ସ୍ବାଭିମାନ ଅଞ୍ଚଳର ବାସ୍ତବତା: ଘୋଡ଼ା ଓ ଖଚରରେ ମାଣ୍ଡିଆ ବୋହିଲେ ଚାଷୀ

ମାଲକାନଗିରି: ଅପବାଦ ମୁଣ୍ଡାଇଥିବା ବିଚ୍ଛିନ୍ନାଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ହେଲା ସ୍ବାଭିମାନ ଅଞ୍ଚଳ। ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ହୋଇ ବର୍ଷେରୁ ଅଧିକ ସମୟ ବିତି ଗଲାଣି। ହେଲେ ବିଶେଷ କିଛି ବଦଳି ନାହିଁ ସ୍ବାଭିମାନ ଅଞ୍ଚଳରେ। ଏବେ ବି ସଡ଼କ ପଥରେ ବହୁ ଗାଁକୁ ସଂଯୋଗ ହୋଇ ପାରିନାହିଁ। ଏମିତିରେ ଗତ କିଛି ମାସ ହେଲା ସ୍ବାଭିମାନ ଅଞ୍ଚଳକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। କିନ୍ତୁ ଗତକାଲି କୃଷି ମନ୍ତ୍ରୀ ଅରୁଣ ସାହୁ ଯେଉଁ ଦୃଶ୍ୟ ଦେଖିଲେ ତାହା ତାଙ୍କୁ ମଧ୍ୟ ଚକିତ କରିଥିଲା। ଲୋକଙ୍କ ଜୀବନଶୈଳୀ ବିଶେଷ ପରିବର୍ତ୍ତନ ହୋଇନଥିବା ନିଜେ ହୃଦୟଙ୍ଗମ କରିଥିଲେ। ବହୁ ଦିନର ଦାବି ପରେ ରାଜ୍ୟ ସରକାର ଗତକାଲି ସ୍ବାଭିମାନ ଅଞ୍ଚଳରେ ଖୋଲିଲେ ମାଣ୍ଡିଆ ମଣ୍ଡି। ଏଥିପାଇଁ ପୂର୍ବରୁ ଏଠାକାର ଚାଷୀଙ୍କୁ ତାଲିମ ଦିଆଯାଇଥିଲା। ମାଣ୍ଡିଆ ଚାଷ ପାଇଁ ଆବଶ୍ୟକ ସହାୟତା ସହ ପ୍ରୋତ୍ସାହନ ବି ଯୋଗାଇ ଦେଇଥିଲେ ସରକାର। ତେଣୁ ଭଲ ଉତ୍ପାଦନ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏତେ ସବୁ କରିବା ସତ୍ତ୍ବେ ମଣ୍ଡିକୁ ଆସିବା ପାଇଁ ହୀନସ୍ତା ହେଉଛନ୍ତି ସ୍ଥାନୀୟ ଚାଷୀ। ରାସ୍ତାଘାଟ ନ ଥିବା ଯୋଗୁଁ ଉତ୍ପାଦିତ ମାଣ୍ଡିଆକୁ ବଡ଼ପଡ଼ା ଗ୍ରାମରେ ହେଉଥିବା ମଣ୍ଡି ପର୍ଯ୍ୟନ୍ତ ଆଣିବା ପାଇଁ ଘୋଡ଼ାର ସାହାରା ନେଇଥିଲେ ବିଚ୍ଛିନ୍ନାଞ୍ଚଳବାସୀ। ଗତକାଲି ୪୦ରୁ ଊର୍ଦ୍ଧ୍ବ ଗୋଡ଼ା ଏବଂ ଖଚର ମାଣ୍ଡିଆ ମଣ୍ଡିକୁ ଆସିଥିଲେ। ସେମାନଙ୍କ ପିଠିରେ ଲଦା ହୋଇଥିଲା ୪୦କିଲୋରୁ ଊର୍ଦ୍ଧ୍ବ ଓଜନର ମାଣ୍ଡିଆ ବସ୍ତା। ବୁଲେଟ ଟ୍ରେନ୍ ଯୁଗରେ ଘୋଡ଼ା ଏବଂ ଖଚର ଉପରେ ଲୋକେ ନିର୍ଭର ହେବା ସମସ୍ତଙ୍କ ମଧ୍ୟରେ କୌତୂହଳ ସୃଷ୍ଟି କରିଥିଲା। କିନ୍ତୁ ଏହା ଥିଲା ସ୍ବାଭିମାନ ଅଞ୍ଚଳର ବାସ୍ତବତା।

ବିଚ୍ଛିନ୍ନାଞ୍ଚଳରୁ ସ୍ବାଭିମାନ ଅଂଚଳ ହେଲା ସତ କିନ୍ତୁ ଏବେ ବି ଲୋକେ ରାସ୍ତା ନଥିବାରୁ ପାଦରେ ମାଇଲ ମାଇଲ ବାଟ ଅତିକ୍ରମ କରୁଛନ୍ତି। ଭାର ବୋହିବା ପାଇଁ ଘୋଡ଼ା କିମ୍ବା ଖଚରର ସାହାରା ନେଉଛନ୍ତି। ପଡ଼ୋଶୀ ଆନ୍ଧ୍ର ହେଉ କିମ୍ବା ପଞ୍ଚାୟତ ସଦର ମହକୁମାକୁ ଯିବାକୁ ହେଲେ ଘୋଡ଼ା ଓ ଖଚର ହିଁ ସାହା ଭରସା ବୋଲି ସ୍ଥାନୀୟ କହିଛନ୍ତି। ପ୍ରାୟ ୩୦ରୁ ୪୦ କିଲୋମିଟର ବାଟ ମାଣ୍ଡିଆ ବସ୍ତା କାନ୍ଧରେ ବୋହି ଆଣିବା ଅସମ୍ଭବ। ଏଥିପାଇଁ ଲୋକେ ବାଧ୍ୟ ହୋଇ ଗତକାଲି ଘୋଡ଼ାର ସହାୟତା ଦେଇଥିବା କହିଥିଲେ। ତେଣୁ ସ୍ବାଭିମାନ ଅଂଚଳର ଅଧିକାଂଶ ଲୋକଙ୍କ ଘରେ ଘୋଡ଼ା ଦେଖିବକୁ ମିଳେ। ଲୋକେ ଘୋଡ଼ା ଦ୍ବାରା ଜିନିଷ ପତ୍ର ବୋହିବା ସହ ଯାତ୍ରୀ ପରିବହନ କରି ରୋଜଗାର କରୁଥିବା ଜଣାଇଛନ୍ତି। ଏହି ଘୋଡ଼ା ହିଁ ସେମାନଙ୍କୁ ସ୍ବାବଲମ୍ବୀ କରିଥିବା ପ୍ରକାଶ କରିଛନ୍ତି। ଗତକାଲି ଏହି ଦୃଶ୍ୟ ଦେଖିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସ୍ବାଭିମାନ ଅଂଚଳରେ ରାସ୍ତା କାମ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ସେହିପରି ମନ୍ତ୍ରୀ ମଧ୍ୟ ନିଜ ପ୍ରତିକ୍ରିୟାରେ ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଥିବା କହିଥିଲେ। ଲୋକେ ଆଗକୁ ଆଉ ଘୋଡ଼ା ବ୍ୟବହାର କରିବେ ନାହିଁ। ଚାରିଚକିଆ ଯାନ ଆଗକୁ ସ୍ବାଭିମାନ ଅଂଚଳରେ ପହଞ୍ଚି ଏଠାକାର ଭାଗ୍ୟ ବଦଳାଇ ଦେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର