ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗିରଫ

ମାଲକାନଗିରି/ଜୟପୁର: ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମକ୍କା ଆନନ୍ଦ ରାଓକୁ ଭିଜିଲାନ୍ସ ବିଭାଗ ବୁଧବାର ଗିରଫ କରିଛି। ଗିରଫ ପରେ ଶ୍ରୀ ରାଓଙ୍କୁ ଜେଲ ପଠାଇ ଦିଆଯାଇଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗତକାଲି ଶ୍ରୀ ରାଓଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୧ ଲକ୍ଷ ୭୫ ହଜାର ୯୫୦ ଟଙ୍କା ଜବତ କରିଥିଲା।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀଙ୍କ ୫ଟି ଠିକଣାରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍‌। ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ବରେ ମାଲକାନଗିରିସ୍ଥିତ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ ହୋଇଥିବା ବେଳେ ନବରଙ୍ଗପୁର ସହରର ୩ଟି ଠିକଣାରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ନଗଦ ୧ଲକ୍ଷ ୭୫ ହଜାର ଟଙ୍କା ମିଳିଥିବା ବେଳେ ମୋଟ ସଂପତ୍ତିର ମୂଲ୍ୟ ୨ କୋଟି ୨୧ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଟିମ୍‌ ଆକଳନ କରିଛି। ଚଢ଼ଉରେ ୩ଜଣ ଡିଏସ୍‌ପି ଏବଂ ୭ଜଣ ଇନସ୍‌ପେକ୍ଟର ସାମିଲ ହୋଇଥିଲେ।

ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓ ପୂର୍ବରୁ ନବରଙ୍ଗପୁର ଏବଂ ଜୟପୁର ଠାରେ କାମ କରି ୬ମାସ ତଳେ ମାଲକାନଗିରି ଜିଲ୍ଲାକୁ ବଦଳି ହୋଇ ଯାଇଥିଲେ। ତେବେ ପୂର୍ବରୁ ତାଙ୍କ ବିରୋଧରେ ଆୟ ଠାରୁ ଅଧିକ ସଂପତ୍ତିର ମାଲିକ ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ରହିଥିଲା। ତେଣୁ ୯ଜଣିଆ ଟିମ୍‌ ଆଜି ପ୍ରଥମେ ମାଲକାନଗିରି ଜିଲ୍ଲା କୃଷି କାର୍ଯ୍ୟାଳୟସ୍ଥିତ ବାସଭବନରେ ଚଢ଼ଉ କରିଥିଲେ। ଅନ୍ୟପଟେ ନବରଙ୍ଗପୁର ଭିଜିଲାନ୍ସ ଟିମ୍‌ ନବରଙ୍ଗପୁର ସହରରେ ନିର୍ମାଣାଧୀନ ଦୁଇଟି କୋଠା ଏବଂ ପୈତୃକ ଘରେ ଚଢ଼ଉ କରିବାକୁ ପ୍ରସ୍ତୁତ ରହିଥିଲା। ତେବେ ସେଠାରେ ତାଲା ପଡ଼ିଥିବାରୁ ନବରଙ୍ଗପୁର ଭିଜିଲାନ୍ସ ଟିମ୍‌ ଚଢ଼ଉ କରିପାରି ନଥିଲା। ଖବର ପାଇ ମାଲକାନଗିରି ଭିଜିଲାନ୍ସ ଟିମ୍‌ ଅପରାହ୍ନ ପ୍ରାୟ ଗୋଟିଏ ବେଳେ ଆନନ୍ଦ ରାଓଙ୍କୁ ନବରଙ୍ଗପୁର ନେଇ ପହଞ୍ଚିଥିଲା। ଏହାପରେ ପୈତୃକ ଘରେ ଯାଞ୍ଚ କରି ନିର୍ମାଣଧୀନ କୋଠାରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍‌। ସେହିପରି ବିଶାଖାପାଟଣା ସହରରେ ଆନନ୍ଦ ରାଓଙ୍କ ଜଣେ ସଂପର୍କୀୟଙ୍କ ଘରେ ଚଢ଼ଉ ହୋଇଥିବା ଶୁଣିବାକୁ ମିଳୁଛି। କିନ୍ତୁ ଏହି ବିଷୟରେ କେହି କିଛି ସ୍ପଷ୍ଟ ରୂପେ କହିପାରୁ ନାହାନ୍ତି। ରାତି ୮ଟା ସୁଦ୍ଧା ନବରଙ୍ଗପୁରରେ ରହିଥିବା ସଂପତ୍ତିର ଆକଳନ ଶେଷ କରିବା ପରେ ମୋଟ ସଂପତ୍ତିର ମୂଲ୍ୟ ୨ କୋଟି ୨୧ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ସରକାରୀ କ୍ବାର୍ଟର୍ସ ଏବଂ ପୈତୃକ ଘରୁ ନଗଦ ୧ଲକ୍ଷ ୭୫ହଜାର ଟଙ୍କା ସହ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଥିଲା। ଚଢ଼ଉରେ ଭବାନୀପାଟଣା ଡିଏସ୍‌ପି ସଦାନନ୍ଦ ପାଣି, ନବରଙ୍ଗପୁର ଭାରପ୍ରାପ୍ତ ଡିଏସ୍‌ପି କଳାବତୀ ବାଘ, ଇନିସ୍‌ପେକ୍ଟର ପ୍ରମିଳା ସୁନା, ଆର.ବିଜୟ କୁମାର, ଭୀମ‌ସେନ ପୂଜାରୀ, ସୂର୍ଯ୍ୟକାନ୍ତ ଟାକ୍ରି, ଏସ୍‌.ଏନ୍‌ ପ୍ରଧାନୀଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ ଜଣ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର