ମାଲକାନଗିରି: ଜିଲ୍ଲାରେ ପ୍ରତିବର୍ଷ ବର୍ଷା ଯୋଗୁଁ ଜିଲ୍ଲା ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହେଉଛି। ଏପରିକି ୩୨୬ ଜାତୀୟ ରାଜପଥ ମଧ୍ୟ ବର୍ଷାରୁ ବର୍ତ୍ତିନଥାଏ।ମାଲକାନଗିରି ଠାରୁ ମୋଟୁ ପର୍ଯ୍ୟନ୍ତ ଲମ୍ବିଥିବା ୩୨୬ ଜାତୀୟ ରାଜପଥ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଏକ ପ୍ରକିର ବିଛିନ୍ନ ହୋଇଥାଏ। ତେବେ ଚଳିତ ବର୍ଷ ଲଗାଣ ବର୍ଷା ହୋଇନଥିବାରୁ ସ୍ଥିତି ବର୍ତ୍ତମାନ ସାମାନ୍ୟ ରହିଛି। ତେବେ ବର୍ଷାରେ ପ୍ରଭାବିତ ହେଉଥିବା ଗ୍ରାମ ମଧ୍ୟରୁ ଖଇରପୁଟ ବ୍ଲକର ୮ଟି ପଞ୍ଚାୟତର ୨୩ଟି ଗ୍ରାମ, ମାଥିଲି ବ୍ଲକର ୧୯ଟି ପଞ୍ଚାୟତର ୫୬ଟି ଗ୍ରାମ, ମାଲକାନଗିରି ବ୍ଲକର ୫ଟି ପଞ୍ଚାୟତର ୧୦ଟି ଗ୍ରାମ, କୋରକୋଣ଼୍ଡା ବ୍ଲକର ୭ଟି ପଞ୍ଚାୟତର ୧୧ଟି ଗ୍ରାମ, ପଡ଼ିଆ ବ୍ଲକର ୫ଟି ପଞ୍ଚାୟତର ୧୧ଟି ଗ୍ରାମ ଏବଂ କାଲିମେଳା ବ୍ଲକର ୫ଟି ପଞ୍ଚାୟତର ୧୦ଟି ଗ୍ରାମ ଏବଂ ଚିତ୍ରକୋଣ୍ଡା ବ୍ଲକର ଦୁଇଟି ପଞ୍ଚାୟତର ଦୁଇଟି ଗ୍ରାମ।
ସେହିପରି ବାଲିମେଳା ଏନଏସିର ୱାର୍ଡ ନମ୍ବର -୧୧ ଏବଂ ମାଲକାନଗିରି ଏନଏସିର ୱାର୍ଡ ନମ୍ବର -୨, ୱାର୍ଡ ନମ୍ବର ବର୍ଷାରେ ପ୍ରଭାବିତ ହେବ ବୋଲି ଜଣାପଡ଼ିଛି। ତେବେ ଜିଲ୍ଲାରେ ମୋଟ ୧୩୪ଟି ଗ୍ରାମ ବର୍ଷାରେ ପ୍ରଭାବିତ ହେବ। ତେବେ ପ୍ରଶାସନ ଏଥିପାଇଁ ସଜାଗ ରହିଛି। ପ୍ରତ୍ୟେକ ବ୍ଲକର ବିଡିଓ ତହସିଲଦାରମାନଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏପରିକି ନୋଡାଲ ଅଧିକାରୀମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଅଗ୍ନିଶମ ବିଭାଗକୁ ୨୪ ଘଣ୍ଟା ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ ସମସ୍ତ ବ୍ୟବସ୍ଥା ଠିକ ଚାଲିଥିବା ଜରୁରୀକାଳୀନ ବିଭାଗ ତରଫରୁ ଜଣାପଡିଛି।
ତେବେ ଜିଲ୍ଲାର ଚାରୋଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ସେଗୁଡିକ ହେଲା ମାଥିଲି ବ୍ଲକର ଧୁଙ୍ଗିଆପୁଟ, କାଲିମେଳା ବ୍ଲକର ମୋଟୁ, ବଦଲି ଏବଂ ଗିରକନପାଲୀ। ବିଶେଷକରି ବର୍ଷା ଋତୁରେ ଗୋଦାବରୀ ନଦୀର ତଳିଆ ପାଣି ମାଲକାନଗିରେ ପଶୁଥିବାରୁ ମୋଟୁ ଅଂଚଳରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ସାବେରୀ ଓ ଗୋଦାବରୀ ନଦୀର ତଳିଆ ପାଣି ମୋଟୁ ଅଂଚଳକୁ ବୁଡାଉଛି। ମୋଟୁ ପଞ୍ଚାୟତର ବିନାୟକପୁର, ମୁରଲିଗୁଡ଼ା, ଆଲମା, ପିଲନାମାଡଗୁରୁ, ପୁସୁଗୁଡା ପଞ୍ଚାୟତର କୁରସାନପାଲୀ, ମାରକାନପାଲୀ, ମାଲାଭରମ ପଞ୍ଚାୟତର ଦୁପେନକୋଣ୍ଡା, ତଣ୍ଡାବାଇ ପଞ୍ଚାୟତର କତନପାଲୀ ଓ ଜିନେଲଗୁଡା, ବଦଲି ପଞ୍ଚାୟତର ପୋଟେରୁ, ଏମପିଭି-୪୦ ଓ ଏମପିଭି-୪୧, ଭେଙ୍କେଟପାଲମ ପଞ୍ଚାୟତର ତେଲିଗୁଡା ଓ ମାଙ୍ଗିପାଲି, କାଙ୍ଗୁରୁକୋଣ୍ଡା ପ଼ଞ୍ଚାୟତର ଏମପିଭି-୨୨, କାଲିମେଳା ପଞ୍ଚାୟତର ଏମଭି-୯୦, ଗୁମକା ପଞ୍ଚାୟତର ଏମପିଭି-୧୦ ଏବଂ ମାନ୍ଦାପାଲୀ ପଞ୍ଚାୟତର ଏମପିଭି-୭ ଗ୍ରାମ ସଂପୂର୍ଣ୍ଣ ରୂପେ ଜଳମଗ୍ନ ହେଉଛି।ତେବେ ଏହି ଗ୍ରାମଗୁଡିକ ଉପରେ ପ୍ରଶାସନର ତୀକ୍ଷଣ ନଜର ରହିଛି। ଲଗାଣ ବର୍ଷା ଲାଗି ରହିଲେ ଏହି ଗ୍ରାମର ଲୋକଙ୍କୁ ତୁରନ୍ତ ଗ୍ରାମ ଛାଡି ଆଶ୍ରୟସ୍ଥଳୀକୁ ନେବାର ସମସ୍ତ ବନ୍ଦବସ୍ତ କରାଯାଇଛି।
ତେବେ ୩୨୬ ଜାତୀୟ ରାଜପଥ ଉପରେ ରହିଥିବା ୯ଟି ତଳିଆ ବ୍ରିଜଗୁଡିକର କାମ ଜୋରସୋରରେ ଚାଲିଥିବା ବେଳେ ଏହା ସଂପୂର୍ଣ୍ଣ ହେବାକୁ ଆହୁରି ଦୁଇ ତିନି ବର୍ଷ ଲାଗିଯିବ ବୋଲି କୁହାଯାଉଛି। ବର୍ଷା ବିତ୍ପାତ ଯୋଗୁଁ ପୁଣି ମାଲକାନଗିରି ବୁଡ଼ିବ ବୋଲି କୁହାଯାଉଛି।