ମାଲକାନଗିରିରେ ଜିଲ୍ଲାଜଜ୍- ଓକିଲ ସଂଘ ମୁହାଁମୁହିଁ : ଓକିଲଙ୍କୁ ଗିରଫ ପାଇଁ ଜିଲ୍ଲା ଜଜ୍‌ଙ୍କ ନିର୍ଦ୍ଦେଶ

ଆନ୍ଦୋଳନକୁ ତୀବ୍ରତର କରି‌ବ ଓକିଲ ସଂଘ

ମାଲକାନଗିରି : ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ମାଲକାନଗିରିରେ ଜିଲ୍ଲାଜଜ୍ ଓ ଓକିଲ ସଂଘ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ଜିଲ୍ଲାଜଜ୍ ଧାରା ୪୪୮ଅନୁଯାୟୀ ଓକିଲଙ୍କୁ ଗିରଫ କରିବା ପାଇଁ ପୁଲିସ୍‌କୁ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ଓକିଲମାନେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଘୋଷଣା କରିଛନ୍ତି। ଏପରିକି ଜିଲ୍ଲାଜଜ୍‌ଙ୍କୁ ଅସହଯୋଗ କରାଯିବ ବୋଲି କହିଛନ୍ତି। ଏହି ଘଟଣା ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି।

କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତିକ୍ରମେ ଗତକାଲିଠାରୁ ମାଲକାନଗିରି ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ। ଆଜି ଆନ୍ଦୋଳନ ସମୟରେ ଓକିଲମ‌ାନେ ପିକେଟିଂ କରିଥିଲେ। କୋର୍ଟ କାର୍ଯ୍ୟ ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର, ଜିଲ୍ଲା ଜଜ୍‌ ଏହାକୁ ବିରୋଧ କରିଥିଲେ। ଫଳରେ, ଜିଲ୍ଲା ଜଜ୍‌ ଓ ଆନ୍ଦୋଳନରତ ଓକିଲମାନଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ପରେ, ଜିଲ୍ଲାଜଜ୍‌ ଧାରା ୪୪୮ ଅନୁଯାୟୀ ସମସ୍ତ ଓକିଲଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିବା ପାଇଁ ପୁଲିସକୁ ନିର୍ଦେଶ ଦେଇଥିଲେ। ଏହି ଧାରାରେ ମାମଲା ରୁଜୁ ହେଲେ ବିନା ଓକିଲରେ ମାମଲାର ଶୁଣାଣି ହେବାର ଆଇନ ଅନୁଯାୟୀ ବ୍ୟବସ୍ଥା ରହିଛି।

ଅପରପକ୍ଷେ, ଜିଲ୍ଲାଜଜ୍‌ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଓକିଲ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ନୃସିଂହ ମହାନ୍ତି କହିଥିଲେ ଯେ, ଓକିଲଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ ଜିଲ୍ଲାଜଜ୍‌ଙ୍କୁ ସଂଘ ପକ୍ଷରୁ ଅସହଯୋଗ କରାଯିବ। ଏଥିସହିତ, ଜିଲ୍ଲାଜଜ୍‌ଙ୍କୁ ତୁରନ୍ତ ବଦଳି କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

ଏହାପରେ ସଂଘର ଏକ ଜରୁରି ବୈଠକ ବସିଥିଲା। ଏହି ବୈଠକରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଓକିଲ ସଂଘକୁ ଆଜିର ଘଟଣା ସଂପର୍କରେ ଅବଗତ କରାଯାଇଥିଲା। ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଓକିଲ ସଂଘ କର୍ମକର୍ତ୍ତା ମାଲକାନଗିରିରେ ପହଞ୍ଚି ଜିଲ୍ଲାଜଜ୍‌ଙ୍କ ବିରୋଧରେ ଆନ୍ଦୋଳନ କରିବେ ବୋଲି ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସଂପାଦକ ଲମ୍ବୋଦର ତୁର୍କୁ, ଉପସଭାପତି ବିଜୁ ସରକାର, ସହ ସଂପାଦକ ହୃଷିକେଶ ପଣ୍ଡା, ଆଇନଜୀବୀ ବିଜୟ ମହାନ୍ତି, କୈଳାସ ପଟନାୟକ, ଗୋବନ୍ଦ ପାତ୍ର, ରାମ ପ୍ରସାଦ ପଟନାୟକ, ଅଶୋକ ନାୟକ, ମାନସ ସ୍ବାଇଁ, ଦିଲ୍ଲୀପ ପରିଛା, ଅନିମେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର