମାତ୍ର ୨୮୮ ଟି ମାମଲା ସାମନାକୁ ଆସିଥିବା ନେଇ ବନ ବିଭାଗ ସଜାଗ ରହିଥିବା କହିଛନ୍ତି ମଲାକାନଗିରି ଡିଏଫଓ ପ୍ରଦୀପ ମିରାସେ ।

ସମ୍ବନ୍ଧିତ ଖବର