ଜୟପୁର: ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ସର୍ବାଧିକ ପ୍ରଭାବିତ ମାଲକାନଗିରି ଜିଲ୍ଲା ହୋଇଥିଲା ବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ବର୍ଷା ବିତ୍ପାତର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। କାନ୍ଥ ଭୁଶୁଡ଼ି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ‌୍‌ରେ ମା’ ଓ ଦୁଇ ଝିଅ ଏବଂ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଜଣେ ୫ବର୍ଷର ଶିଶୁ ଗୁରୁତର ଆହତ ହୋଇଛି। ଜୟପୁର-ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଅନେକ ପୋଲ ବୁଡ଼ିଯିବାରୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପାହାଡ଼ିଆ ନଦୀରେ ବନ୍ୟାଜଳ ପ୍ରବେଶ କରିବା ପରେ ଖଇରପୁଟ ବ୍ଲକ ବଣ୍ଡାଘାଟିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Advertisment

ବର୍ଷା ପରେ ବାଲିମେଳା ଜଳଭଣ୍ଡାର ଜଳସ୍ତର ପାଖାପାଖି ସାଢ଼େ ୩ଫୁଟ ପର୍ଯ୍ୟନ୍ତ ବଢ଼ିଛି। କାଲିମେଳା ସଦର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିଲା ବେଳେ ପୋଟେରୁ ବଜାରରେ ବନ୍ୟାଜଳ ପଶିଛି। ସ୍ବାଭିମାନ ଅଞ୍ଚଳର ୩ ପଞ୍ଚାୟତକୁ ମଧ୍ୟ ଯୋଗାଯୋଗ ଠପ୍‌ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକରେ ବନ୍ୟା ଆଶଙ୍କା ବଢ଼ିଛି। ୪୮ଘଣ୍ଟାରୁ ଅଧିକ ସମୟ ହେଲାଣି ଟୁରୀ ନଦୀ ପୋଲରେ ପାଣି ଚାଲିଥିବାରୁ ପାପଡ଼ାହାଣ୍ଡିରୁ ଉମରକୋଟ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ବଡ଼ ବନ୍ୟା ସମ୍ଭାବନା ଥିବାରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ୩ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି।