ମାଲକାନଗିରି: ଆନ୍ଧ୍ରର ମେଗା ପ୍ରକଳ୍ପ ପୋଲାଭରମ ମାଲକାନଗିରି ପାଇଁ ଦୁଃଖ ପାଲଟିଛି। ଗୋଦାବରୀ ନଦୀରେ ନିର୍ମିତ ଏହି ପ୍ରକଳ୍ପ ଯୋଗୁଁ ପ୍ରତି ବର୍ଷ ମାଲକାନଗିରି ଜିଲ୍ଲାବାସୀ ବନ୍ୟାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ଜଳ ଦ୍ବାରା ବହୁ ଗାଁ ସମେତ ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହେଉଛି। କେନ୍ଦ୍ର ସହଯୋଗରେ ଆନ୍ଧ୍ର ସରକାର ଏକ ପାଖିଆ ନିର୍ମାଣ କାର୍ଯ୍ୟ ଜାରି ରଖିଥିବାରୁ ଓଡ଼ିଶାର ଦାବି ବିଚାର ନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆଦେଶ ଜାରି କରିବାକୁ ଦାବି କରିଛି ବିଜେଡି। କେନ୍ଦ୍ରୀୟ ଜଳ ଆୟୋଗ ଓ ଜଳ ଶକ୍ତି ମନ୍ତ୍ରୀଙ୍କ ନିକଟରେ ବିଜେଡି ଦାବି ରଖିବା ପରେ ପୁଣି ଆନ୍ଦୋଳନ ଜୋର୍ଦାର କରିବାକୁ ପ୍ରସ୍ତୁତି ଚଳାଇଛି।
ଗୋଦାବରୀର ପଛୁଆ ପାଣିରେ ପ୍ରଭାବିତ ହେଉଛି ଆନ୍ଧ୍ର ଓ ଛତିଶଗଡ଼ ସୀମାରେ ଥିବା ଓଡ଼ିଶାର ମୋଟୁ ଅଂଚଳ। ପୋଲାଭରମ ପ୍ରକଳ୍ପ ଦ୍ବାରା ସିଲେରୁ ଓ ସାବେରୀ ନଦୀରେ ଆସୁଥିବା ବନ୍ୟାଜଳ ନିଷ୍କାସିତ ନ ହୋଇ ଗୋଟିଏ ଅଂଚଳରେ ସ୍ଥିର ହୋଇ ରହୁଛି। ଯାହାର ପ୍ରଭାବ ପଡ଼ିଆ, କାଲିମେଳା, ମାଥିଲି ବ୍ଲକ ଉପରେ ପଡ଼ୁଛି। ଡ୍ୟାମ୍ ଉଚ୍ଚତା ହ୍ରାସ ପାଇଁ ବିଜେଡି ସରକାରରେ ଥିବା ସମୟରୁ ଆନ୍ଦୋଳନ କରି ଆସୁଛି। ତଥାପି ଏଥି ପ୍ରତି ଆନ୍ଧ୍ର କିମ୍ବା କେନ୍ଦ୍ର ସରକାର କୌଣସି ଦୃଷ୍ଟି ଦେଉନାହାନ୍ତି। ଡ୍ୟାମ୍ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର ୩ ବ୍ଲକ୍ ପୋଲାଭରମ ପ୍ରକଳ୍ପ ଦ୍ବାରା ବୁଡ଼ିବା ନେଇ ସ୍ପଷ୍ଟ ହୋଇଛି। ୧୯୭୮ରେ ଆନ୍ଧ୍ର ସରକାର ଅନ୍ତଃରାଜ୍ୟ ଚୁକ୍ତି ଆନୁସାରେ ପୋଲାଭରମ ପ୍ରକଳ୍ପର ପରିକଳ୍ପନା କରିଥିଲେ। ସେତେବେଳେ ଏହି ପ୍ରକଳ୍ପର ଡିଜାଇନ ୧୫୦ ଫୁଟରେ ସୀମିତ ଥିଲ। ୧୯୯୭ରେ ଡିଜାଇନରେ ପରିବର୍ତ୍ତିନ କରାଯାଇ ୧୫୦ ଫୁଟ ବଦଳରେ ୧୮୨ ଫୁଟ ହେବା ପରେ ଆରମ୍ଭ ହୋଇଥିଲା ବିରୋଧ। ଓଡ଼ିଶା ସମେତ ତେଲେଙ୍ଗାନା, ଛତିଶଗଡ଼ ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି। କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଜାତୀୟ ମାନ୍ୟତା ଦେବା ପରେ ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ର ସରକାର ତ୍ବରାନ୍ବିତ କରିଥିଲେ। ତତ୍କାଳୀନ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ୨୦୧୯ରେ କେନ୍ଦ୍ର ସରକାର ସତ୍ୟପାଠରେ ଦର୍ଶାଇଥିଲେ ପ୍ରକଳ୍ପ ଲାଗି କୌଣସି କ୍ଷତିପୂରଣ କିମ୍ବା ଥଇଥାନର ଆବଶ୍ୟକତା ନାହିଁ। କାରଣ ସିଲେରୁ ଓ ସାବେରୀ ନଦୀରେ ଆଡ଼ିବନ୍ଧ ନିର୍ମାଣ କରାଯିବ। ଯାହାଦ୍ବାରା ଓଡ଼ିଶା ଓ ଛତିଶଗଡ଼କୁ ବନ୍ୟା ଜଳ ପ୍ରବେଶ କରିପାରିବ ନାହିଁ। ପ୍ରକଳ୍ପ ପେସା ଆଇନକୁ ଉଲ୍ଲଂଘନ କରୁଥିବା ବେଳେ ଓଡ଼ିଶାର କ୍ଷତିଗ୍ରସ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ ଜନଶୁଣାଣି କରାଯାଇନାହିଁ। ୧୯୮୬ ଓ ୨୦୦୬ ମସିହାରେ ଆସିଥିବା ବନ୍ୟାରେ ଜିଲ୍ଲାର ୧୩୦ ଗ୍ରାମ ଜଳମଗ୍ନ ହୋଇଥିଲା।
ଆକଳନ ଅନୁଯାୟୀ ପୋଲାଭରମ ସଂପୂର୍ଣ୍ଣ ହେଲେ ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅଂଚଳର ମୋଟୁ, ପୁଶଗୁଡା, ତାଣ୍ଡବାଇ, ମାଲାଭରମ ପଞ୍ଚାୟତର ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଗାଁ ବୁଡ଼ିଯିବ। ସେହିପରି ବାରିବାଞ୍ଛା, ଆଲମା, ବିନାୟକପୁର, ପେଟା, ମୁରଲୀଗୁଡ଼ା, କୁଟମପାଲି, ତେଣ୍ଡାମେଟଲା, କମଳାପୁରମ, ମାକନପାଲୀ, ଘର୍ସାପାଲି, ପିନାମାଦିଗୁରୁ, ରେଡିପାଲ, କତାଗୁଡ଼ା ଭଳି ବହୁ ଗ୍ରାମର ୬୧୧୯ ହେକ୍ଟର ଚାଷ ଜମି ଜଳମଗ୍ନ ହେବ। କେନ୍ଦ୍ର ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ବିଜେଡି ଦାବି କରିଛି। ନଚେତ୍ ଆନ୍ଦୋଳନ ଜୋର୍ଦାର ହେବ ବୋଲି ଚେତାବନୀ ଦେଇଛି।