ଜୟପୁର: ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ଗତ ୭ବର୍ଷ ହେବ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୨୭ଟି ଗାଁରେ କୃଷି, ଉଦ୍ୟାନକୃଷି, ବନ ବିଭାଗ ଓ ଜମିଅଧିଗ୍ରହଣ ବିଭାଗ ପକ୍ଷରୁ ସର୍ଭେ କରାଯିବା ପରେ କ୍ଷତିପୂରଣ ଆକଳନ କରାଯାଇଥିଲା। କ୍ଷତିପୂରଣ ଟଙ୍କା ମଞ୍ଜୁର ଲାଗି ସରକାରଙ୍କ ନିକଟକୁ ପଠାଯାଇଥିଲା। ଏ ଭିତରେ ବର୍ଷେ ବିତିଯାଇଛି। ଆଜିସୁଦ୍ଧା ଏହା ମଞ୍ଜୁର ହୋଇନି । ଜମିହରା କ୍ଷତିପୂରଣ ପାଇବାରେ ବିଳମ୍ବ ହେଉଛି । ଅନ୍ୟପକ୍ଷରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଧିମେଇ ଚାଲିଛି। ୨୦୧୫ମସିହାରେ ଯୋଜନା କରାଯାଇ ଘୋଷଣା କରାଯାଇଥିଲା ୨୦୨୨ମସିହା ସୁଦ୍ଧା ଏହି ପ୍ରକଳ୍ପ କାମ ସରିବ। ତେବେ ଏଯାଏଁ ଜମି ଅଧିଗ୍ରହଣ ଇଂଚେ ବି ହୋଇନି। ଅପରପକ୍ଷରେ ଏହି ୭ବର୍ଷ ମଧ୍ୟରେ ବଦଳିଲେଣି ୧୧ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ।
ରେଳ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟ ଦେଇ ଚାଲିଛି। ଗ୍ରାମସଭା, ପଲ୍ଲୀସଭା, ଅର୍ଥନୈତିକ ପ୍ରତିବନ୍ଧକ ସର୍ଭେ କେତେକ ଅଞ୍ଚଳରେ ଚାଲିଥିବା ବେଳେ ଆଉ କେତେକ ଅଞ୍ଚଳରେ ଶେଷ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୭ଟି ଗାଁରେ କେତେ ଜଣ ଜମିମାଲିକ କ୍ଷତିଗ୍ରସ୍ତ ହେବେ, ସେମାନଙ୍କୁ କେତେ କ୍ଷତିପୂରଣ ଦିଅଯିବ ଏହାର ଆକଳନ କରିଥିଲା ଏହି ଦୁଇପ୍ରକଳ୍ପର ସ୍ବତନ୍ତ୍ର ଭୂଅର୍ଜନ ବିଭାଗ। ଏଥିରେ କୋରାପୁଟ ଜିଲ୍ଲାର ୨୬ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଗାଁ ରହିଛି। ଜୟପୁର-ନବରଙ୍ଗପୁର ପ୍ରକଳ୍ପ ଲାଗି କୋରାପୁଟ ଜିଲ୍ଲାର ମଜୁରମୁଣ୍ଡା, ଆଉଁଳି, ଅଞ୍ଚଳା, ବଡକାଉଡି, ପର୍ଲି ଏବଂ ନବରଙ୍ଗପୁର ଜିଲ୍ଲାର ଡାଇଭଟାଗାଁ ଏବଂ ଜୟପୁର-ମାଲକାନଗିରି ରେଳପ୍ରକଳ୍ପରେ କୋରାପୁଟ ଜିଲ୍ଲାର ବାର୍ଲାହାଣ୍ଡି,ରାଣୀପୁଟ, ଦିଗାପୁର, ହାଟଖୁ ଡୁପି, ପ୍ରଧାନୀପୁଟ, ତାଟିବେଡା, ଘସର୍ଡା, ଖିଲପୁଟ, ବାଗ୍ରାଗୁଡା, ମୁଣ୍ଡାଗୁଡା, ବାସିନିଗୁଡା, ଭେଳା ଗବର୍ଲା, ଗନିପୁଟ, ଗୌଡଗୁଡା, ଗୁଣ୍ଠାଗୁଡା, କୋଲାର, ନିଲାଗୁଡା, ଘୁମର, ବୋଡି ପୁଟ,ଆବୁଗୁଡା ଓ ବୈପାରିଗୁଡା ରହିଛି। ଏସବୁ ଗାଁରେ ଜମିହରାଙ୍କୁ କେତେ କ୍ଷତିପୂରଣ ଦିଆଯିବ, ତାହା ଆକଳନ କରାଯାଇଥିଲା। ବନବିଭାଗ ସହାୟତରେ ଗଛର ମୂଲ୍ୟ ଆକଳନ କରାଯାଇଥିବା ବେଳେ ଫଳôଗଛ ଲାଗି ଉଦ୍ୟାନକୃଷି ବିଭାଗ, ପୂର୍ବ ବିଭାଗର ଯନ୍ତ୍ରୀଙ୍କ ଦ୍ବାରା କୋଠାର ଆକଳନ ଏବଂ ବ୍ଳକ କର୍ତ୍ତୃପକ୍ଷଙ୍କ ସହାୟତାରେ ଜମିହରାଙ୍କ ପୋଖରୀ ମୂଲ୍ୟ ଆକଳନ କରାଯାଇଥିଲା। ସେହି ଅନୁସାରେ କ୍ଷତିପୂରଣ ଆକଳନ କରାଯାଇଥିଲା।ଏହାକୁ ମଞ୍ଜୁର କରିବାକୁ ପଠାଯାଇଥିଲା। ଆଜି ସୁଦ୍ଧା ଏହା ମଞ୍ଜୁର ହୋଇନି । ଏଠାରେ ଭୂଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଡାନିଏଲ ଏକ୍କା ଅନ୍ୟ ଏକ ରେଳ ପ୍ରକଳ୍ପର ଅତିରିକ୍ତ ଦାୟିତ୍ଵରେ ରହିଛନ୍ତି। ସେ ଏଠାରେ ଅଧିକାଂଶ ଦିନ ରହୁନଥିବାରୁ ଠିକ୍ ଭାବେ କାର୍ଯ୍ୟ ହେଉନଥିବା ଜଣାପଡିଛି। କାର୍ଯ୍ୟାଳୟର କର୍ମଚାରୀମାନେ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି। ଭୂଅର୍ଜନ ଅଧିକାରୀ ଶ୍ରୀ ଏକ୍କାଙ୍କ ପ୍ରତିକ୍ରିୟା ନେବାକୁ ଫୋନ କରିଥିଲୁ । ସେ ଫୋନ ଉଠାଉ ନଥିବାରୁ ମତାମତ ନିଆଯାଇପାରିନି। ସୂଚନାଥାଉକି, ୨୦୧୭ରୁ ଏଠାରେ ଭୂଅର୍ଜନ କାର୍ଯ୍ୟାଳୟ ଖୋଲିଛି। ୭ ବର୍ଷ ବିତିଯାଇଥିଲେ ମଧ୍ୟ ଜମି ଅଧିଗ୍ରହଣ କାର୍ଯ୍ୟ ଠିକ୍ ଭାବେ ହୋଇପାରୁନି।
୨୦୧୭-୧୮ ରେଳ ବଜେଟ୍ରେ ମାଲକାନଗିରି ପାଇଁ ଘୋଷଣା ହେଲା ୭୯ କୋଟି ଏବଂ ନବରଙ୍ଗପୁର ପାଇଁ ୨୭୫ କୋଟି, ୨୦୧୮-୧୯ରେ ଯଥାକ୍ରମେ ୯୫କୋଟି ଏବଂ ୧୯ କୋଟି, ୨୦୧୯-୨୦ରେ ୭୦ କୋଟି ଏବଂ ୧୦ କୋଟି, ୨୦୨୦-୨୧ରେ ୩୩ କୋଟି ଏବଂ ୨୦ କୋଟି, ୨୦୨୧-୨୨ମସିହାରେ ୨୮ କୋଟି ଏବଂ ୧୫୧ କୋଟି, ୨୦୨୨-୨୩ରେ ୧୩୮ କୋଟି ଏବଂ ୮୧ କୋଟି, ୨୦୨୩-୨୪ ମସିହାରେ ୨୩୦ କୋଟି ଓ ନବରଙ୍ଗପୁର ପାଇଁ ୨୩୫ କୋଟି ଟଙ୍କା । କିନ୍ତୁ ବଜେଟ୍ ଘୋଷିତ ଏହି କୋଟି କୋଟି ଟଙ୍କା ବାସ୍ତବରେ ଶୂନ୍ ଖର୍ଚ୍ଚରେ ଯାଉଛି I ଜୟପୁର-ନବରଙ୍ଗପୁର ୩୮ କିମି ରେଳପଥ ପାଇଁ ୭୫୦ କୋଟି ଏବଂ ଜୟପୁର ମାଲବାନଗିରି ୧୩୦ କିମି ରେଳପଥ ପାଇଁ ୨୭୦୦ ଭୋଟି ଖର୍ଜର ଆକଳନ କରାଯାଇଥିଲା । ତାକୁ ନେଇ କେନ୍ଦ୍ର ରେଳ ବଜେଟ୍ରେ ଅର୍ଥ ଘୋଷିତ ହୋଇ ଆସୁଛି । କିନ୍ତୁ ଜମି ଅଧିଗ୍ରହଣହୋଇ ନଥିବାରୁ ଖର୍ଚ ହେଉନି। ଏହି ସ୍ଥିତିରେ ଏହି ପ୍ରକଳ୍ପର ଭାଗ୍ୟ କେବେ ଖୋଲିବ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।