ମାଲକାନଗିରି: ଜିଲ୍ଲାରେ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ଏମଭି ଗ୍ରାମ ରହିଛି। ଏମଭି ଗ୍ରାମଗୁଡିକରେ ବଂଗୀୟ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ପ୍ରାୟ ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଏମାନେ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବେଳେ ଏମାନେ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି। ଏପରିକି ନିର୍ବାଚନରେ ଏହି ସଂପ୍ରଦାୟର ଏକତରଫା ଭୋଟ ଜଣେ ପ୍ରାର୍ଥୀକୁ ବିଜୟ କରିବାରେ ବେଶ ସହଯୋଗ କରୁଛି।

Advertisment

୨୦୧୯ ନିର୍ବାଚନରେ ଯାହା ହୋଇଥିଲା, ଏବେ ମଧ୍ୟ ଏହି ସଂପ୍ରଦାୟର ଏକତରଫା ଭୋଟ ବିଜେପିକୁ ବିଜୟୀ କରିବାରେ ସଂପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା। ନିର୍ବାଚନ ବେଳେ ଏମଭି ଗ୍ରାମଗୁଡ଼ିକରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ପ୍ରଚାର ଜୋରଦାର କରିଥିଲେ, ଫଳରେ ବିଜେପିକୁ ଭୋଟ ମିଳିଥିଲା।

ତେବେ ହିମନ୍ତ ବିଶ୍ବ ଶର୍ମା ନିର୍ବାଚନ ବେଳେ ବଂଗୀୟ ଗ୍ରାମଗୁଡିକର ନାମ ଏମଭି ରହିବା ସହ ନମ୍ବର ରହିଥିବାରୁ ସେ ଦୁଃଖ ପ୍ରକାଶ କରିବା ସହ ଏମାନେ କଣ କୈଦୀ କି ବୋଲି ପ୍ରଶ୍ନ କରିଥିଲେ। ପୁଣି ଏହି ଗ୍ରାମଗୁଡ଼ିକକୁ କାହିଁକି ଆଜି ପର୍ଯ୍ୟନ୍ତ ରାଜସ୍ବ ଗ୍ରାମରେ ପରିବର୍ତ୍ତନ କରାଯାଇ ନାହିଁ ବୋଲି ଦାବି କରିଥିଲେ। ତେବେ ବିଜେପି ଓଡିଶାରେ ଶାସନକୁ ଆସିଲେ ସେ ନିଜେ ମୁଖ୍ୟମନ୍ତ୍ରୀ ଯିଏ ବି ହେଲେ ତାଂକୁ ସେ ଅନୁରୋଧ କରି ଏମଭି ଗ୍ରାମଗୁଡିକର ନମ୍ବର ବଦଳାଇବା ସହ ଗ୍ରାମଗୁଡ଼ିକର ସୁନ୍ଦର ନାମ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯେଉଁ ପ୍ରତିଶ୍ରୁତି ଏବେ ପୂରଣ ହେବାର ବେଳ ଆସିଛି।

ବିଜେପି ଶାସନ ଗାଦିରେ ବସିବା ସହ ମାଲାକନଗିରି ବିକାଶରେ ଦେଇଥିବା ପ୍ରତିଶ୍ରୁତିକୁ ତୁରନ୍ତ ପୂରଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି। ଏହି ସରକାର ମଧ୍ୟ ପୂର୍ବତନ ସରକାର ଭଳି ଠକିବ ନାହିଁ ତ ବୋଲି ପ୍ରଶ୍ନ ଉଠିଛି। ନିର୍ବାଚନ ବେଳେ ଗୋଟିଏ କଥା ଏବଂ ନିର୍ବାଚନ ସରିଲେ ଗୋଟିଏ କଥା ବୋଲି ଆଲୋଚନା ଜୋର ଧରିଛି।ତେବେ ନିର୍ବାଚନ ବେଳେ ମିଳିଥିବା ପ୍ରତିଶ୍ରୁତିଗୁଡିକ ସରକାର କେବେ ପୂରଣ କରିବେ ତାହା ଦେଖିବାକୁ ବାକି ରହିଲା।