ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ମାଲକାନଗିରି: ଗତକାଲିଠାରୁ ନିଖୋଜ ଥିବା ମାଲକାନଗିରି ଜିଲ୍ଲାପାଳଙ୍କ ପିଏ(ବ୍ୟକ୍ତିଗତ ସହାୟକ)ଙ୍କର ମୃତଦେହ ଆଜି ଉଦ୍ଧାର କରାଯାଇଛି| ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ମାଲକାନଗିରି ଜିଲ୍ଲାର ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଥିବା ଜଣାଯାଇଛି । ସେଠାରୁ ତାଙ୍କର ମୋଟର ସାଇକେଲ ଏବଂ ହେଲମେଟ୍ ବି ମିଳିଛି।
ସୂଚନାଯୋଗ୍ୟ, ଗତକାଲି ଦିନ ୧ଟାରୁ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ନିଖୋଜ ଥିବାନେଇ ପରିବାର ଲୋକଙ୍କ ପକ୍ଷରୁ ମାଲକାନଗିରି ଥାନାରେ ଅଭିଯୋଗ ହୋଇଥିଲା|
ଆଜି ସକାଳେ ପ୍ରଥମେ ସତୀଗୁଡ଼ା ଡ୍ୟାମ ନିକଟରେ ଦେବ ନାରାୟଣ ପଣ୍ଡାଙ୍କର ମୋଟର ସାଇକେଲ ଓ ହେଲମେଟ୍ ମିଳିଥିଲା । ଏହାପରେ ସେଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଅବଶେଷରେ ସତୀଗୁଡ଼ା ଡ୍ୟାମ ନିକଟରୁ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । କିନ୍ତୁ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ କେଉଁ କାରଣରୁ ଘଟିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ତାହା ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ସରକାରୀ କାର୍ଯ୍ୟ କ୍ଷେତ୍ରରେ ମାତ୍ରାଧିକ ଚାପ ଥିବାରୁ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି। ପୁଲିସ ଇତିମଧ୍ୟରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର